ବାରିପଦା: ଈଶ୍ବର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ଖେର୍ଣ୍ଣ।ଠାରେ ସାରସକଣା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ମଙ୍ଗୋଲ ଚରଣ ସିଂଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁମନ୍ତ କୁମାର ନାଏକ ସ୍ବାଗତ ଭାଷଣ ରଖିଥିଲେ । ବ୍ଲକ୍ ବିଜ୍ଞାନ ସଂଯୋଜକ ତଥା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ଗିରି ଏବଂ ପୂର୍ବତନ ଜିଲ୍ଳା ବିଜ୍ଞାନ ପରିଦର୍ଶକ ତଥା ସ୍ଥାନୀୟ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଜଗନ୍ନାଥ ସାହୁ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ଅନ୍ୟତମ ଅତିଥିଭାବେ ବିଭିନ୍ନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ ମାହାଲି, ଅମୂଲ୍ୟ କୁମ୍ଭକାର, ସତ୍ୟରଞ୍ଜନ ପଟ୍ଟନାୟକ ଏବଂ ସି.ଆର.ସି.ସି. ମଧୁସ୍ମିତା ବାରିକ୍, ସୁଧାକର ପଢ଼ିଆରୀ, ସନାତନ ପରିଡା ଏବଂ ସୁବ୍ରତ କୁମାର ସେଠୀ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ବ୍ଲକ୍ ଅଧୀନସ୍ଥ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସାଂଗଠନିକ ମତାମତ ରଖାଯାଇଥିଲା।

