Img 20251120 wa0009

ଭୁବନେଶ୍ୱର ରେଡକ୍ରସ ବ୍ଲଡ ବ୍ୟାଙ୍କ ରେ ଯୋଗ୍ୟ ଡାଇରେକ୍ଟର/ମେଡିକାଲ୍ ଅଫିସର ନିଯୁକ୍ତି ଦାବି

ରାଜ୍ୟ
  • ରାଜ୍ୟ ଶାଖାର ସଚିବଙ୍କୁ “ଓଡ଼ିଶା ରକ୍ତଦାତା ମହାସଂଘ” ପକ୍ଷରୁ ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ୱର: ଆଜି ଓଡ଼ିଶା ରକ୍ତଦାତା ମହାସଂଘର ଏକ ପ୍ରତିନିଧି ଦଳ ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ସଚିବ ଶ୍ରୀ ଗଣେଶ ପାତ୍ରଙ୍କୁ ଭେଟି ରାଜଧାନୀ ସ୍ଥିତ ରେଡକ୍ରସ ବ୍ଲଡ ବ୍ୟାଙ୍କର ଇନଚାର୍ଜ ଶ୍ରୀ ଅଶୋକ ମହାନ୍ତି (ଯିଏ ଡାକ୍ତରୀ ପୃଷ୍ଠଭୂମି ବିହୀନ)ଙ୍କୁ ତୁରନ୍ତ ହଟାଇ ପୂର୍ଣ୍ଣକାଳୀନ ଯୋଗ୍ୟ ବ୍ଲଡ ବ୍ୟାଙ୍କ ଡାଇରେକ୍ଟର/ମେଡିକାଲ୍ ଅଫିସର ନିଯୁକ୍ତି ଦାବିରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ମହାସଂଘର ସଭାପତି ଶ୍ରୀ ଅକ୍ଷୟ କୁମାର ରାଉତ, ସମ୍ପାଦକ ଶ୍ରୀ ତ୍ରିଲୋଚନ ଦାଶ ଏବଂ ରାଜ୍ୟ ସଂଯୋଜକ ଶ୍ରୀ ସନ୍ତୋଷ କୁମାର ମହାନ୍ତିଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ଦଳ କହିଛନ୍ତି ଯେ, ରାଜ୍ୟର ସବୁଠାରୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ବ୍ଲଡ ବ୍ୟାଙ୍କଟି ଜଣେ ଅଣ-ଡାକ୍ତରୀ ଅଧିକାରୀଙ୍କ ହାତରେ ରହିଥିବାରୁ ବ୍ଲଡ ବ୍ୟାଙ୍କ ପରିଚାଳନା, କମ୍ପୋନେଣ୍ଟ ବିଭାଜନ ଓ ରୋଗୀମାନଙ୍କୁ ରକ୍ତ ଯୋଗାଇଦେବାରେ ବିପୁଳ ଅସୁବିଧା ସୃଷ୍ଟି ହେଉଛି।

“କ୍ୟାମ୍ପରୁ ସଂଗୃହୀତ ରକ୍ତରୁ ଶତପ୍ରତିଶତ କମ୍ପୋନେଣ୍ଟ (ପ୍ଲାଟେଲେଟ୍, ପ୍ଲାଜ୍ମା ଆଦି) ପ୍ରସ୍ତୁତ ହେଉନାହିଁ। ଫଳରେ ରକ୍ତର ଅପଚୟ ହେଉଛି ଏବଂ ଜରୁରୀ ସମୟରେ ରୋଗୀମାନେ କମ୍ପୋନେଣ୍ଟ ପାଇପାରୁ ନାହାନ୍ତି। ଏହା ରୋଗୀଙ୍କ ଜୀବନ ପାଇଁ ବିପଦ ଡାକୁଛି,” ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି।

ମହାସଂଘର ମୁଖ୍ୟ ଦାବିଗୁଡ଼ିକ

1. ଶ୍ରୀ ଅଶୋକ ମହାନ୍ତିଙ୍କୁ ବ୍ଲଡ ବ୍ୟାଙ୍କ ଦାୟିତ୍ୱରୁ ତୁରନ୍ତ ହଟାଇବା।
2. ପୂର୍ଣ୍ଣକାଳୀନ ଯୋଗ୍ୟ ବ୍ଲଡ ବ୍ୟାଙ୍କ ଡାଇରେକ୍ଟର/ମେଡିକାଲ୍ ଅଫିସରଙ୍କୁ ନିଯୁକ୍ତି ଦେବା।
3. କ୍ୟାମ୍ପରୁ ସଂଗୃହୀତ ରକ୍ତର ୧୦୦% କମ୍ପୋନେଣ୍ଟ ବିଭାଜନ।
4. Drugs & Cosmetics Act ଓ NBTC/NACO ନିର୍ଦ୍ଦେଶାବଳୀର କଡ଼ା ପାଳନ।

ସଚିବ ଶ୍ରୀ ତ୍ରିଲୋଚନ ଦାଶ କହିଛନ୍ତି, “ପ୍ରଶାସନିକ ଉଦାସୀନତା ଯୋଗୁଁ ଓଡ଼ିଶାର ଲୋକଙ୍କୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡ଼ୁଛି। ଏହା ଆଉ ବରଦାସ୍ତ କରାଯିବ ନାହିଁ।”

ଯଦି ୧୫ ଦିନ ମଧ୍ୟରେ ଦାବି ପୂରଣ ନହୁଏ, ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ମହାସଂଘ ସଭାପତି ଅକ୍ଷୟ କୁମାର ରାଉତ ଚେତାବନୀ ଦେଇଛନ୍ତି।

ରେଡକ୍ରସ ସଚିବ ଶ୍ରୀ ଗଣେଶ ପାତ୍ର ପ୍ରତିନିଧି ଦଳଙ୍କୁ ଦାବି ଉପରେ ସକାରାତ୍ମକ ଭାବେ ବିଚାର କରାଯିବ ବୋଲି ଆଶ୍ୱାସନ ଦେଇଛନ୍ତି।

Shrutilipi ad