ଆଗରପଡ଼ା :୨୦୧୫ ମସିହାରେ ଗ୍ରାମାଂଚଳର ବିକାଶ ସକାଶେ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିଲେ ସାଂସଦଙ୍କ ପୋଷ୍ୟଗ୍ରାମ ଗ୍ରହଣ ଯୋଜନା । ଦେଶର ସାଂସଦଙ୍କୁ ପର୍ଯ୍ୟୟ କ୍ରମେ ନିଜ ଅଂଚଳରେ ଥିବା ଗୋଟିଏ ଗୋଟିଏ ପଂଚାୟତକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରି ଏହାର ସାମଗ୍ରୀକ ବିକାଶ ପ୍ରତି ଧ୍ୟାନ ଦେବାକୁ କୁହାଯାଇଥିଲା । ପ୍ରାଧାନମନ୍ତ୍ରୀଙ୍କ ଏହି ଘୋଷଣାକୁ ଆଧାରକରି ତତ୍କାଳୀନ ଭଦ୍ରକ ସାଂସଦ ସ୍ୱର୍ଗତ ଅର୍ଜ୍ଜୁନ ଚରଣ ସେଠୀ ବନ୍ତ ବ୍ଲକ ପୁରୁଷଣ୍ଢ ପଂଚାୟତକୁ ପ୍ରଥମ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରିଥିଲେ । ଗ୍ରାମର ବିକାଶ ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରି ନିଜ ହାତ ପାଣ୍ଠିରୁ ଅର୍ଥ ମଧ୍ୟ ମଂଜୁର କରିଥିଲେ । ଉକ୍ତ ଯୋଜନା ମଧ୍ୟରୁ ପୋଷ୍ୟଗ୍ରାମ ଆଲୋକୀକରଣ ଯୋଜନା ଅନ୍ୟତମ । ୨୦୧୬ ଡ଼ିସେମ୍ବର ୨୧ ତାରିଖରେ ସାଂସଦଙ୍କ ହାତ ପାଣ୍ଠି ଅର୍ଥରେ ଲୋକାର୍ପିତ ହୋଇଥିଲା ପୋଷ୍ୟଗ୍ରାମ ଆଲୋକୀକରଣ ଯୋଜନା । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୯୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୫୩ ଗୋଟି ଆଲୋକ ସ୍ତମ୍ଭ ଲୋକାର୍ପଣ କରାଯାଇଥିଲା । ଇତି ମଧ୍ୟରେ ଉକ୍ତ ଯୋଜନାକୁ ୯ବର୍ଷ ପୂରିବ । ତେବେ ରକ୍ଷଣାବେକ୍ଷଣ ଅଭାବରୁ ଧୀରେ ଧୀରେ କିଛି ସ୍ତମ୍ଭକୁ ଛାଡ଼ି ଦେଲେ ଆଉ ସବୁ ସ୍ତମ୍ଭ ଅକାମି ହୋଇ ପଡ଼ିଥିଲା । ଅନ୍ଧାରରେ ବୁଡ଼ି ରହିଥିବା ସାଂସଦଙ୍କ ପୋଷ୍ୟଗ୍ରାମ ପୁରୁଷଣ୍ଢ ଆଲୋକ ଖୋଜିବାରେ ଲାଗିଥିବାବେଳେ ତତ୍କାଳୀନ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଚେଷ୍ଟାରେ ତାଙ୍କ ନିଜସ୍ୱ ପାଣ୍ଠିରୁ ୨୦୨୧-୨୦୨୨ ଆର୍ôଥକ ବର୍ଷରେ ମହତାବ ଛକ ଠାରୁ କୁପାରୀ ରାସ୍ତା ପର୍ଯ୍ୟନ୍ତ ୬ଲକ୍ଷ,ସିଟି ସ୍କୁଲ ଠାରୁ କେସିଭିଏମ ହାଇସ୍କୁଲ ପର୍ଯ୍ୟନ୍ତ ସାଢେ ୬ଲକ୍ଷ ଓ କେସିଭିଏମ ହାଇସ୍କୁଲ ଠାରୁ କୁପାରୀ ଛକ ପର୍ଯ୍ୟନ୍ତ ସାଢେ ୬ ଲକ୍ଷ ଟଙ୍କା ଏହିପରି ୧୯ଲକ୍ଷ ଟଙ୍କା ଖର୍ଚ୍ଚରେ ଆଲୋକୀକରଣର ବ୍ୟବସ୍ଥା କରାଯାଇଥିଲା । ୨୦୨୩ ଜାନୁଆରୀ ୧୭ ତାରିଖରେ ଏହାର ଶୁଭାରମ୍ଭ ବିଧାୟକଙ୍କ ଉପସ୍ଥିତିରେ ହୋଇଥିଲା । ଉକ୍ତ ବ୍ୟବସ୍ଥାକୁ ୩ବର୍ଷ ପୂରିବାକୁ ବସିଥିବା ବେଳେ ବହୁ ସ୍ଥାନରେ ଏହାର ବ୍ୟବସ୍ଥା କରାଯାଇନଥିବା ବେଳେ । ଅନେକ ସ୍ଥାନରେ ଲାଗିଥିବା ଆଲୋକ ସ୍ତମ୍ଭ ଅକାମୀ ହେବାକୁ ବସିଲାଣି । ତେଣୁ ସ୍ୱର୍ଗତ ସାଂସଦଙ୍କ ପାଣ୍ଠିରୁ ୯୦ଲକ୍ଷ ବ୍ୟୟ ଅଟକଳରେ ଲୋକାର୍ପିତ ଆଲୋକ ସ୍ତମ୍ଭ ଓ ପୋଷ୍ୟଗ୍ରାମ ଆଲୋକୀକରଣ ଯୋଜନା ସଂପୂର୍ଣ୍ଣ ରୂପେ ଫେଲ ମାରିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅଣଦେଖାରୁ ତତ୍କାଳୀନ ବିଧାୟକଙ୍କ ପାଣ୍ଠିରୁ ୧୯ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଆଲୋକୀକରଣ ବ୍ୟବସ୍ଥାର ସଫଳ ରୂପାୟନ ମଧ୍ୟ ହୋଇନପାରିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଆଲୋକୀକରଣ ଯୋଜନାକୁ ପ୍ରହସନରେ ପରିଣତ ନକରି ଆଉ ଦିନ କେଇଟାପରେ ୯ବର୍ଷ ପୂରିବାକୁ ଯାଉଥିବା ଉକ୍ତ ଅସଫଳ ଯୋଜନାକୁ ବିଭାଗୀୟ ଅଧିକାରୀ ସଫଳ ରୂପାୟନ କରିବା ପାଇଁ ଚେଷ୍ଟିତ ହେବାକୁ ପଂଚାୟତବାସୀଙ୍କ ସମେତ ବିଭିନ୍ନ ମହଲରୁ ଦାବି ହେଉଛି ।

