- ବଜୁରି ଓ ମେଣ୍ଟାଲ ବିଛା ରାସ୍ତାରେ ଦହଗଞ୍ଜ ବାଟୋଇ
ଆଗରପଡ଼ା:ଉଚ୍ଛେଦ ପ୍ରକ୍ରିୟାରେ ବିଳମ୍ବ ଘଟୁଥିବାରୁ ବନ୍ତ ବ୍ଳକ ଅନ୍ତର୍ଗତ ବିଭିନ୍ନ ପଂଚାୟତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣରେ ବିଳମ୍ବ ଘଟୁଥିବା ଜଣାପଡ଼ିଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଲକ ଛୟାଳସିଂ ପଂଚାୟତ ମଙ୍ଗୁଲି ଠାରୁ ଗଣିଜାଙ୍ଗ ଭାୟା ଗୋପାଳପୁର,ଆମ୍ବଗଡ଼ିଆ ଯାଇଥିବା ୮.୫୦୦ କିମି ଦୂରତ୍ୱ ବିଶିଷ୍ଟ ରାସ୍ତାର ନିର୍ମାଣ ଠାରେ । ବାରମ୍ବାର ଉକ୍ତ ରାସ୍ତାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଗତ ଅକ୍ଟୋବର ମାସରେ ବିଭାଗ ପକ୍ଷରୁ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ରାସ୍ତା ପ୍ରଶସ୍ତିକରଣ ଯୋଗୁଁ ନିର୍ମାଣରେ ବାଧା ଉପୁଜିଥିଲା । ପରେ ପ୍ରଶାସନ ପକ୍ଷରୁ ସୀମା ଚିହ୍ନଟ କରାଯାଇଥିଲେ ସୁଦ୍ଧା ଉଚ୍ଛେଦ ପ୍ରକ୍ରିୟାରେ ବିଳମ୍ବ ଘଟୁଥିବାରୁ ନିର୍ମାଣ କାର୍ଯ୍ୟ ଆଗେଇ ନପାରି ଅଧପନ୍ତରିଆ ଅବସ୍ଥାରେ ବର୍ଷେ କାଳ ହେବ ପଡ଼ିରହିଥିବା ଜଣାପଡ଼ିଛି । ବଜୁରି ଓ ମେଣ୍ଟାଲ ବିଛା ରାସ୍ତାରେ ଗମନାଗମନରେ ଘୋର ଅସୁବିଧା ସୃଷ୍ଟି ହେଉଛି । ଏଠାରେ ପ୍ରକାଶ ଥାଉକି; ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ମଙ୍ଗୁଲି ଠାରୁ ଗଣିଜାଙ୍ଗ ଭାୟା ଗୋପାଳପୁର,ଆମ୍ବଗଢ଼ିଆ ଯାଇଥିବା ୮.୫୦୦ କିମି ଦୂରତ୍ୱ ବିଶିଷ୍ଟ ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡିବା ସହ ମରଣଯନ୍ତା ପାଲଟିଥିଲା । ରାସ୍ତାରୁ ପିଚୁ ଉଠି ଖାଲଖମାରେ ପରିଣତ ହେବା ଦ୍ୱାରା ଅସରାଏ ବର୍ଷାରେ ରାସ୍ତାରେ ଆଣ୍ଠୁଏ ଲେଖାଏର୍ ପାଣି ଜମି ରହୁଥିଲା । ଫଳରେ ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଠାରୁ ବୃଦ୍ଧ ବୃଦ୍ଧା ମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ରାସ୍ତା ଉକ୍ତ ଅଂଚଳପଳ ପାଇଁ ମୁଖ୍ୟ ରାସ୍ତାଥିବାରୁ ଏହା ସାବିତ୍ରୀ ପୀଠ, ଓଡ଼ଙ୍ଗ, ଆଗରପଡ଼ା, ଟିଲୋ, କାଦବରାଙ୍ଗ ଓ ଅନ୍ୟଏକ ପାଶ୍ୱର୍ ଗୋପାଳପୁର,ଗଣିଜାଙ୍ଗ ଦେଇ ମୁଖ୍ୟ ରାସ୍ତାକୁ ସଂଯୋଗ କରିଛି । ଉକ୍ତ ରାସ୍ତା ବିଭିନ୍ନ ସ୍ଥାନକୁ ସଂଯୋଗ କରିଥିବାରୁ ଓ ଉକ୍ତ ଅଂଚଳର ଚାଷୀମାନେ ବହୁପରିମାଣରେ ପରିବା ଚାଷ କରୁଥିବାରୁ ବିଭିନ୍ନ ଅଂଚଳର ଚାଷୀଙ୍କ ସହ ଜନସାଧାରଣ ମାନେ ସମସ୍ୟାରେ ସମ୍ମୁଖିନ ହେଉଥିଲେ । ଉକ୍ତ ରାସ୍ତା ଦେଇ ମଧ୍ୟ ବହୁସଂଖ୍ୟାରେ ଦୁଇଚକିଆ ଓ ଚାରିଚକିଆ ଯାନବାହାନ ଯାତାୟତ କରିଥାଏ । ଉକ୍ତ ରାସ୍ତା ଦେଇ ଲୋକେ ମୁଖ୍ୟ ରାସ୍ତାରେ ପହଁଚିବା ସହ ଜିଲ୍ଲା ଓ ବ୍ଳକ ସଦର ମହକୁମାକୁ ଯାତାୟତ କରିଥାନ୍ତି । ବର୍ଷା ରୁତୁରେ ପିଲା ମାନେ ବିଦ୍ୟାଳୟ ଯିବା ସହ ଅନ୍ୟାନ୍ୟ ପଥଚାରୀ ସମସ୍ୟାରେ ପଡ଼ୁଥିଲେ । ଜରୁରୀ ସ୍ଥିତିରେ ଦମକଳ କିମ୍ବା ଆମ୍ବୁଲାନ୍ସ ଯାତାୟତରେ ସମସ୍ୟା ସାଜୁଥିଲା । ବର୍ତ୍ତମାନ ଅଧାପନ୍ତରିଆ ଅବସ୍ଥାରେ ଥିବା ରାସ୍ତା ମଧ୍ୟ ଗମନାଗମନରେ ବାଧା ସୃଷ୍ଟି କରୁଛି । ତେଣୁ ସୀମା ଚିହ୍ନଟ ସରିବା ପରେ ପ୍ରଶାସନ ପକ୍ଷରୁ ରାସ୍ତାକୁ ଅବରୋଧ କରି ରହିଥିବା ବ୍ୟକ୍ତିବିଶେଷଙ୍କୁ ନୋଟିସ ଜାରୀ କରାଯାଇଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ରାସ୍ତା ନିର୍ମାଣରେ ବିଳମ୍ବ ହେଉଥିବା ଜଣାପଡ଼ିଛି । ରାସ୍ତା ସମସ୍ୟାକୁ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ପ୍ରଶାସନ(ତହସିଲ)ର ସହଯୋଗ ଯେତେ ଶୀଘ୍ର ମିଳିବ ରାସ୍ତା ନିର୍ମାଣ କାର୍ଯ୍ୟ ସେତେ ଶୀଘ୍ର ଆରମ୍ଭ ହେବାର ସୂଚନା ଦେଇଥିବା ବେଳେ ଛୟାଳସିଂହ ରାଜସ୍ୱ ନିରୀକ୍ଷକଙ୍କୁ ଯୋଗଯୋଗ କରିବାରୁ ଖୁବ୍ ଶୀଘ୍ର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବାର ସୂଚନା ଦେଇଥିଲେ । ତେଣୁ ବିଭାଗୀୟ ଅଧିକାରୀ ଯଥାଶୀଘ୍ର ଉକ୍ତ ରାସ୍ତା ନିର୍ମାଣରେ ଲାଗିରହିଥିବା ସମସ୍ୟାର ସମାଧ।।ନ କରି ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଥିବା ରାସ୍ତାକୁ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହେଊଛି ।

