କେନ୍ଦ୍ରାପଡ଼ା : ମଣିଷ ଜୀବନରେ ସଫଳତା, ଆନନ୍ଦ ଏବଂ ପ୍ରକୃତ ଶାନ୍ତି ପାଇଁ ଆତ୍ମବିଶ୍ୱାସ, ଈଶ୍ୱର ବିଶ୍ୱାସ, କଠିନ ପରିଶ୍ରମ ସହିତ ସର୍ବୋପରି ଏକ ଆଧ୍ୟାତ୍ମିକ ଜୀବନ ଶୈଳୀର ଆବଶ୍ୟକତା ରହିଛି। ଗତକାଲି ଇନ୍ଦାଳୋ ପଞ୍ଚାୟତର ସାରଦା ଏକାଡେମୀ ଉଚ୍ଚ ବିଦ୍ୟାଳୟ ଠାରେ ‘ପୂଜ୍ୟ ପୂଜା, ଓଡ଼ିଶା, ଭୁବନେଶ୍ୱର’ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବକ୍ତାମାନେ ଏହି ମତ ବ୍ୟକ୍ତ କରିଛନ୍ତି।
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ବରାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ତଥା ସମାଜସେବୀ ଶ୍ରୀ ସୁକାନ୍ତ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ବିଭିନ୍ନ ଉଦାହରଣ ମାଧ୍ୟମରେ ଜୀବନରେ ଆଧ୍ୟାତ୍ମିକତାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ।

‘ପୂଜ୍ୟ ପୂଜା, ଓଡ଼ିଶା’ର ସମ୍ପାଦକ ତଥା ବିଶିଷ୍ଟ ସାରସ୍ୱତ ସଂଗଠକ ଶ୍ରୀ ରମାକାନ୍ତ ମିଶ୍ର ବକ୍ତା ଓ ଆଲୋଚକ ଭାବରେ ଯୋଗ ଦେଇ କହିଥିଲେ ଯେ, ‘ପୂଜ୍ୟ ପୂଜା’ ହେଉଛି ଆମ ପରମ୍ପରାରେ ଏକ ଗଭୀର ସଂସ୍କୃତି। ଏଥିପାଇଁ ଆମ ଶାସ୍ତ୍ରଗୁଡ଼ିକ ବାପା-ମାଆ, ଗୁରୁ ଏବଂ ଅତିଥିଙ୍କୁ ଭଗବାନ ଭାବରେ ଗ୍ରହଣ କରିବାକୁ ଶିକ୍ଷା ଦିଏ।
ଶ୍ରୀ ମିଶ୍ର ଏହି ଅବସରରେ ଓଡ଼ିଶାର ବରପୁତ୍ର ଯଥା: ଆଦିକବି ସାରଳା ଦାସ, ଜଗନ୍ନାଥ ଦାସ, ସ୍ୱଭାବକବି ଗଙ୍ଗାଧର, ଉତ୍କଳମଣି ଗୋପବନ୍ଧୁ ଦାସ, ଏବଂ ମଧୁ ବାବୁଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରିଥିଲେ। ସେ ଛାତ୍ରଛାତ୍ରୀ ତଥା ଉପସ୍ଥିତ ସମସ୍ତଙ୍କୁ ସେହି ମହାପୁରୁଷମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ।
-
କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ବରାଳ ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ।
-
ସଭାଗୃହରେ ମହାତ୍ମା ଗାନ୍ଧୀ ଏବଂ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ଘ୍ୟ ପ୍ରଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।
-
କାର୍ଯ୍ୟକ୍ରମରେ ଭାଗବତ ଓ ଗୀତା ଉପରେ ଆଲୋଚନା କରାଯିବା ସହ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
-
ଶେଷରେ ଇଂ. ଅମ୍ବର କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ତଥା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଓ ନୈତିକ ମୂଲ୍ୟବୋଧ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

