Img 20251120 wa0259

ଦ୍ଵିତୀୟ ଶ୍ରୀକ୍ଷେତ୍ରରେ ଦେବଦୀପାବଳି ପାଳନ 

ରାଜ୍ୟ
ବାରିପଦା: ପବିତ୍ର ମହୋଦଧି ଅମାବାସ୍ୟା ତିଥିରେ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆମେ ମୟୂରଭଂଜିଆ ପକ୍ଷରୁ ପବିତ୍ର ଦେବ ଦୀପାବଳୀ ନୀତି ପାଳିତ ହୋଇଛି l ପୁରୀ ଶ୍ରୀମନ୍ଦିର ରେ ଏହି ନୀତି ବେଶ ଧୁମ ଧାମ ରେ ପାଳିତ ହେଉଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ଲାଗି ବାରିପଦା ବଡ଼ ଜଗନ୍ନାଥ  ( ଶ୍ରୀ ଶ୍ରୀ ହରି ବଳଦେବ ଜୀଉ ବିଜେ)ମନ୍ଦିର ରେ ଅଗଣିତ ଭକ୍ତ ଏକଜୁଟ ହୋଇ ଦେବଦୀପାବଳି ପାଳନ କରିଥିଲେ। ମହାପ୍ରଭୁଙ୍କ ସନ୍ଧ୍ୟା ଆରତୀ ପରେ ପୂଜାଅର୍ଚ୍ଚନା କରାଯାଇ ମନ୍ଦିର ବାହାରେ ଅରୁଣ ସ୍ତମ୍ଭ ଓ ଗରୁଡ଼ ସ୍ତମ୍ଭ ନିକଟରେ ଦୀପ ଜାଳିବା ସହ ମନ୍ଦିର ପ୍ରାଙ୍ଗଣରେ ଥିବା ଭାଗବତ ମଣ୍ଡପରେ ରଙ୍ଗୋଲିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଚିତ୍ର ଅଙ୍କନ ସହିତ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ କରା ଯାଇ ଥିଲା l ମୃଦଙ୍ଗ ଗିନି, ଝାଞ୍ଜ,  କରତାଳି ତାଳେ ତାଳେ ହୁଳହୁଳି ଓ ହରିବୋଲରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠି ଥିଲା l ଶ୍ରଦ୍ଧାଳୁଙ୍କ ଜୟ ଜଗନ୍ନାଥ ଧ୍ଵନି ଏହି ଆଧ୍ୟାତ୍ମିକ ପରିବେଶକୁ ଆହୁରି ରୁଦ୍ଧିମନ୍ତ କରିଥିଲା l
ସୂଚନା ଯୋଗ୍ୟ, ତିନି ଦିନ ଧରି ପାଳିତ ହେଉଥିବା ଦେବ ଦୀପାବଳୀ ଉତ୍ସବ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ଠାରୁ ଆରମ୍ଭ ହୋଇ ପ୍ରତିପଦା ତିଥିରେ ସମାପ୍ତ ହେବ। ଏହି କ୍ରମରେ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁ ଅଦିତି ଓ କାଶ୍ୟପ ଙ୍କ ଉଦ୍ଦେଶ୍ୟରେ ଅମାବାସ୍ୟା ତିଥିରେ  ମହାପ୍ରଭୁ ଜଗନ୍ନାଥ ତ୍ରେତୟା ଯୁଗର ନିଜ ପିତା ଦଶରଥ ଓ ମାତା କୌଶଲ୍ୟା ଙ୍କ ଉଦ୍ଦେଶ୍ୟରେ ଦୀପ ଦାନ ସହ ଶ୍ରାଦ୍ଧ ଦିଅନ୍ତି। ସେହି ପରି  ପ୍ରତିପଦା ତିଥିରେ ଶୁକ୍ରବାର ମହାପ୍ରଭୁ ଦ୍ୱାପର ଯୁଗର ପିତା ମାତା ଦେବକୀ, ବାସୁଦେବ, ନନ୍ଦ, ଯଶୋଦା, ମହାରାଜା ଇନ୍ଦ୍ରଦ୍ୟୁମ୍ନ, ଏବଂ ଗୁଣ୍ଡିଚା ରାଣୀ ଙ୍କୁ ଶ୍ରାଦ୍ଧ ଅର୍ଘ୍ୟ ପ୍ରଦାନ କରିବେ। ଏହି ସମୟରେ
