ଭୁବନେଶ୍ୱର : ‘ଗ୍ଲୋବାଲ ସ୍ପିରିଚୁଆଲ ମିଶନ’ ପକ୍ଷରୁ ଭୁବନେଶ୍ୱରସ୍ଥିତ ଭିଆଇପି କଲୋନୀରେ ଥିବା ରାମକୃଷ୍ଣ ମଠ ସଭାଗୃହରେ ଏକ ମାସିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଷ୍ଟେଟ ବ୍ୟାଙ୍କର ପ୍ରାକ୍ତନ ଅଧିକାରୀମାନଙ୍କ ଦ୍ୱାରା ଗଠିତ ଏହି ଅନୁଷ୍ଠାନର କାର୍ଯ୍ୟକ୍ରମରେ ଡାକ୍ତର ସୁଶୀଲ କୁମାର ମହାନ୍ତି ସଭାପତିତ୍ୱ କରିଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।
ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଓ ବକ୍ତା ଭାବେ ସୁସାହିତ୍ୟିକ ଶ୍ରୀଯୁକ୍ତ ମନୋଜ କୁମାର ମହାପାତ୍ର ଯୋଗଦାନ କରିଥିଲେ। ସେ ରାମକୃଷ୍ଣ ପରମହଂସ, ସ୍ୱାମୀ ବିବେକାନନ୍ଦ, ଆଦିଗୁରୁ ଶଙ୍କରାଚାର୍ଯ୍ୟ, ମା ଶାରଦା ଦେବୀ ଆଦି ମହାପୁରୁଷଙ୍କ ଜୀବନଦର୍ଶ ସମ୍ପର୍କରେ ବିଭିନ୍ନ ଉଦାହରଣ ମାଧ୍ୟମରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଶ୍ରୀ ମହାପାତ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ, ବେଦ, ବେଦାନ୍ତ, ଉପନିଷଦ ଓ ଅନ୍ୟାନ୍ୟ ଧର୍ମଗ୍ରନ୍ଥ ଆଦିର ନିୟମିତ ପାଠ ବ୍ୟକ୍ତିର ଜୀବନକୁ ଆନନ୍ଦମୟ, ସୁସ୍ଥ ଓ ନିରାମୟ କରିଥାଏ। ଆଧ୍ୟାତ୍ମିକ ମାର୍ଗରେ ଜୀବନ ଯାପନ କରିବା ଦ୍ୱାରା ବ୍ୟକ୍ତିଗତ ଶାନ୍ତି ଓ ଆନନ୍ଦ ପ୍ରାପ୍ତ ହେବା ସହ ଏକ ସୁନ୍ଦର, ସୁସଂସ୍କୃତ ତଥା ନୀତିବାନ ସମାଜ ଗଠନ ହୋଇପାରିବ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ସମ୍ପାଦକ ପରମେଶ୍ୱର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା ଶ୍ରୀ ରମାକାନ୍ତ ମିଶ୍ର ଆଧ୍ୟାତ୍ମିକ ଜୀବନର ମହତ୍ତ୍ୱ ଓ ବ୍ୟାଖ୍ୟା କରିବା ସହ ବରିଷ୍ଠ ନାଗରିକମାନେ ଏଥିପ୍ରତି ଯତ୍ନବାନ ହେବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ, ବରିଷ୍ଠ ନାଗରିକମାନେ ନିଜର ଜୀବନର ଅନୁଭୂତି ଓ ଆଧ୍ୟାତ୍ମିକ ଜ୍ଞାନକୁ ସମାଜରେ ପ୍ରସାରିତ କରି ଏକ ସୁନ୍ଦର ଦିଗ୍ଦର୍ଶନ ଦେଇପାରିବେ, ଯାହାଦ୍ୱାରା ଯୁବପିଢ଼ି ମଧ୍ୟ ଆଧ୍ୟାତ୍ମିକ ମାର୍ଗରେ ଜୀବନଯାପନ କରିବାକୁ ପ୍ରେରିତ ହେବେ ଏବଂ ଏକ ସୁସ୍ଥ ଓ ଶାନ୍ତିପୂର୍ଣ୍ଣ ସମାଜ ଗଠନରେ ସହାୟକ ହେବ। ବୟସ୍କ ବ୍ୟକ୍ତିମାନେ ନିଜର ଅମୂଲ୍ୟ ଅନୁଭୂତି ଓ ଜ୍ଞାନରୁ ସମାଜକୁ ଦିଗ୍ଦର୍ଶନ ଦେଇ ଏହି ମହତ କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ। ସମସ୍ତେ ଆଧ୍ୟାତ୍ମିକତାର ମାର୍ଗ ଅନୁସରଣ କରି ଏକ ଉନ୍ନତ ସମାଜ ଗଠନ ଦିଗରେ ଅଗ୍ରସର ହେବା ଆବଶ୍ୟକ ।
ଏହି ଅବସରରେ ମୁରଲୀଧର ପଲାଇ ଓ କୃଷ୍ଣା ପଲାଇ ଜଗନ୍ନାଥ ସହସ୍ର ନାମ ପାଠ କରି ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ। ବରିଷ୍ଠ ସଦସ୍ୟ ତଥା ନାଟ୍ୟକାର ଶ୍ରୀ ବିଜୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପ୍ରବୋଧ କୁମାର ମହାନ୍ତି, ବିଜୟ କୁମାର ଦାଶ, ବିଜୟ କୁମାର ବରାଳ, ଓ ଦୈତାରୀ ସେଠୀ ଆଦି ସୁଚାରୁ ରୂପେ ପରିଚାଳନା କରିଥିଲେ।

