- ପ୍ରଧାନଶିକ୍ଷୟିତ୍ରୀଙ୍କ ବିଇଓଙ୍କୁ ପତ୍ର
ଆଗରପଡ଼ା:୧୯୫୫ ମସିହାରେ ପ୍ରତିଷ୍ଠିତ ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ତୋଫାବିବି କ୍ଲଷ୍ଟର ଅନ୍ତର୍ଗତ ପୁରୁଷଣ୍ଢ ନୋଡ଼ାଲ ବିଦ୍ୟାଳୟରେ ଆବଶ୍ୟକ ମୁତାବକ ଶ୍ରେଣୀ ଗୃହ ପ୍ରତିଷ୍ଠା ସମୟରେ ଥିବା ବେଳେ କାଳକ୍ରମେ ଶ୍ରେଣୀଗୃହ ଗୁଡ଼ିକ ବିପଦସଙ୍କୁଳ ଅବସ୍ଥାରେ ପରିଣତ ହୋଇଥିଲା । ଗତ ଜୁଲାଇ ମାସରେ ଏକ ଶ୍ରେଣୀ ଗୃହ ଛାତରୁ ପ୍ଲାଷ୍ଟର ଗଳିପଡ଼ିଥିବାର ଦେଖିବାକୁ ମିଳିଥିଲା । ସୋଭାଗ୍ୟବସତଃ ଶ୍ରେଣୀ ଗୃହରେ କେହିବି ପିଲା ଉପସ୍ଥିତ ନଥିବାରୁ ଏକ ସୁନିଶ୍ଚିତ ବିପଦରୁ ରକ୍ଷା ମିଳିଯାଇଥିଲା । ବିଭିନ୍ନ ଗଣମାଧ୍ୟମରେ ଉକ୍ତ ଖବର ପ୍ରକାଶ ପାଇବା ପରେ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ବିଡ଼ିଓ କ୍ଷେତ୍ର ପରିଦର୍ଶନ କରି ବିଦ୍ୟାଳୟ ପରିସରରେ ଥିବା ବିପଦସଙ୍କୁଳ ଗୃହକୁ ନିଷିଦ୍ଧାଚଂଳ ଘୋଷଣା କରିଥିଲେ । ପରେ ଉକ୍ତ ଗୃହକୁ ଭଙ୍ଗା ଯାଇଥିଲା । ଏବଂ ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇର୍ ଯୋଜନା ମଧ୍ୟ କରାଯାଇଥିଲା କିନ୍ତୁ ଇତି ମଧ୍ୟରେ ୫ମାସ ପୂରିବାକୁ ବସିଥିବା ବେଳେ ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ପାରୁନଥିବାରୁ ଶ୍ରେଣୀ ଗୃହ ଅଭାବରୁ ପିଲାଙ୍କ ଶିକ୍ଷାଲାଭରେ ଘୋର ବାଧା ସୃଷ୍ଟି ହେଉଛି । ଯାହାକୁ ନେଇ ଅଭିଭାବକମାନେ ଘୋର ଚିନ୍ତା ପ୍ରକଟ କରିଛନ୍ତି । ଗତ ଶନିବାର ବିଧାୟକ ସଂଜୀବ ମଲ୍ଲିକ ବିଦ୍ୟାଳୟକୁ ପରିଦର୍ଶନରେ ଆସି ସମସ୍ୟା ବିଷୟରେ ଅବଗତ ହେବା ସହ ଶ୍ରେଣୀ ଗୃହ ସମସ୍ୟାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏବଂ ଉକ୍ତ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ଜିଲ୍ଲାପାଳ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିବା ମଧ୍ୟ ଜଣାପଡ଼ିଥିଲା । ଶୁକ୍ରବାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବିଡ଼ିଓ ବିଦ୍ୟାଳୟକୁ ଆସି ସମସ୍ୟା ବିଷୟରେ ଆଲୋଚନା କରିବା ସହ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଗୃହ ନିର୍ମାଣ ନିମନ୍ତେ ବ୍ଳକ ଶିକ୍ଷାଧିକାରୀଙ୍କୁ ପତ୍ର ମାଧ୍ୟମରେ ଆବଶ୍ୟକ ଅର୍ଥ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିବା ପାଇଁ କହିଥିଲେ । ସ୍ଥାନୀୟ ସରପଂଚ,କନିଷ୍ଠ ଯନ୍ତ୍ରୀ,ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅନ୍ୟ ଅଧିକାରୀ ମଧ୍ୟ ବିଡ଼ିଓଙ୍କ ସହିତ ଉପସ୍ଥିତ ଥିଲେ । ପରେ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୪୭/୨୧.