Img 20251018 wa0232

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସିଡିଓଇ ଦ୍ୱାରା ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ଅନୁସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଜ୍ୟ
ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦୂରବର୍ତ୍ତୀ ଏବଂ ଅନଲାଇନ୍ ଶିକ୍ଷା କେନ୍ଦ୍ର (ସିଡିଓଇ) ଦ୍ୱାରା ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅନୁସ୍ଥାପନ (ଇଣ୍ଡକ୍ସନ୍) କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଫେସର ଶତପଥି ନିଜ ବକ୍ତବ୍ୟରେ ଦୂରବର୍ତ୍ତୀ ଏବଂ ଅନଲାଇନ୍ ଶିକ୍ଷାକୁ ବର୍ତ୍ତମାନ ତଥା ଭବିଷ୍ୟତର ଆବଶ୍ୟକତା ବୋଲି ବିବେଚନା କରିବା ସହ ଏହା କିପରି ସମସ୍ତଙ୍କୁ ସଶକ୍ତ କରିଥାଏ ଓ ସମୟ ଏବଂ ସ୍ଥାନର ସୀମାବଦ୍ଧତା ଅତିକ୍ରମ କରି ଶିକ୍ଷାକୁ ସର୍ବସୁଲଭ କରିଥାଏ ସେ ବିଷୟରେ ନିଜର ବକ୍ତବ୍ୟ ଉପସ୍ଥାପନା କରିଥିଲେ । ବହୁଦିନର ପ୍ରତୀକ୍ଷା ପରେ ବିଶ୍ୱବିଦ୍ୟାଳୟରେ ପୁଣିଥରେ ଡିଷ୍ଟାନ୍‌ସ୍‌ କୋର୍ସ ଆରମ୍ଭ ହୋଇଥିବାରୁ ଏହାର ପ୍ରଚ୍ଛଦପଟ୍ଟରେ ଥିବା ବିଶ୍ୱବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା, ମୟୂରଭଞ୍ଜର ବୁଦ୍ଧିଜୀବି ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାଧୁବାଦ ଜଣାଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ମୟୂରଭଞ୍ଜ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏଭଳି ଦୂରବର୍ତ୍ତୀ ଶିକ୍ଷା ଛାତ୍ରଛାତ୍ରୀଙ୍କ ଜୀବନରେ ନୂତନ ସୁଯୋଗ ଓ ସମ୍ଭାବନା ସୃଷ୍ଟି କରିବ ବୋଲି ମତପ୍ରକାଶ କରିଥିଲେ । ସିଡିଓଇର  ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ କୁମାର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରି ଦୂରବର୍ତ୍ତୀ ଏବଂ ଅନଲାଇନ୍ ଶିକ୍ଷାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ତଥ୍ୟ ରଖିବା ସହ ୟୁଜିସିର ବିଭିନ୍ନ ମାପଦଣ୍ଡକୁ ନେଇ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ପ୍ରଦାନ କରିବାକୁ ସିଡିଓଇର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ । ସିଡିଓଇର ଅଧ୍ୟାପକ ଅଧ୍ୟାପିକା ଗଣ ଯଥା ସାମାଜିକ କାର୍ଯ୍ୟକ୍ରମ ବିଭାଗର ଡ. ସୁଜୟ କୁଣ୍ଡୁ, ଅର୍ଥନୀତି ବିଭାଗର ବିଶ୍ୱଜିତ ଷଡ଼ଙ୍ଗୀ, ଓଡ଼ିଆ ବିଭାଗର ଡ. ବିନ୍ଧେଶ୍ୱରୀ କଲିଆ, ଓ ଇଂରାଜୀ ବିଭାଗର ପ୍ରୀତିଲଗ୍ନା ସନ୍ତୋଷୀ ମହାକୁଡ଼ ପାଠ୍ୟକ୍ରମ ଗୁଡ଼ିକର ପରିଚୟ ସବିଶେଷ ଆଲୋଚନା କରିଥିଲେ । ଶେଷରେ କେନ୍ଦ୍ରର ଉପନିର୍ଦ୍ଦେଶକ ଡ. ପ୍ରତାପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଇଂରାଜୀ ବିଭାଗର ଅଧ୍ୟାପିକା ଅଭିପ୍‌ସା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ନୂତନ ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନ ସାମଗ୍ରୀ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସିଡିଓଇର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ ।
Shrutilipi ad