Photo for the news of kadabaranga medical

ସ୍ୱାସ୍ଥ୍ୟକେନ୍ଦ୍ରରେ ସରକାରୀ ନିୟମକୁ ଫୁ,ମନମାନୀରେ ଚାଲିଛି ସ୍ୱାସ୍ଥ୍ୟସେବା

ରାଜ୍ୟ

ଆଗରପଡ଼ା :ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରୁଥିବା ସ୍ଥଳେ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଏହି ସବୁ ଯୋଜନାର ସଫଳ ରୂପାୟନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କାଦବରାଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ)ରେ । ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ସରାକାରୀ ନିୟମକୁ ପାଳନ କରାଯାଉନଥିବାରୁ ଏଥିପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ଆଗରପଡ଼ା ଅଧିକାରୀ ନା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ନା ଜିଲ୍ଲାପାଳ କାହାକୁ ଦାୟୀ କରାଯିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ୧୯୯୪ ମସିହାରେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ପ୍ରତିଷ୍ଠା ହେବା ପରଠାରୁ ଏହାର ଭିତ୍ତି ଭୂମିରେ କୈାଣସି ଉନ୍ନତି ପରିଲକ୍ଷିତ ହୋଇପାରି ନଥିଲା । ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ କେନ୍ଦ୍ରୀୟ ଟିମ ଗସ୍ତ ପୂର୍ବରୁ ଏହାର କଳେବର ରଙ୍ଗିନ ହୋଇପାରି ଥିଲା । ମାତ୍ର ଡ଼ାକ୍ତର ନଥିବାରୁ ରୋଗୀମାନେ ନାନା ହିନସ୍ତା ହେଉଥିଲେ । ଭାରାପ୍ରାପ୍ତ ଡ଼ାକ୍ତର ପଦବୀ ଦୀର୍ଘ ବର୍ଷ ଧରି ଏଠାରେ ଖାଲି ପଡ଼ିିବା ପରେ ଗତ ୨୦୨୨ ଜାନୁୟାରୀ ମାସରେ ସରକାର ଏଠାରେ ଏକ ନିୟମିତ ଡ଼ାକ୍ତର ନିଯୁକ୍ତି ଦେଇଥିଲେ । ସେହିପରି ଡ଼ାକ୍ତରଙ୍କ ରହିବା ପାଇଁ ଗୃହ ସମେତ ପାଚେରୀ ନିର୍ମାଣ କରାଯାଇଥିଲା । ପାନୀୟ ଜଳ ଓ ବିଦ୍ୟୁତ ସେବା ଉପରେ ମଧ୍ୟ ସରକାର ଗୁରୁତ୍ୱାରୋପ କରିଥିଲେ । ବିଭାଗୀୟ ଅଧିକାରୀମାନେ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ କରି ଭାରପ୍ରାପ୍ତ ଡ଼ାକ୍ତରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଉକ୍ତ ଗୃହରେ କର୍ମଚାରୀ ରହୁନଥିବାରୁ କେଉଁ ଲକ୍ଷ ନେଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଏହି ଗୃହ ନିର୍ମାଣ କରାଯାଇଥିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରତିଷ୍ଠିତ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଉକ୍ତ ସମସ୍ୟା ବ୍ୟତିତ ଆହୁରି ଅନେକ ସମସ୍ୟା ଲାଗି ରହିଛି । ଆବଶ୍ୟକ ଅନୁଯାୟୀ କର୍ମଚାରୀ ନିଯୁକ୍ତି ଦିଆଯାଉନଥିବାରୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ନିୟମ କେବଳ କାଗଜ କଲମରେ ସୀମିତ ହୋଇ ରହି ଯାଉଛି । ନିୟମାନୁଯାୟୀ ପ୍ରତିଦିନ ସକାଳ ୮ଘଟିକା ରୁ ଅପରାହ୍ନ ୧୨ଘଟିକା ଓ ଅପରାହ୍ନ ୩ଘଟିକାରୁ ସଂଧ୍ୟା ୫ ଘଟିକା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲା ରହିବା କଥା କିନ୍ତୁ ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରଟି ବହୁ ଦିନ ହେବ କେବଳ ସକାଳ ସମୟରେ ଖୋଲା ରହୁଛି । ସେଥିରେ ପୁଣି ବ୍ୟତିକ୍ରମ ହେଉଛି । କେବେବି ନିର୍ଦ୍ଦାରିତ ସମୟରେ ଖୋଲା ହେଉନଥିବା ପରିଲକ୍ଷିତ ହେଉଛି । ବର୍ତ୍ତମାନ ଜଣେ ନୂତନ ମହିଳା ଏମବିବିଏସ ଡ଼ାକ୍ତରଙ୍କୁ ଏଠାରେ ନିୟୋଜିତ କରାଯିବା ସହ ଜଣେ ମହିଳା ଆୟୁଷ ଡ଼ାକ୍ତର ଓ ମହିଳା ଫାର୍ମାସିଷ୍ଟଙ୍କୁ ନେଇ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଚାଲିଛି । ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଥିବା ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ଭଦ୍ରକ ଆନୁକୂଲ୍ୟରେ ପଂଚାୟତ ସମିତି ବନ୍ତ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷରେ ୫ମ ସିଫସି ଯୋଜନାରେ ୮ଲକ୍ଷ ଅଟକଳ ମୂଲ୍ୟରେ ବାୟୋ ମେଡ଼ିକାଲ ୱେଷ୍ଟ ଇକ୍ୱିଇମେଣ୍ଟପ୍ରକଳ୍ପ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ଷୋଳ ଲକ୍ଷ ଛୟାଳିଶ ହଜାର ଛଅଶହ ଛପନ ଟଙ୍କା ମୂଲ୍ୟର ଲେବର ରୁମ ନିର୍ମାଣ କାର୍ଯ୍ୟ ସରି କାର୍ଯ୍ୟକ୍ଷମ ହୋଇ ନପାରି ପଡ଼ି ରହିଛି । ତେଣୁ କେଉଁ ସ୍ୱାର୍ଥରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ମାଳମାଳ ପ୍ରକଳ୍ପ ନିର୍ମାଣ କରାଯାଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଯୋଜନାର ସଫଳ ରୂପାୟନ ପ୍ରତି ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ସ୍ୱାସ୍ଥ୍ୟକେନ୍ଦ୍ର ପରିସରକୁ ନାନାଦି ଅନାବନା ଗଛ ଘେରି ରହିଥିବାରୁ ଏହା ରୋଗୀଙ୍କ ପାଇଁ ବିଦଦ ସୃଷ୍ଟି କରୁଥିବାକୁ ନେଇ ବାରମ୍ବାର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ସୁଦ୍ଧା ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ତାଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ସେହିଭଳି ପରିସରରେ ଲାଗିଥିବା ହାଇମାକ୍ସ ଲାଇଟ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲା ନହେବା ପର୍ଯ୍ୟନ୍ତ ଜଳିରହୁଥିବା ଦେଖିବାକୁ ମିଳୁଛି । କାଦବରାଙ୍ଗ ପଞ୍ଚାୟତର ବିଭିନ୍ନ ଗ୍ରାମ ଯଥା :- ଆଡ଼ିଆ, ଅଡ଼ାଳପଙ୍କ, ଗୋପାଳପୁର, କାଉପୁର, ଗଣିଜାଙ୍ଗ ଆଦିର ଶତାଧିକ ଲୋକେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ତେଣୁ ସ୍ୱାସ୍ଥ୍ୟ କେନ୍ଦ୍ରଟିରେ ଲାଗି ରହିଥିବା ଏହି ସବୁ ସମସ୍ୟାକୁ ଶୀଘ୍ର ସମାଧାନ କରିବା ସହ ସରକାରୀ ନିୟମକୁ ପାଳନ କରି ନବ ନିର୍ମିତ ପ୍ରକଳ୍ପକୁ ଯଥାଶିଗ୍ର କାର୍ଯ୍ୟକ୍ଷମ କରିବା ଓ ଅଂଚଳବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିି ଦେବାକୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।

Shrutilipi ad