ବାରିପଦା: ମଦ୍ୟପ ସ୍ୱାମୀ ର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ l ଏହିଭଳି ଏକ ଘଟଣା ଆଜି ଦେଖିବାକୁ ମିଳିଅଛି ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ପାଞ୍ଚଗୋଛିଆ ଗ୍ରାମରେ l ଗତକାଲି ବିଳମ୍ବିତ ରା଼ତ୍ରୀରେ ଏହି ଗ୍ରାମର ଶଙ୍କର୍ଷଣ ଧଡ଼ି ମଦପିଇ ଆସି ସ୍ତ୍ରୀ ରାଇବାରୀ ସହ ଝଗଡା କରିଥିଲା l ଦୁହିଁ ଙ୍କ ମଧ୍ୟରେ ଝଗଡା ଅତ୍ୟଧିକ ହେବାରୁ ଶଙ୍କର୍ଷଣ ନିଜର ହିତାହିତ ଜ୍ଞାନ ହରାଇ ବସିଥିଲା l ଫଳରେ ଏକ ଠେଙ୍ଗାରେ ସ୍ତ୍ରୀ ରାଇବାରୀ କୁ ନିର୍ଘାତ ପିଟିଥିଲା l ଫଳରେ ଘଟଣା ସ୍ଥଳରେ ରାଇବାରୀ ର ମୃତ୍ୟୁ ଘଟିଥିଲା l ଉଭୟଙ୍କ ଦୁଇ ଝିଅ ଏବଂ ଗୋଟିଏ ପୁତ୍ର ସନ୍ତାନ ଅଛନ୍ତି l ଘଟଣା ରାତ୍ରୀରେ ନାବାଳକ ପୁଅ ଉପସ୍ଥିତ ଥିଲା l ମାତ୍ର ଭୟରେ କୌଣସି ପ୍ରତିବାଦ କରିନଥିଲା l ଆଜି ସକାଳୁ ଗ୍ରାମବାସୀ ଘଟଣା ଜାଣିବା ପରେ ପୋଲିସ କୁ ଖବର ଦେଇଥିଲେ l ମୋରଡ଼ା ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଶବ କୁ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀ କୁ ଗିରଫ କରି ଅଧିକ ତଦନ୍ତ ଜାରିରଖିଅଛି l ଏ ବାବଦରେ ମୋରଡ଼ା ଥାନାରେ ଏକ ହତ୍ୟା ମାମଲା ରୁଜୁ କରିବା ସହ ଶବ ବ୍ୟବଛେଦ ନିମନ୍ତେ ବାରିପଦା ପିଆରଏମ ଡାକ୍ତରଖାନା କୁ ପଠାଇଛି l ଏହି ଘଟଣା କୁ ନେଇ ଗ୍ରାମବାସୀ ଗଣମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଗ୍ରାମରେ ବିଭିନ୍ନ ସ୍ଥାନରେ ଚୋରା ଦେଶୀ ମଦ ବିକ୍ରି ହେଉଅଛି l ମାତ୍ର ନା ଅବକାରୀ ବିଭାଗ ନା ପୋଲିସ କାହାରି ନିଘା ନାହିଁ l ଫଳରେ ଏହିଭଳି ଘଟଣା ବାରମ୍ବାର ଘଟୁଅଛି l ମଦ ନିଶାରେ ସ୍ୱାମୀର ବର୍ବରତା ର ଶୀକାର ହେଉଛନ୍ତି ସ୍ତ୍ରୀ ମାନେ l ତେଣୁ ଚୋରା ମଦ ବିକ୍ରୀ କୁ ତୁରନ୍ତ ବନ୍ଦ କରିବା କୁ ଗ୍ରାମବାସୀ ଦାବୀ କରିଛନ୍ତି l

