ବାରିପଦା-: ସ୍ଥାନୀୟ ଭଂଜପୁର ରେଲୱେ ପଡିଆ ଠାରେ ଜଗତ ଜନନୀ ମା’ ଜଗଦ୍ଧାତ୍ରୀଙ୍କ ପବିତ୍ର ପୂଜା ଆରମ୍ଭ ହେବା ସହ ପୂଜା ପ୍ୟାଣ୍ଡେଲ ପରିସରରେ ଏହି ଉପଲକ୍ଷେ ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳା–୨୦୨୫ର ଶୁଭଉଦଘାଟନ ହୋଇଯାଇଛି। ଉକ୍ତ ମେଳା ପରିପ୍ରେକ୍ଷୀରେ ଚଳିତ ନଭେମ୍ବର ମାସ ୧୯ ତାରିଖ ପର୍ଯ୍ୟନ୍ତ ଭଂଜପୁର ରେଲୱେ ପଡିଆ ସାମ୍ନାରେ ଥିବା ସଡକ, ଅର୍ଥାତ୍ ଷ୍ଟିଲ ଗୋଲାଇ ଠାରୁ ମୁର୍ଗାବାଡି ଗୋଲେଇ ପର୍ଯ୍ୟନ୍ତ ସଡକରେ ମା’ଙ୍କ ଦର୍ଶନ ପାଇଁ ଭକ୍ତ, ଶ୍ରଦ୍ଧାଳୁ ତଥା ମେଳାକୁ ବୁଲିବା ପାଇଁ ଦର୍ଶନାର୍ଥୀଙ୍କ ସମାଗମ ହେତୁ ଅତ୍ୟଧିକ ଭିଡ଼ ହେବାର ଆଶଙ୍କା ଥିବାରୁ ପାଦଚାରୀ, ଭକ୍ତ, ଶ୍ରଦ୍ଧାଳୁ ଏବଂ ଅନ୍ୟାନ୍ୟଙ୍କ ପାଇଁ ଅସୁବିଧା ସୃଷ୍ଟି ହେବାର ଆଶଙ୍କା ରହୁଛି। ବିଶେଷତଃ ସନ୍ଧ୍ୟା ସମୟରେ ଅତ୍ୟଧିକ ଲୋକଭିଡରେ ଯାନବାହନର ଚଳାଚଳ ଦ୍ୱାରା ରାସ୍ତାରେ ଭୀଷଣ ଜାମ ସୃଷ୍ଟି ହେବା ଆଶଙ୍କା ହେତୁ ଜନସାଧାରଣଙ୍କ ଗମନାଗମନ ନିମନ୍ତେ ଅସୁବିଧାର ସମ୍ମୁଖୀନ ହେବାର ଆଶା କରାଯାଉଛି। ଭିଡରେ ଯାନ ଚଳାଚଳ ଜନିତ ଦୁର୍ଘଟଣାର ସମ୍ଭାବନା ମଧ୍ୟ ରହୁଛି। ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ସୁରକ୍ଷା ଓ ଜଗଦ୍ଧାତ୍ରୀ ମେଳା–୨୦୨୫ର ସୁଚାରୁ ପରିଚାଳନାକୁ ସୁନିଶ୍ଚିତ କରିବା ପାଇଁ ଯାନବାହାନ ଚଳାଚଳକୁ ନିୟନ୍ତ୍ରଣ କରିବା ଅତ୍ୟାବଶ୍ୟକ ହୋଇପଡିଛି।
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଗଦ୍ଧାତ୍ରୀ ମେଳା–୨୦୨୫ ସମୟସୀମା ଶେଷ ହେବା ପର୍ଯ୍ୟନ୍ତ ଅର୍ଥାତ ୧୯.୧୧.୨୦୨୫ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ସୁରକ୍ଷା ଓ ପାଦଚାରୀ ମାନଙ୍କ ସୁଗମ ଯାତାୟାତ ନିମନ୍ତେ ସନ୍ଧ୍ୟା ସମୟରେ ଭଂଜପୁର ଜଗଦ୍ଧାତ୍ରୀ ମେଳା ସମ୍ମୁଖ ସଡ଼କରେ ବସ୍ ଓ ଟ୍ରକ୍ ଗୁଡ଼ିକର ଚଳାଚଳକୁ ବନ୍ଦ କରାଯାଇଛି। ଜଗଦ୍ଧାତ୍ରୀ ମେଳା-୨୦୨୫ ଶେଷ ହେବା ପର୍ଯ୍ୟନ୍ତ ସନ୍ଧ୍ୟା ସମୟରେ ବସ ଓ ଟ୍ରକ ଗୁଡିକ ବାଘରା ରୋଡ୍, ଦାରୋଗା ଡାହି ଗୋଲେଇ ମାର୍ଗ ଦେଇ ଗନ୍ତବ୍ୟ ସ୍ଥାନକୁ ଯାତାୟାତ କରିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଅଛି।

