ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଅକ୍ଟୋବର ୨୭ ରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ‘ଦୁର୍ନୀତି ନିବାରଣ-ଆମ ସାମୂହିକ ଦାୟିତ୍ବ’ ଶୀର୍ଷକ ଏହି ସଚେତନତା ସପ୍ତାହ ପାଳନ ଅବସରରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ । କୁଳପତି ପ୍ରଫେସର ଶତପଥି ଏକ ଦୁର୍ନୀତିମୁକ୍ତ ଅନୁଷ୍ଠାନ ହିଁ ଜନସାଧାରଣଙ୍କର ଆସ୍ଥାଭାଜନ ହୋଇପାରେ ବୋଲି ମତ ଦେବା ସହିତ ସାଧୁତା ଓ ସ୍ୱଚ୍ଛତା ବଜାୟ ରଖି ତଥା ସରକାରଙ୍କ ନିର୍ଦ୍ଧାରିତ ନୀତି ନିୟମକୁ ମାନି ଏବଂ ସର୍ବୋପରି ଛାତ୍ରଛାତୀଙ୍କ ବୃହତ ହିତକୁ ଆଗରେ ରଖି ବିଶ୍ୱବିଦ୍ୟାଳୟ କାର୍ଯ୍ୟ ସମ୍ପାଦନରେ ସମସ୍ତଙ୍କୁ ବ୍ରତୀ ହେବାକୁ ଅନୁପ୍ରାଣିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ସମେତ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ଯୋଗଦେଇଥିଲେ । ଏହି ଅବସରରେ ସଚେତନତା ସୃଷ୍ଟି ପାଇଁ ଛାତ୍ରଛାତୀଙ୍କ ମଧ୍ୟରେ ଏକ ‘ଦୁର୍ନୀତିର ବିରୋଧ’ ଶୀର୍ଷକ ଏକ କାର୍ଟୁନ୍ ଅଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । _ଏଥିରେ ବିଶ୍ୱବିଦ୍ୟାଳୟ ନୃତତ୍ତ୍ୱ ଓ ଜନଜାତି ଶିକ୍ଷା ବିଭାଗର ଶ୍ରୀୟା ମିଶ୍ର ପ୍ରଥମ, କପ୍ତିପଦା ଡିଗ୍ରୀ କଲେଜର ଇତିହାସ ବିଭାଗର ଡାବର ସିଂ ଦ୍ଵିତୀୟ ଓ ବାରିପଦା କଲେଜର ପ୍ରାଣୀ ବିଜ୍ଞାନ ବିଭାଗର ସ୍ନେହାଶିଶ ସୁମନ ସି ତୃତୀୟ ସ୍ଥାନ ଅଧିକାର କରିଥିଲେ ।

