Whatsapp image 2025 11 07 at 12.03.18 pm 1068x723

ଲୋକସେବା ଭବନରେ ‘ବନ୍ଦେ ମାତରମ୍‌’ ଗାନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ

ଭୁବନେଶ୍ୱର: ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ‘ବେନ୍ଦ ମାତରମ୍‌’ ସଙ୍ଗୀତ ଗାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ବିଭିନ୍ନ ବିଭାଗର ସଚିବ ମଧ୍ୟ ଏହି ବିଶେଷ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବନ୍ଦେ ମାତରମ୍‌’ ଗାନ କରିଛନ୍ତି । ଏହାଛଡା ଲୋକସେବା ଭବନର କର୍ମଚାରମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ ଯେ, ଏହି ଗୀତର ଲୋକପ୍ରିୟତା ଓ ପ୍ରଭାବକୁ ଦେଖି ବ୍ରିଟିଶ ଶାସକମାନେ ବନ୍ଦେ ମାତରମ୍‌କୁ ବ୍ୟାନ କରିଥିଲେ, ଯାହା ଏହି ଗୀତର ଶକ୍ତିର ସ୍ପଷ୍ଟ ପ୍ରମାଣ। ଆମେ କେଉଁ ଭାଷା, କେଉଁ ଧର୍ମ ବା କେଉଁ ଅଞ୍ଚଳର ହେଲେ ବି, ଦେଶପ୍ରେମ ବିନା ଦେଶର ଉନ୍ନତି ଅସମ୍ଭବ। ବନ୍ଦେ ମାତରମ୍ ଆମ ହୃଦୟରେ ସେହି ଦେଶପ୍ରେମର ଅଗ୍ନିକୁ ପୁନଃ ଜାଗୃତ କରେ। ଯୁବପୀଢ଼ୀ, ପିଲାମାନେ, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ପାଇଁ ଏହି ବର୍ଷବ୍ୟାପୀ ପାଳନ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଅଭିମତ ଦେଇଥିଲେ।

ଆଜି ଆମେ ସମସ୍ତେ ସାରା ଭାରତର ଲୋକ, କାଶ୍ମୀରରୁ କନ୍ୟା କୁମାରୀ ପର୍ଯ୍ୟନ୍ତ, ବନ୍ଦେ ମାତରମ୍‌କୁ ସାମୁହିକ ଭାବେ ଗାନ୍ କରିବାର ପ୍ରଭାବ ଖୁବ୍ ସୁଦୂରପ୍ରସାରୀ। ବିଶେଷ କରି ଛୋଟ ଛୋଟ ପିଲା, ଛାତ୍ର ଓ ଯୁବକ ମାନଙ୍କ ଉପରେ ଏହାର ଖୁବ୍ ପ୍ରଭାବ ରହିବ। ଆଗାମୀ ଦିନରେ ଏହା ରାଷ୍ଟ୍ରବାଦକୁ ଏକ ନୂଆ ସଜ୍ଞା ଦେବାରେ ସଫଳ ହେବ। ଆଗାମୀ ଏକବର୍ଷ ଧରି ସମସ୍ତ ଜିଲ୍ଲାରେ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ସଂଗଠନମାନଙ୍କ ମାଧ୍ୟମରେ ସାମୁହିକ ଗାନ, ସାଂସ୍କୃତିକ ଆୟୋଜନ ଓ ସଚେତନତା କାର୍ଯ୍ୟକ୍ରମ ଚାଲିବାକୁ ଯୋଜନା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆସନ୍ତୁ, ଆମେ ସମସ୍ତେ ଏହି ଏକ ବର୍ଷବ୍ୟାପୀ କାର୍ଯ୍ୟକ୍ରମରେ ସାମିଲ ହେବା। ଆଜିଠୁ ଏହାର ଶୁଭାରମ୍ଭ ହେଲା। ଏହିବର୍ଷ ବ୍ୟାପୀ ଯାହା ଯାହା କାର୍ଯ୍ୟକ୍ରମ ହେବ ସେଥିରେ ଆମେ ସମସ୍ତେ ସାମିଲ ହେବା ଏବଂ ଭାରତ ମାତାର ଗୌରବକୁ ସାରା ପୃଥିବୀରେ ପରିବ୍ୟାପ୍ତ କରିବା ପାଇଁ ସଂକଳ୍ପବଦ୍ଧ ହେବା ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡକ୍ଟର ବିଜୟ କେତନ ଉପାଧ୍ୟାୟ ସହ ସମସ୍ତ ବିଭାଗୀୟ ସଚିବ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍‌ ଗାନ କରିଥିଲେ।

Shrutilipi ad