Photo for the news of pariba

ମାର୍ଗଶିରରେ ବି ପରିବା ଦର ଆକାଶ ଛୁଆଁ, ପାଳଙ୍ଗ ୧୬୦ କୁ କୋଶଳା ୮୦

ରାଜ୍ୟ

ଆଗରପଡ଼ା:କାର୍ତ୍ତିକ ମାସ ସରିଲା ଏବେ ମାର୍ଗଶିର ମାସ କିନ୍ତୁ ପରିବା ଦର କମିବାର ନା ଧରୁନି । ହୁତୁ ହୁତୁ ହୋଇ ବଢିଚାଲିଛି ପରିବା ଦର । ତ୍ତକାର୍ତ୍ତିକ ମାସରେ ପରିବା ଦରରେ ନିଆଁ ଉପର ମୁହାଁ ହୋଇଥିବା ବେଳେ ମାର୍ଗଶିରରେ ପନିପରିବା ଅଛୁଆଁ ହୋଇଯାଇଥିବା ପରି ଲାଗୁଛି । ଶାଗ ସମସ୍ତଙ୍କ ପ୍ରିୟ ହୋଇଥିବା ବେଳେ ବର୍ତ୍ତମାନ ପାଳଙ୍ଗ ୧୬୦ ରେ ବିକ୍ରୀ ହେଉଥିବା ବେଳେ କୋଶଳା ୮୦ ଓ କଳମ ୫୦ଟଙ୍କାରେ ପହଂଚିଲାଣି । ଆଗରୁ ଏହାର ଦରରେ ଆହୁରୀ ବୃଦ୍ଧି ହେବାର ସୂଚନା ମିଳୁଛି । ଅପରପକ୍ଷରେ ଯେଉଁ ପରିବାକୁ ଧରିଲେ କିଲୋ ପିଛା ଦାମ୬୦ରୁ ୭୦ଟଙ୍କା ଉପରେ । କିଛି ୮୦ ତ ଆଉ କିଛି ୧୦୦ ଛୁଇଁ ସାରିଲାଣି । ଆଗରପଡ଼ା ଓ ବନ୍ତ ସ୍ଥିତ ବିଭିନ୍ନ ହାଟରେ ଭଲ ବିଲାତି(ଟମାଟୋ)କିଲୋ ପିଛା ମୂଲ୍ୟ ୬୦ଟଙ୍କା ଥିବା ବେଳେ ବାଇଗଣ କିଲୋ ପିଛା ମୂଲ୍ୟ ୮୦ଟଙ୍କାରେ ବିକ୍ରି ହେଉଛି । କଂଚାଲଙ୍କା, ପୋଟଳ, ଜହ୍ନି, କଲରା, ବିନ୍ସ, ଝୁଡ଼ୁଙ୍ଗ, କ୍ୟାପସିକମ୍‌,ଖମ୍ବଆଳୁ ଆଦିର ଦର ମଧ୍ୟ କହିଲେ ନସରେ । ହାଟକୁ ଟଙ୍କା ୫୦୦ ନେଇକି ଗଲେ ବି ବ୍ୟାଗ୍ ପୁରୁନି । କେତେକଙ୍କ ଘରେ ତ ପନିପରିବା ଶୂନ୍ୟ ହୋଇଗଲାଣି । ଏପରି ଦରରେ ଖାଉଟି ଖାଇବ କ’ଣ ବୋଲି ଚିନ୍ତିତ ହୋଇପଡ଼ିଛି । ବ୍ଲକ ଅଧିନରେ ଥିବା ୧୮ହଜାର ୮ଶହ ୬୫ହେକ୍ଟର ଚାଷଜମି ଥିବାରୁ ଏଥିରେ ଧାନ ଚାଷ କରାଯାଇଥିଲେ ମଧ୍ୟ ବିଭିନ୍ନ ପଂଚାୟତରେ ଏକ ହଜାରରୁ ଉର୍ଦ୍ଧ ଜମିରେ ବିଭିନ୍ନ ଡ଼ାଲିଜାତୀୟ ଫସଲ ସହ ବିଭିନ୍ନ ପ୍ରକାରର ପନିପରିବା ଚାଷ କରାଯାଏ । ପରିବା ଚାଷ ପାଇଁ ଏହି ଅଂଚଳ ବେଶ ପରିଚିତ ହୋଇଛି । ତନ୍ମଧ୍ୟରୁ ଛୟାଳସିଂହ, କାଦବରାଙ୍ଗ, ଓଡଙ୍ଗ,ଅଣିଜୋ,ଗୋପିନାଥପୁର, ବଡ଼ମଇଁଷଗୋଠ, ବଡ଼ବଚ୍ଚିକୟାଁ, ରାମପୁର ଓ ନିଳୋକ ସହ ଅନ୍ୟାନ୍ୟ ପଂଚାୟତରେ ଧାନ ଚାଷ ପରେ ରବି ଋତୁରେ ଡ଼ାଲିଜାତୀୟ ଶଷ୍ୟ ସହ ବିଭିନ୍ନ ପନି ପରିବା ଭେଣ୍ଡି, କଲରା, ବିଲାତି, ବାଇଗଣ, ଜହ୍ନି, କାକୁଡ଼ି, ଲଙ୍କା,ମକା ,ବେଇତି କଖାରୁ ସହ ଅନ୍ୟାନ୍ୟ ପନିପରିବା ଚାଷ କରାଯାଏ । ଏହି ପଂଚାୟତରେ ଚାଷୀ ଦୀର୍ଘବର୍ଷ ଧରି ଏହାକୁ ନିଜର ଜୀବନ ଆଉ ଜୀବିକା ଭାବେ ଗ୍ରହଣ କରି ନିଜର ଗୁଜୁରାଣ ମେଣ୍ଟାଇବା ସହ ଉକ୍ତ ଅଂଚଳଳକୁ ସବୁଜ ପନିପରିବା ଯୋଗାଇଥାନ୍ତି । ଅପରପକ୍ଷରେ ଉକ୍ତ ଅଂଚଳରେ ପରିବା ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ନଥିବାରୁ ଉଭୟ ଚାଷୀ ଓ ଖାଉଟି କ୍ଷତିରେ ପଡ଼ୁଥିବା ଜଣାପଡ଼ିଛି । ପରିବା ଉତ୍ପାଦନ ସମୟରେ ଦର ବହୁ କମିଯାଉଥିବାରୁ ଚାଷୀ କ୍ଷତିରେ ପଡ଼ୁଛନ୍ତି । ସେହିପରି ଅନ୍ୟ ଦିନରେ ପରିବା ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିବାରୁ ପରିବା ଦର ଆକାଶଛୁଆଁ ହେବାରୁ ଖାଉଟି ଚିନ୍ତାରେ ପଡ଼ୁଛନ୍ତି । ତେଣୁ ଶୀତଳଭଣ୍ଡାର ନିର୍ମାଣ ହୋଇପାରିଲେ ପରିବା ଉତ୍ପାଦନ ସମୟରେ ତାହାକୁ ସଂରକ୍ଷଣ କରାଯାଇ ଅନ୍ୟ ଦିନରେ ଚାହିଦା ମେଣ୍ଟାଇ ହୁଅନ୍ତା ଓ ଏହାଦ୍ୱାରା ଉଭୟ ଚାଷୀ ଓ ଖାଉଟି ଲାଭବାନ ହୁଅନ୍ତେ । ତେଣୁ ସରକାର ଶୀତଳଭଣ୍ଡାର ନିର୍ମାଣ ନିମନ୍ତେ ତତ୍ପରତା ପ୍ରକାଶ କରିବା ଆବଶ୍ୟକତା ରହିଥିବାର ଚର୍ଚ୍ଚା ହେଉଛି ।
ସେମାନେ ଯାହା କହନ୍ତି…