୧୧.୨୫ରେ ପ୍ରଧାନଶିକ୍ଷୟିତ୍ରୀ ବିଇଓ,ବନ୍ତଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି । ଏଠାରେ ପ୍ରକାଶ ଥାଉକି;ଶ୍ରେଣୀ ଗୃହ ଅଭାବରୁ ଗୋଟିଏ କୋଠରୀରେ ୪ଟି ଶ୍ରେଣୀର ପାଠପଢା ଚାଲିଥିବା ବେଳେ ଗୋଟିଏ କଳାପଟାରେ ଏକା ସମୟରେ ୨ଜଣ ଶିକ୍ଷୟିତ୍ରୀ ଭିନ୍ନଭିନ୍ନ ଶ୍ରେଣୀର ପିଲାଙ୍କୁ ପାଠପଢାଉଛନ୍ତି । ଉକ୍ତ ବ୍ୟବସ୍ଥା ଉନ୍ନତ ଶିକ୍ଷା ବ୍ୟବସ୍ଥାକୁ ଉପହାସ କରୁଛି । ବର୍ତ୍ତମାନ ୯ଟି ଶ୍ରେଣୀର ପାଠପଢା ୫ଟି ଗୃହରେ ଚାଲିଛି । ଶିଶୁବାଟିକା,୧ମ,୨ୟ ଓ ୩ୟ ଏହିପରି ୪ଟି ଶ୍ରେଣୀର ୫୫ଜଣ ଛାତ୍ରଛାତ୍ରୀ ଗୋଟିଏ ଗୃହରେ ଶିକ୍ଷାଲାଭ କରୁଛନ୍ତି । ବିପଦସଙ୍କୁଳ ଅବସ୍ଥାରେ ଥିବା ଉକ୍ତ ଗୃହରେ ଉପଲବ୍ଧ ଥିବା କଳାପଟାରେ ୨ଜଣ ଶିକ୍ଷୟିତ୍ରୀ ଏକ ସମୟରେ ୪ଟି ଶ୍ରେଣୀର ପିଲାଙ୍କୁ ଶିକ୍ଷାଦାନ କରୁଥିବା ଦେଖିବାକୁ ମିଳିଛି । ଯାହାକି ସରକାରଙ୍କ ଉନ୍ନତ ଶିକ୍ଷା ବ୍ୟବସ୍ଥାକୁ ଉପହାସ କରୁଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସରକାର ମାଗଣା ବହି,ପୋଷାକ,ମଧ୍ୟାହ୍ନଭୋଜନ ଆଦିର ସୁବନ୍ଦୋବସ୍ତ କରିଥିଲେ ସୁଦ୍ଧା ଶୈକ୍ଷିକ ବାତାବରଣରେ ଉନ୍ନତି ଆଣିପାରୁନଥିବାରୁ ସରକାରଙ୍କ ଯୋଜନାର ସଫଳ ରୂପାୟନ ହୋଇପାରୁନଥିବା ଉକ୍ତ ବିଦ୍ୟାଳୟକୁ ଦେଖିଲେ ସ୍ପଷ୍ଟ ବାରିହୋଇ ପଡ଼ୁଛି । ଚଳିତ ଶିକ୍ଷା ବର୍ଷରେ ଉକ୍ତ ବିଦ୍ୟାଳୟରେ ୧୩୯ଜଣ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଛନ୍ତି । ୪ର୍ଥ ଓ ୫ମ ଶ୍ରେଣୀ ପାଠପଢା ଗୋଟିଏ ଗୃହରେ ଚାଲିଥିବା ବେଳେ ଅନ୍ୟ ତିନୋଟି ଶ୍ରେଣୀ ଗୃହରେ ୬ଷ୍ଠ,୭ମ ଓ ୮ମ ଶ୍ରେଣୀର ପାଠପଡା ଚାଲିଛି । ତେଣୁ ଶ୍ରେଣୀ ଗୃହ ଅଭାବରୁ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ମିଳିପାରୁନଥିବା ଜଣାପଡ଼ିଛି । ବିଦ୍ୟାଳୟର ଶୈକ୍ଷିକ ବାତାବରଣରେ ପରିବର୍ତ୍ତନ ଆଣିବା ପାଇଁ ବିଭାଗୀୟ ଅଧିକାରୀ କ୍ଷେତ୍ରପରିଦର୍ଶନରେ ଉକ୍ତ ପ୍ରସଙ୍ଗକୁ ସୀମିତ ନରଖି ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ଯଥାଶୀଘ୍ର ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

