ବାରିପଦା – ରାଜ୍ୟ ସରକାରଙ୍କ ଆହ୍ୱାନ କ୍ରମେ ଜିଲ୍ଲା, ବ୍ଲକ ଓ ଗ୍ରାମାଞ୍ଚଳରେ ଉଲ୍ଲାସ : ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ମୟୁରଭଞ୍ଜ ଜିଲ୍ଲାର ସମସ୍ତ ବ୍ଲକରେ ୧୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ନାଗରିକ ମାନଙ୍କୁ ନେଇ ପ୍ରଥମ ମୌଳିକ ଭାଷା ଓ ଗଣିତ ପରୀକ୍ଷା ଆୟୋଜିତ ହୋଇଯାଇଛି I ଏହା ଦ୍ୱାରା ସେମାନଙ୍କର ପ୍ରାଥମିକ ସ୍ତରର ଗଣିତ ଓ ଭାଷା ଦକ୍ଷତା ପରଖା ଯାଇପାରିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି I ଯୁଗ୍ମ ନିର୍ଦ୍ଦେଶକ ଅକ୍ରୁର ବାରିକ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିବା ସହ ଏହି କାର୍ଯ୍ୟକ୍ରମକୁ ନିରୀକ୍ଷଣ କରିଥିଲେ I ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିନୋଦ ସିଂ ଯୁଗ୍ମ ନିର୍ଦ୍ଦେଶକଙ୍କୁ ସହଯୋଗ କରିଥିଲେ I ଜିଲ୍ଲାର ମୋଟ ୪୩୭୫୨ ଜଣ ପୁରୁଷ ଓ ମହିଳା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ I ବାରିପଦାର ମା ଅମ୍ବିକା ମହିଳା ମହାମଣ୍ଡଳ ଏନ ଜି ଓ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ବିଦ୍ୟାଳୟ ସ୍ତରରେ ଶିକ୍ଷକ/ ଶିକ୍ଷୟତ୍ରୀ, ସି ଆର ସି ସି, ବ୍ଲକ ନୋଡାଲ ଅଫିସର ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିଲା I ଏହି କାର୍ଯ୍ୟକ୍ରମ ଦ୍ୱାରା ସାଧାରଣ ଜନସାଧାରଣଙ୍କ ଜୀବନରେ ମୌଳିକ ଶିକ୍ଷା ଓ ସାକ୍ଷରତା ବୃଦ୍ଧିରେ ସାହାଯ୍ୟ କରିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସେଠି ପ୍ରକାଶ କରିଛନ୍ତି I