୦୧.ପନିପରିବା ଦରକୁ ନିୟନ୍ତଣ କରିବା ପରି ସେମିତି କୌଣସି ଯୋଜନା ନାହିଁ । ଚଳନ୍ତି ମାସରେ ପାଳଙ୍ଗ ଶାଗର ଚାହିଦା ବୃଦ୍ଧି ପାଇଥାଏ । ତେଣୁ ଚାହିଦାକୁ ଦେଖି ଚାଷୀ ଏହାକୁ ବହୁଳ ମାତ୍ରାରେ ଚାଷ କରିଥାଏ । ତେଣୁ ତାର ମୂଲ୍ୟ ବୃଦ୍ଧି ପାଇବା ସ୍ୱାଭାବିକ । ପାଳଙ୍ଗ ସହିତ ଗେଣ୍ଡୁ ଫୁଲର ଦର ମଧ୍ୟ ବୃଦ୍ଧି ପାଇଥାଏ । ଅପର ପକ୍ଷରେ ଚାଷ ଜମିକୁ ଘରଡ଼ିହରେ ପରିବର୍ତ୍ତନ କରାଯାଉଥିବାରୁ ଚାଷ ଜମିର ସଂଖ୍ୟା କମିବାରେ ଲାଗିଛି । ଯାହା ଫଳରେ ପନିପରିବା ଦରରେ ପରିବର୍ତ୍ତନ ଆସୁଛି । (ପାୟଲ ଚୌଧୁରୀ,ସହକାରୀ ଉଦ୍ୟାନକୃଷି ଅଧିକାରୀ,ବନ୍ତ)
୦୨.ବ୍ଳକ କିମ୍ବା ପଂଚାୟତ ସ୍ତରରେ କୌଣସି ଶୀତଳଭଣ୍ଡାର ନଥିବାରୁ ଚାଷୀ ଚାଷ କରୁଥିବା ପନିପରିବାକୁ ସଂଗୃହିତ କରି ରଖିପାରୁନାହିଁ । ତେଣୁ ଉତ୍ପାଦନ ସମୟରେ ବହୁ କମ୍ ଦରରେ ବେପାରୀଙ୍କୁ ବିକ୍ରୀ କରିବାକୁ ବାଧ୍ୟ ହେଉଛି । ଅପରପକ୍ଷରେ ସରକାରଙ୍କ ତରଫରୁ ପନିପରିବା ଚାଷରେ ବ୍ୟବହୃତ ସାର କିମ୍ବା କିଟନାଶକ ଯଦି ମାଗଣାରେ ଯୋଗାଇ ଦିଆ ଯାଇପାରନ୍ତା ବା କୌଣସି ରିହାତିର ବ୍ୟବସ୍ଥା କରାଯାଇପାରନ୍ତା ତେବେ ଚାଷୀ ଉପକୃତ ହୋଇପାରନ୍ତା । ଏବଂ ପନିପରିବା ଦରରେ କିଛି ପରିବର୍ତ୍ତନ ହୋଇପାରନ୍ତା । (ମନୋଜ ବେହେରା,ସଫଳ ଚାଷୀ,ଆଗରପଡ଼ା)
୦୩.ପରିବାଦରର ବର୍ଦ୍ଧିତ ମୂଲ୍ୟ ମଧ୍ୟବିତ ପରିବାରକୁ ବହୁ କଷ୍ଟ ଦେଉଛି । ରୋଜଗାର ତୁଳନାରେ ଖର୍ଚ୍ଚର ମାତ୍ରା ବଡିବାରେ ଲାଗିଥିବାରୁ ପରିବାର ପ୍ରତିପୋଷଶରେ ବହୁ କଷ୍ଟ ଅନୁଭବ ହେଉଛି । ସରକାର ଏହାକୁ ଗଭୀରତାର ସହ ବିଚାରକୁ ନେଇ ବ୍ଲକ କିମ୍ବା ପଂଚାୟତସ୍ତରରେ ଶୀତଳଭଣ୍ଡାର ସ୍ଥାପନ କରିବାର ଯୋଜନାକରିବା ଆବଶ୍ୟକ । (ସତ୍ୟବ୍ରତ ନାୟକ,ଖାଉଟି,ଆଗରପଡ଼ା)

 

Shrutilipi ad