ବନ୍ତ/ଆଗରପଡ଼ା:ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୬ ତମ ଜୟନ୍ତୀ ଓ ଆଗରପଡ଼ା ମହତାବ ୟୁଥକ୍ଲବର ଦ୍ୱାଦଶ ବାର୍ଷିକ ଉତ୍ସବ କ୍ଲବ ପରିସରରେ ମହାଆଡ଼ମ୍ବରରେ ପାଳିତ ହୋଇଯାଇଅଛି । ଆଗରପଡ଼ା ଥାନାଧିକାରୀ ଦେବରାଜ ଜେନା କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ କ୍ଲବର ସଭାପତି ସୁରେଶ ପୃଷ୍ଟିଙ୍କ ସଭାପତିତ୍ୱରେ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ସେକ୍ ଜଇନୁଲ ଆବେଦିନ, ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ସାଧାରଣ ସମ୍ପାଦକ କୈଳାସ ଧଳ ଯୋଗଦେଇଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ନୃତ୍ୟ, ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏବଂ କ୍ଲବ ସଦସ୍ୟଙ୍କ ଦ୍ୱାରା ଗୁରୁପୂଜନ କାର୍ଯ୍ୟକ୍ରମ ହୋଇଥିଲା ଏଥିରେ ଅବସରପ୍ରାପ୍ତ ଶିକ୍ଷକ କୃଷ୍ଣଚନ୍ଦ୍ର କର, ଖଗେଶ୍ୱର ପଣ୍ଡା, ମନ୍ମଥ କୁମାର ପ୍ରଧାନ, ଜଗବନ୍ଧୁ ରାଉତ ଏବଂ ଶିକ୍ଷୟତ୍ରୀ ମିନତୀ ସାମଲ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉପସ୍ଥିତ ରହି ୫ଜଣ ଶିକ୍ଷକଙ୍କୁ ମାନପତ୍ର ଓ ଉପଢୌାକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ସନ୍ଧ୍ୟାକାଳିନ ସଭାରେ କ୍ଳବ ସଦସ୍ୟ ସତ୍ୟସାଧନ ବେଜଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ ମଲ୍ଲିକ ଯୋଗଦେଇ ମହତାବଙ୍କ ବିଚାର ଧାରାକୁ ଅନୁକରଣ କରିବାକୁ ଯୁବ ସମାଜକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ପୁରୁଷଣ୍ଢ ସେବାସମବାୟ ସଭାପତି ପ୍ରଶାନ୍ତ ଦାଶ, ଗୋପିନାଥପୁର ସରପଂଚ ସବିତା ରାଣୀ ନାୟକ, ବ୍ଳକ ବିଜେଡ଼ି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି ଯୋଗଦେଇ ମହତାବଙ୍କ ବହୁମୁଖୀ ପ୍ରତିଭା ବିଷୟରେ ଆଲୋକପାତ କରିଥିଲେ । ସଦସ୍ୟ ତଥା ପୁରୁଷଣ୍ଢ ସରପଂଚ ପ୍ରକାଶ ବିଶ୍ୱାଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କ୍ଲବ ସମ୍ପାଦକ ଜିତେନ୍ଦ୍ର ଶତପଥୀ ବାର୍ଷିକ ବିବରଣୀ ପାଠ କରିଥିଲେ । କ୍ଲବର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥିଙ୍କ ଦ୍ୱାରା କୃତ୍ତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ସଦସ୍ୟ ଚିନ୍ମୟ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଚଳଚିତ୍ର ଅଭିନେତ୍ରୀ ତଥା ଚୁଳବୁଲୀ ନାୟିକା ପୁନମ ମିଶ୍ର ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ । ପ୍ରାରମ୍ଭରେ ସକାଳ ୯ ଘଟିକା ସମୟରେ କ୍ଳବର ସମସ୍ତ ସଦସ୍ୟ ଏକ ମଟରସାଇକେଲ ରାଲିରେ କଲେଜଛକ, କୁଆଁଶମଢିଆ, ଲକ୍ଷ୍ମୀବଜାରସ୍ଥିତ ମହତାବଙ୍କ ପ୍ରତିମୂର୍ତ୍ତୀ ଓ କର୍ମମନ୍ଦିର ସମାଧିପୀଠ ଠାରେ ପୁଷ୍ପମାଲ୍ୟାର୍ପଣ କରିବା ସହ ଆଗରପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ କ୍ଲବର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

