Img 20251115 wa0234

ରାଜ୍ୟସ୍ତରୀୟ ‘ସୁରଭି ୨୦୨୫’ ରେ ଶ୍ରେଷ୍ଠ ସାଂସ୍କୃତିକ ଦଳ ଭାବେ ମୟୂରଭଞ୍ଜ ପୁରସ୍କୃତ

ରାଜ୍ୟ

ବାରିପଦା: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ଦ୍ଵାରା ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଭୁବନେଶର ସ୍ଥିତ କ୍ୟାପିଟାଲ ଉଚ୍ଚ ବିଦ୍ୟାଳୟ, ୟୁନିଟ-୩ ପରିସରରେ ତା୧୨.୧୧.୨୦୨୫ରିଖ ଠାରୁ ତା୧୪.୧୧.୨୦୨୫ରିଖ ପର‌୍ୟ୍ୟନ୍ତ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ୩୧ ଟି ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଏହି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ଅଂଶଗ୍ରହଣ କରିଥିଲେ ।

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭିର ସବୁଠାରୁ ଆକର୍ଷଣୀୟ ସାଂସ୍କୃତିକ ପ୍ରତିଯୋଗିତାରେ ରାଜ୍ୟର ୩୦ ଟି ଜିଲ୍ଲାରୁ ଅଂଶଗ୍ରହଣ କରିଥିବା ଦଳଗତ ନୃତ୍ୟ ମଧ୍ୟରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଇନ୍ଦଖୋଳି, ବହଳଦା ର ଛାତ୍ରଛାତ୍ରୀ ଯଥା ସୁସ୍ମିତା ବିହାରୀ, ସ୍ଵାତି ମହାପାତ୍ର, ପ୍ରିୟା
ମହାପାତ୍ର, ସନାକ୍ଷୀ କେରାଇ, ନିବାଇ ହାଁସଦା, ଗୋପୀନାଥ ମାରଣ୍ଡୀ, ସାବିତ୍ରୀ ମାଝୀ ଦଳଗତ ଭାବେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି । ସେହିପରି ଏକାଦଶ ରୁ ଦ୍ଵାଦଶ ବରିଷ୍ଠ ଉଚ୍ଚ ମାଧ୍ୟମିକ ବର୍ଗର କୁଇଜରେ ସୌରଭ କୁମାର ବେହେରା, ପି ଏସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଡସାହି ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ସମୟରେ ଚତୁର୍ଥରୁ ସପ୍ତମ କନିଷ୍ଠ ବର୍ଗର ଚିତ୍ରାଙ୍କନରେ ଗୌରୀ ବିହାରୀ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଇନ୍ଦଖୋଳି, ବହଳଦା ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲାକୁ ଗୌରବାନ୍ଵିତ କରିଛନ୍ତି ।

ରାଜ୍ୟ ସ୍ତରୀୟ ସୁରଭିକୁ ଅଧକ ଚିତ୍ତାକର୍ଷକ ଓ ଆକର୍ଷଣୀୟ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରୁ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରୀ ମାନଙ୍କୁ ଅଂଶଗ୍ରହଣ କରିବା ପାଇଁ ରାଜ୍ୟ ସ୍ତରରୁ ନିମନ୍ତ୍ରିତ କରାଯାଇଥାଏ । ରାଜ୍ୟସ୍ତରୀୟ ସୁରଭି ୨୦୨୫ ରେ ମୟୂରଭଞ୍ଜ ଜିଲ୍ଲାର
୨୬ ଗୋଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ୫୨ ଜଣ ଛାତ୍ରୀ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆବାସିକ ଛାତ୍ରାବାସ, ପୂର୍ଣ୍ଣଚନ୍ଦ୍ରପୁର, ବାରିପଦା ଓ ବିଶୋଇ ର ୨୦ ଜଣ ଛାତ୍ର ଯୋଗଦାନ କରିଥିଲେ । ଅତିଥିଙ୍କ ସ୍ଵାଗତ ନିମନ୍ତେ ମୟୂରଭଞ୍ଜ ଜିଲ୍ଲା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର
ଛାତ୍ରୀଙ୍କ ଦ୍ଵାରା ପରିବେଷିତ ସାନ୍ତାଳୀ ନୃତ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ ହେବା ସହିତ ଉଚ୍ଚ ପ୍ରଶଂସିତ ହୋଇଥିଲା ।

ଉପରୋକ୍ତ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତି । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଇନ୍ଦଖୋଳି, ବହଳଦା ର ଛାତ୍ରଛାତ୍ରୀମାନେ
ସାଂସ୍କୃତିକ ପ୍ରତିଯୋଗିତାରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଜିଲ୍ଲାରୁ ତଥା ବିଭିନ୍ନ ଅଞ୍ଚଳରୁ ଶୁଭେଚ୍ଛା ମାନ ଜଣାଉଛନ୍ତି ।

Shrutilipi ad