Photo2 for the news of court buliding

ବନ୍ତରେ କୋର୍ଟ ପ୍ରତିଷ୍ଠା ବିଳମ୍ବ ପ୍ରସଙ୍ଗ,ବିଧାନସଭାରେ ବିଧାୟକ ସଂଜୀବଙ୍କ ପ୍ରଶ୍ନକୁ ବର୍ଷେ ପୂରିବ

ରାଜ୍ୟ
  • କୋର୍ଟ ପ୍ରସଙ୍ଗର ଅନ୍ତ ଘଟିବ ନା ଅନ୍ତିମ ହେବ ତାକୁ ନେଇ ଦ୍ୱନ୍ଦ

ଆଗରପଡ଼ା :ନ୍ୟାୟପାଳିକାକୁ ଅଧିକ କ୍ରିୟାଶୀଳ କରାଇବା ଉଦ୍ଦେଶ୍ୟରେ ପ୍ରତି ତହସିଲ ଅଧୀନରେ ଗୋଟିଏ ଲେଖାଏଁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ତଥା କନିଷ୍ଠ ଦେୱାନୀ ଅଦାଲତ ପ୍ରତିଷ୍ଠା କରିବାର ଯୋଜନା ହୋଇଛି । ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରତି ତହସିଲ ଅଧିନରେ ଏପରି କୋର୍ଟ ଖୋଲିଛି । ବନ୍ତ ଏକ ସମସ୍ୟା ବହୁଳ ଅଂଚଳ ହୋଇଥିବାରୁ ଏହାକୁ ଉପଲବ୍ଧି କରି ବନ୍ତ କଲ୍ୟାଣ ମଣ୍ଡପରେ ଅସ୍ଥାୟୀ ଭାବେ କୋର୍ଟକୁ କାର୍ଯ୍ୟକ୍ଷମ କରିବାକୁ ସ୍ଥିର ହୋଇଥିଲା । ସବୁ ପ୍ରକାର ବ୍ୟବସ୍ଥା ହୋଇଥିଲେ ମଧ୍ୟ ବନ୍ତ କୋର୍ଟ ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନି । ୫ବର୍ଷ ହେବ ନିର୍ମାଣ ଶେଷ ହୋଇଥିଲେ ମଧ୍ୟ କୋର୍ଟ କାର୍ଯ୍ୟ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରିନି । ଉକ୍ତ ପ୍ରସଙ୍ଗକୁ ଗତ ଡ଼ିସେମ୍ବର ମାସ ୧୧ତାରିଖରେ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ । ଏହାର କାର୍ଯ୍ୟକ୍ଷମକୁ ନେଇ ସେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ଚାହିଁଥିଲେ । ତାଙ୍କ ପ୍ରଶ୍ନକୁ ଇତି ମଧ୍ୟରେ ଏକ ବର୍ଷ ବିତିବାକୁ ବସିବା ସହ ଆଉ ଏକ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ କୋର୍ଟ ପ୍ରସଙ୍ଗର ଅନ୍ତ ଘଟିବ ନା ଅନ୍ତିମ ହେବ ତାକୁ ନେଇ ଦ୍ୱନ୍ଦରେ ଅଂଚଳବାସୀ । ଏଠାରେ ପ୍ରକାଶ ଥାଉକି;ବନ୍ତ ବ୍ଲକ ୨୦୮ଟି ରେଭିନ୍ୟୁ ଗ୍ରାମ ଓ ୨୫ଟି ପଂଚାୟତର ଦୁଇ ଲକ୍ଷ ବିଶିଷ୍ଟ ଜନସଂଖ୍ୟାକୁ ନେଇ ଗଠିତ । ଏହାର ଗୁରୁତ୍ୱକୁ ନେଇ ଉକ୍ତ ସ୍ଥାନରେ ନ୍ୟାୟାଳୟ ପ୍ରତିଷ୍ଠା ପାଇଁ ଓକିଲ ସଂଘ,ସର୍ବସାଧାରଣ ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦାବିପତ୍ର ପ୍ରଦାନ ପରେ ଜିଲ୍ଲା ଜଜ୍‌ଙ୍କ ପକ୍ଷରୁ ବନ୍ତ କଲ୍ୟାଣ ମଣ୍ଡପକୁ ମରାମତି କରାଯାଇ ସେଥିରେ ଅସ୍ଥାୟୀ କୋର୍ଟ ପ୍ରତିଷ୍ଠା ପାଇଁ ସ୍ଥିର ହୋଇଥିଲା ଏବଂ ଏଥି ବାବଦରେ ୨୫ଲକ୍ଷ ଟଙ୍କା ବ୍ୟୟ ମଧ୍ୟ ହୋଇଥିଲା । ଇତି ମଧ୍ୟରେ ଉକ୍ତ ଗୃହର ସମସ୍ତ କାର୍ଯ୍ୟ ଦୀର୍ଘ ୫ବର୍ଷରୁ ଅଧିକ ହେବ ସମ୍ପନ୍ନ ହୋଇ ରଂଗ ଦିଆସରି ସେଥିରେ ତାଲା ଝୁଲୁଛି । ଅନ୍ୟପକ୍ଷରେ ବରକୋଣା ଖାତା ନଂ ୧୭୨/୧ ଅଧିନ ପ୍ଲଟ ନଂ ୨୨୮/୫୧୯ରକବା ୨ ଏକର ୪୦ ଡ଼ିସିମିଲ ଜମି ଉପରେ ପାଚେରୀ ନିର୍ମିତ ହୋଇଛି । ଏନେଇ ୫୦ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଛି । ସମୁଦାୟ ୭୫ଲକ୍ଷ ଟଙ୍କା ବ୍ୟୟ ବ୍ୟର୍ଥ ହେବାକୁ ବସିଛି । ୨୦୧୭ ମସିହାରେ ବନ୍ତରେ ଏକ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା । ଏହାପରେ ବିଭିନ୍ନ ସମୟରେ ଜିଲ୍ଲା ଜଜଙ୍କଠାରୁ ଆରମ୍ଭ କରି ଉଚ୍ଚନ୍ୟାୟାଳୟ ବିଚାରପତିମାନେ କ୍ଷେତ୍ର ପରିଦର୍ଶନ କରି କୋର୍ଟ ଖୋଲିବା ନିମନ୍ତେ ସୁପାରିଶ କରିଥିଲେ । ଶେଷ ଥର ପାଇଁ ୨୦୨୨ ମସିହା ଅକ୍ଟୋବର ୧ ତାରିଖରେ ଭଦ୍ରକ ଜିଲ୍ଲା ଦୌରାଜଜ ଓ ଜିଲ୍ଲାପାଳ ପ୍ରସ୍ତାବିତ ବନ୍ତ କୋର୍ଟ ଓ ଆବାସିକ ଗୃହ ପରିଦର୍ଶନ କରିଥିଲେ । ବର୍ତ୍ତମାନ ପ୍ରସ୍ତାବିତ କୋର୍ଟ ବିଜୁ କଲ୍ୟାଣ ମଣ୍ଡପ ପରିସର ବିଭିନ୍ନ ଲତା ଗୁଳ୍ୱରେ ଭର୍ତ୍ତି ହୋଇ ଜଙ୍ଗଲର ଭ୍ରମ ସୃଷ୍ଟି କରିବା ସହ ଅସ୍ୱାସ୍ଥ୍ୟକର ପରିବେଶରେ ପରିଣତ ହେଲାଣି । ସେହିପରି ଆବାସିକ ଗୃହ ନିର୍ମାଣ ସ୍ଥାନ ମଧ୍ୟ ସମଦଶା ଭୋଗିଲାଣି । ଇତି ମଧ୍ୟରେ ୯ବର୍ଷ ପୂରିବାକୁ ବସିଲାଣି କିନ୍ତୁ କୋର୍ଟ ପ୍ରତିଷ୍ଠା ପ୍ରସଙ୍ଗ ପ୍ରସଙ୍ଗରେ ରହିଯାଇଛି । ତେଣୁ କୋର୍ଟ ପ୍ରତିଷ୍ଠା ପ୍ରସଙ୍ଗର ଅନ୍ତ ଘଟିବ ନା ଅନ୍ତିମ ହେବ ତାକୁ ନେଇ ଦ୍ୱନ୍ଦରେ ବନ୍ତ ବ୍ଳକ ବାସୀନ୍ଦା ରହିଯାଇଛନ୍ତି । ତେଣୁ ଆଗାମୀ ଶୀତକାଳୀନ ଅଧିବେଶନରେ ସରକାର ଉକ୍ତ ପ୍ରସଙ୍ଗରେ ବିଧାୟକଙ୍କ ପ୍ରଶ୍ନର ଉତ୍ତରଖି ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଚେଷ୍ଟିତ ହେବାକୁ ପଂଚାୟତବାସୀଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

Shrutilipi ad