555 1

ବାତ୍ୟା ଆଶ୍ରୟସ୍ଥଳୀରେ କାର୍ଯ୍ୟରତ ଯୋଗାଣ ସହାୟକଙ୍କ ଆକସ୍ମିକ ମୃତ୍ୟୁ

ରାଜ୍ୟ

ଗଜପତି : ଗଜପତି ଜିଲ୍ଲା ରାୟଗଡ ବ୍ଲକ ପୋତାର ପଞ୍ଚାୟତରେ ଅଭାବନୀୟ ଘଟଣା ଘଟିଛି। ବାତ୍ୟା ଆଶ୍ରୟସ୍ଥଳୀରେ କାର୍ଯ୍ୟରତ ଥିବା ଜଣେ କର୍ମଚାରୀଙ୍କର ଅଚାନକ ଭାବେ ମୃତ୍ୟୁ ଘଟିଛି। ମୃତକ ରାୟଗଡ ବ୍ଲକ ପୋତ୍ତାର ପଞ୍ଚାୟତର ୩୫ ବର୍ଷୀୟ ଯୋଗାଣ ସହାୟକ ସୁରେନ୍ଦ୍ର ଗମାଙ୍ଗ ବୋଲି ଜଣାପଡିଛି। ଗତକାଲି ରାତିରେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। କିନ୍ତୁ ସେ ଆଶ୍ରୟ ସ୍ଥଳୀର ଦାଇତ୍ବରେ ଥିବାରୁ ଆଜି ସକାଳୁ ସକାଳୁ ଜଣେ ସ୍ଥାନୀୟ ବାସିନ୍ଦାଙ୍କ କାରରେ ତାଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଉଥିବାବେଳେ ଲାଞ୍ଜିପଦର ଛକ ନିକଟରେ ରକ୍ତବାନ୍ତି କରି ମୃତ୍ୟୁବରଣ କରିଥିଲେ । ସୁରେନ୍ଦ୍ର ଗମାଙ୍ଗଙ୍କୁ ସମ୍ଭାବ୍ୟ ସାମୁଦ୍ରିକ ଝଡ ମନ୍ଥାକୁ ନେଇ ଗତ ୨୬ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ପୋତ୍ତାର ଆଶ୍ରୟ ସ୍ଥଳୀରେ ଜିଲ୍ଲା ପ୍ରଶାସନ ନିୟୋଜିତ କରିଥିଲା । ସୁରେନ୍ଦ୍ର ପ୍ରଚାରରୁ ଆରମ୍ଭ କରି ସ୍ଥାନାନ୍ତରଣ ଓ ଆଶ୍ରୟ ସ୍ଥଳୀର ଲୋକଙ୍କ ଖାଦ୍ୟପାନୀୟ ବ୍ୟବସ୍ଥା କରିଆସୁଥିଲେ । ତେବେ ସୁରେନ୍ଦ୍ର ଲୋକଙ୍କୁ ସଚେତନ କରିବା ପାଇଁ ହେଉ କି ସ୍ଥାନାନ୍ତର କରିବା ପାଇଁ ହେଉ ନିଜେ ଉପସ୍ଥିତ ରହି କରୁଥିଲେ । ଏପରିକି ଗତକାଲି ମଧ୍ୟ ସ୍ଥାନାନ୍ତରିତ ହୋଇଥିବା ୩୦ରୁ ୪୦ ଲୋକଙ୍କୁ କ୍ୟାମ୍ପରେ ଖାଦ୍ୟ ପରସିଥିଲେ । ସକାଳେ ତାଙ୍କର ମୃତ୍ୟୁ ଖବରକୁ ନେଇ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି। ସେପଟେ ସୁରେନ୍ଦ୍ର ଗମାଙ୍ଗ ନିଜ ପରିବାରର ଏକମାତ୍ର ରୋଜଗାରୀଆ ପୁଅ ଥିଲେ । ତାଙ୍କ ଉପରେ ତାଙ୍କ ମାଆ , ସ୍ତ୍ରୀ ଏବଂ ୪ବର୍ଷର ପୁଅ ନିର୍ଭର କରୁଥିଲେ । ଗତ ୬ ବର୍ଷ ପୂର୍ବେ ତାଙ୍କର ବିବାହ ହୋଇଥିବାବେଳେ ରାମଗିରି ଥାନା କରଞ୍ଜସାହିର ବାସିନ୍ଦା ଥିଲେ ସୁରେନ୍ଦ୍ର । ଯୋଗାଣ ସହାୟକ ଚାକିରି ପାଇବା ପୂର୍ବରୁ ସେ ରାମଗିରି ସରସ୍ବତୀ ଶିଶୁମନ୍ଦିରର ପ୍ରଧାନ ଶିକ୍ଷକ ଥିଲେ ।

Shrutilipi ad