Img 20251116 wa0314

ବାରିପଦା ଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ -୨୦୨୫ ପାଳିତ

ରାଜ୍ୟ
ବାରିପଦା: ବାରିପଦା ଠାରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭା ଗୃହରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ-୨୦୨୫ ପାଳିତ ହୋଇଛି । ଉକ୍ତ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଦୀପକ କୁମାର ଗୋଛାୟତ ଯୋଗଦେଇ ଥିଲେ।
ପ୍ରାରମ୍ଭରେ  ନିମନ୍ତ୍ରିତ ଅତିଥି ବୃନ୍ଦ ଓ ବର୍ଷୀୟାନ ସାମ୍ୱାଦିକ ରାମ ଚନ୍ଦ୍ର ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣରେ ଭକ୍ତି ପୁଷ୍ପ  ଅର୍ପଣ କରି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ।
ସଭା କାର୍ଯ୍ୟ ଆରମ୍ଭରେ ନିକଟ ଅତୀତରେ ଜିଲ୍ଲାର ୨ଜଣ ସାମ୍ବାଦିକ ଭାଇଙ୍କ ଦେହାନ୍ତ ହୋଇଥିବାରୁ ସେମାନଙ୍କ ଅମର ଆତ୍ମାର ସଦଗତି ଉଦେଶ୍ୟରେ ପ୍ରଭୁଙ୍କ ନିକଟରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରି ଏହି ଦିବସ ପାଳନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ କହିଥିଲେ ଗଣମାଧ୍ୟମ ହେଉଛି ସମାଜର ଦର୍ପଣ, ସମାଜରେ ଘଟୁଥିବା ପ୍ରତ୍ୟେକ ନୀତି-ଅନୀତି, ଉନ୍ନତି-ଅବନତି ଏବଂ ବିଭିନ୍ନ ବିଷୟ ଉପରେ ଦେଖାଯାଉଥିବା ମତ ଓ ଭିନ୍ନମତକୁ ଲୋକଲୋଚନକୁ ଆଣିବା ହେଉଛି ଗଣମାଧ୍ୟମର ଦାୟିତ୍ୱ । ଏହି ଦାୟିତ୍ୱକୁ ଯେଉଁ ଗଣମାଧ୍ୟମ ସଠିକ୍‌ ଭାବେ ତୁଲାଇ ଜନସମାଜର ବିକାଶ ସହିତ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବାରେ ସହାୟକ ହୁଅନ୍ତି, ସେମାନେ ହେଉଛନ୍ତି ବାସ୍ତବରେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ। ନିର୍ଭୀକତା ସହ ନିରପେକ୍ଷ ତଥା ସତ୍ୟନିଷ୍ଠ ସମ୍ବାଦ ପରିବେଷଣ କଲେ ଏହା ଲୋକଙ୍କ ହିତ ସାଧନ କରିଥାଏ।
ସେହିପରି ସମ୍ମାନିତ ଅତିଥି ଶ୍ରୀ ଗୋଛାୟତ ତାଙ୍କ ଅଭିଭାଷଣରେ କହିଥିଲେ ଗଣମାଧ୍ୟମ ହେଉଛି ସୁଦୃଢ ଗଣତନ୍ତ୍ରର ଏକ ଅବିଛେଦ୍ୟ ଅଙ୍ଗ। ବର୍ତ୍ତମାନ ସମୟରେ ବିଭିନ୍ନ ସାମାଜିକ ଗଣମାଧ୍ୟମ ଓ ଡିଜିଟାଲ ଜରିଆରେ ଭ୍ରମାତ୍ମକ ଖବର ସମାଜକୁ କଳୁଷିତ କରୁଛି। ତେଣୁ ଏହାକୁ ସଦା ସର୍ବଦା ପରିହାର କରି ଗଣମାଧ୍ୟମର ପରିଭାଷା କୁ ସୁରକ୍ଷିତ ରଖିବା ଉଚିତ।
ଏହି ଅବସରରେ ଚଳିତ ବର୍ଷ ପାଇଁ ପ୍ରେସ କାଉନ୍ସିଲ ଅଫ ଇଣ୍ଡିଆ ପକ୍ଷରୁ ଦିଆଯାଇଥିବା ବିଷୟ ବସ୍ତୁ “ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ୱସନୀୟତାର ସଂରକ୍ଷଣ” ଉପରେ ଗୋଲୋକ ମହାରଣା, ଅରୁଣ ଓତ୍ତା, ରାମ ଚନ୍ଦ୍ର ଦାସ, କୃଷ୍ଣ    ଚୈତନ୍ୟ  ସଦୁଆଳ, ରମାନାଥ ବାରିକ, ମନୋଜ ପଣ୍ଡା,ତୁଷାର ମହାନ୍ତ, ସୁକୁମାର ରଞ୍ଜନ ପ୍ରଧାନ, ପ୍ରତିମା ବାରିକ ପ୍ରମୁଖ ସାମ୍ବାଦିକ ବୃନ୍ଦ ନିଜ ନିଜ ମତାମତ ରଖିବା ସହ ଜନସାଧାରଣଙ୍କ ଆଗରେ ସତ୍ୟତା ପ୍ରତିପାଦନ କରିବା ହେଉଛି ସାମ୍ବାଦିକତାର ମୂଳମନ୍ତ୍ର ବୋଲି କହିଥିଲେ। ତେଣୁ ସମସ୍ତ ଗଣମାଧ୍ୟମ ପ୍ରତିନିଧି ସାମ୍ବାଦିକତାର ମୂଳମନ୍ତ୍ରକୁ ପାଥେୟ କରି କର୍ତ୍ତବ୍ୟ କରିବା ସହ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଶାସନ ସହିତ ସମନ୍ଵୟ ରଖି କାର୍ଯ୍ୟ କରିବା ଉଭୟଙ୍କ ପାଇଁ ଜରୁରୀ ବୋଲି ଏହି ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଥିଲା ।
ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଆନୁକୁଲ୍ଯରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତର ଗଣମାଧ୍ୟମ ପ୍ରତିନିଧି ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଜାତୀୟ ପ୍ରେସ ଦିବସ ପାଳନର ମୁଖ୍ୟ ଉଦେଶ୍ୟ ବିଷୟରେ ଆଲୋଚନା କରିଥିଲେ ।
ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଉଦଳା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସରୋଜ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜିଲ୍ଲା  ଓ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ   ସହଯୋଗ କରିଥିଲେ ।
Shrutilipi ad