ଶ୍ଵେତ ବସ୍ତ୍ର ପରିଧାନ ପୂର୍ବକ ମହାପ୍ରଭୁ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରିବା ପରେ ସେହି ବେଶ ରେ ହିଁ ଭକ୍ତଗଣ ଙ୍କୁ ଦର୍ଶନ ଦେଇଥାନ୍ତି।
ଏହି ପବିତ୍ର ଉତ୍ସବକୁ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ଠାରେ ପ୍ରଥମ ଥର ପାଇଁ ଆମେ ମୟୂରଭଞ୍ଜିଆ ପକ୍ଷରୁ ପାଳନ କରି ସାରା ବିଶ୍ୱ ବ୍ରହ୍ମାଣ୍ଡ ର ମଙ୍ଗଳ କାମନା କରା ଯାଇଛି l ଘରେ ଘରେ ଘିଅ ଦୀପ ଜାଳିବା ସହ ମନ୍ଦିର ଗୁଡିକରେ ଘିଅ ଦୀପ ଜାଳି ଏହି ଉତ୍ସବକୁ ଅଧିକ ରୁ ଅଧିକ ସାର୍ବଜନୀନ କରାଯାଇଛି l ଏଠାରେ ସୂଚନା ଯୋଗ୍ୟ ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ସେବକ ସୁନାରାମ ସିଂଙ୍କ ପ୍ରସ୍ତାବକୁ ପାଳନ କରିବାକୁ ସଂସ୍କାର ଶିଶୁ ମହୋତ୍ସବ ମୟୂରୀର ଉଦଯାପନୀ ଦିବସରେ ଆମେ ମୟୂରଭଞ୍ଜିଆର ଅଧ୍ୟକ୍ଷ ସଞ୍ଜୟ କୁମାର ଚୌଧୁରୀ ନିଜର ସମ୍ମତି ପ୍ରଦାନ କରିଥିବା ବେଳେ  ତାଙ୍କ ଆହ୍ୱାନରେ ପ୍ରଥମ ଥର ପାଇଁ ଏହି ଦୀପ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅବସର ପ୍ରାପ୍ତା ଅଧ୍ୟକ୍ଷା ତଥା ମୟୂରୀ ର କାର୍ଯ୍ୟକାରୀ ଅଧ୍ୟକ୍ଷା ଡଃ ବନଜା ମହାନ୍ତି, ଶିକ୍ଷାବିତ୍ ଦେବଜିତ ପୃଷ୍ଟି, ଶିକ୍ଷାବିତ ପୂର୍ଣ୍ଣିମା ପଣ୍ଡା, ଶିକ୍ଷାବିତ୍ ବୈଜୟନ୍ତୀମାଲା ପାଲ, ଶିକ୍ଷାବିତ୍ କମଳ ଲୋଚନ ମହାକୁଡ, କବି ସୁଧାମୟୀ ଦାସ, ଚିତ୍ର ଶିଳ୍ପୀ ପ୍ରଣତି ପଟ୍ଟନାୟକ, ଚିତ୍ର ଶିଳ୍ପୀ ନିବେଦିତା ମହାନ୍ତ,ମହାପ୍ରଭୁ ଙ୍କ ସେବିକା ଶିବାନୀ କାନୁନ ଗୋ, ଅଲିଭା ସାହୁ, ଜୟଜିତ ପୃଷ୍ଟି, ଚିନ୍ମୟ ଷଡ଼ଙ୍ଗୀଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ଆଗାମୀ ବର୍ଷ ଗୁଡିକ ରେ ଏହି ମହାନ ପରମ୍ପରା କୁ ପ୍ରତିଟି ଓଡ଼ିଆ ଘରେ ପହଞ୍ଚାଇବାକୁ ସଂକଳ୍ପ ନିଆ ଯାଇଛି l
Shrutilipi ad