Img 20251121 wa0221

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବନ୍ୟପ୍ରାଣୀ ଏବଂ ଜୈବବିବିଧତା ସଂରକ୍ଷଣ ବିଭାଗର କର୍ମଶାଳା

ରାଜ୍ୟ
ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ବନ୍ୟପ୍ରାଣୀ ଏବଂ ଜୈବବିବିଧତା ସଂରକ୍ଷଣ ବିଭାଗ ଦ୍ଵାରା ଆୟୋଜିତ ଏକ ଦ୍ୱିଦିବସୀୟ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି । “ସୁରକ୍ଷିତ ପଦକ୍ଷେପ: କ୍ଷେତ୍ରୀୟ ଗବେଷଣାରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ ଦିଗରେ ଆହ୍ୱାନ ଓ ସମାଧାନ” ଶୀର୍ଷକ ଏହି କର୍ମଶାଳାର ଉଦଘାଟନୀ ଉତ୍ସବକୁ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ପୃଷ୍ଣପୋଷକ ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ଶତପଥୀ ଏହି କର୍ମଶାଳା ଫିଲ୍ଡୱାର୍କରେ ମହିଳା ଗବେଷକମାନଙ୍କର ସୁରକ୍ଷା ପ୍ରଦାନ ଦିଗରେ ଆବଶ୍ୟକୀୟ ତାଲିମ ପ୍ରଦାନ କରିବାରେ ସହାୟକ ହେବ ଓ ଏହା ବିଜ୍ଞାନ କ୍ଷେତ୍ରରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବ ବୋଲି କହିଥିଲେ । ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରର ପ୍ରଧାନ ବୈଜ୍ଞାନିକ ଡକ୍ଟର ଆନି ପୂନମ୍ ଯୋଗଦେଇ ମହିଳା ବିଜ୍ଞାନୀମାନଙ୍କର ସୁରକ୍ଷା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ମହିଳା ଗବେଷକମାନଙ୍କୁ ସୁରକ୍ଷା ନିଶ୍ଚିତ କରିବାରେ ଆବଶ୍ୟକୀୟ ପ୍ରୋଟୋକଲ୍, ଟ୍ରେନିଂ ଏବଂ ଟେକ୍ନୋଲୋଜିର ସହାୟତା ନେବାକୁ ହେବ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ନିଜ ବକ୍ତବ୍ୟରେ କ୍ଷେତ୍ରୀୟ ଗବେଷଣାରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ ଦିଗରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗ ମାନକୁ ଉପଯୁକ୍ତ ପଦକ୍ଷେପ ମାନଙ୍କ ନେବାକୁ ପରାମର୍ଶ ଦେଇଥିଲେ । ବିଶ୍ୱବିଦ୍ୟାଳୟ ପି.ଏମ୍‌ ଉଷା କାର୍ଯ୍ୟକ୍ରମର ନୋଡାଲ୍‌ ଅଧିକାରୀ ପ୍ରଫେସର ଇନ୍ଦ୍ରଜିତ ନାଏକ ବିଶ୍ୱବିଦ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ ପି.ଏମ୍‌ ଉଷା ଯୋଜନାର ସଫଳ ରୂପାୟନରେ ସହାୟକ ହେବ ବୋଲି କହିଥିଲେ । ବିଭାଗୀୟ ସଂଯୋଜକ ତଥା ଆବାହକ ଡ. ଶୁଭାନୀ ରଥ କର୍ମଶାଳାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ବିବରଣୀ ରଖିଥିଲେ ଓ ଡ. ଦେବାଶିଷ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗୀୟ ସହକାରୀ ପ୍ରଫେସର ଡ. ଅଶୋକ କୁମାର ମଲ୍ଲିକ ଓ ଡ. ରବୀନ୍ଦ୍ର କୁମାର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ମୋନାଲି ଗୋସ୍ୱାମୀ, ପଶ୍ଚିମବଙ୍ଗ ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ଡ. ପ୍ରିୟଙ୍କା ହାଲଦାର ମଲ୍ଲିକ, ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର ଡ. ଶ୍ୱେତାଶ୍ରୀ ପୁରୋହିତ, ମୟୂରଭଞ୍ଜ ଆଇନ ମହାବିଦ୍ୟାଳୟର  ଜୟଶ୍ରୀ ମିଶ୍ର, ଆଇଆଇଟି ଭୁବନେଶ୍ୱରର ଡ. ମଧୁସ୍ମିତା ଦାଶ, ମୟୂରଭଞ୍ଜର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ  ସବିତା ମାଝି, ଚେନ୍ନାଇସ୍ଥିତ ଗଣିତୀୟ ବିଜ୍ଞାନ ସଂସ୍ଥାନର ଡ. ଭାରତୀ ଧରପୁରମ, ନୂଆଦିଲ୍ଲୀସ୍ଥିର ୱାଲ୍‌ଡ୍‌ ୱାଇଲ୍‌ଡ ଲାଇଫ୍‌ ଫଣ୍ଡ୍‌ର ମିସ୍‌ ସାଧ୍ୱୀ ସିନ୍ଦୁରା ଓ କଲିକତାର କ୍ଷେତ୍ରୀୟ ଗବେଷିକା ଡ. ଆୟୁସ୍ମିତା ନାଏକ ପ୍ରମୁଖ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଛି । ଉଦଘାଟନୀ ସମାରୋହରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଏହି ଅବସରରେ ଆମେ ମୟୂରଭଞ୍ଜିଆ ଓ ବାରିପଦା ପୌର ପରିଷଦ ଆନୁକୂଲ୍ୟରେ ନିକଟରେ ଅନୁଷ୍ଠିତ ହୋଇଥିବା ସଂସ୍କାର ଶିଶୁ ମହୋତ୍ସବ ‘ମୟୂରୀ’ରେ ଖ୍ୟାତନାମା ଚିତ୍ରଶିଳ୍ପୀଙ୍କ ତତ୍ତ୍ୱାବଧାନରେ କୁନି କୁନି ଚିତ୍ରଶିଳ୍ପୀଙ୍କ ଦ୍ୱାରା ଅଙ୍କାଯାଇଥିବା ଶିମିଳିପାଳର ବିଭିନ୍ନ ଚିତ୍ର କ୍ୟାନଭାସ ଗୁଡ଼ିକ ପ୍ରଦର୍ଶିତ ହୋଇଥିଲା । ଏହି କ୍ୟାନଭାସ ଗୁଡ଼ିକ ବିଶ୍ୱବିଦ୍ୟାଳୟରେ ସମ୍ମେଳନ କକ୍ଷରେ ସବୁବେଳେ ଶୋଭାପାଇବ ।
Shrutilipi ad