ବାରିପଦା – ଦୀର୍ଘ ବର୍ଷ ପରେ ବାରିପଦାରେ ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଓଡିଶା ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ ତଥା ଜିଲ୍ଲା ପ୍ରଶାସନର ସହଯୋଗରେ ଯୁବ କଳାକାରଙ୍କୁ ନେଇ ଏକ ନାଟ୍ୟ କର୍ମଶାଳା ଅକ୍ଟୋବର ୧ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା I ପ୍ରଶିକ୍ଷଣ ପରେ ଯୁବ କଳାକାର ମାନଙ୍କ ଦ୍ୱାରା ୧୫ ତାରିଖ ଦିନ ସନ୍ଧ୍ୟାରେ କର୍ମଶାଳା ଭିତ୍ତିକ ନାଟକ “ଇତି ଯେବେ ହସେ” ସ୍ଥାନୀୟ ସହୀଦ ଭବନରେ ପରିବେଷିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ କାର୍ଯ୍ୟକ୍ରମର ଉଦଘାଟନ କରିବା ସହ କର୍ମଶାଳାର ସଫଳତା ପାଇଁ ସମସ୍ତଙ୍କୁ ପ୍ରଶଂସା କରିଥିଲେ I ମୁଖ୍ୟବକ୍ତା ଭାବେ ଯୋଗଦେଇ ବାରିପଦା ଉପ ଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା ଯୁବ କଳାକାର ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ I ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ଡଃ ବିଜୟ କୁମାର ଅଗ୍ରୱାଲ କର୍ମଶାଳା ଭିତ୍ତିକ ନାଟକ ଯୁବପିଢୀଙ୍କୁ ନାଟକ ପ୍ରତି ଆକୃଷ୍ଟ କରିବ ବୋଲି ପ୍ରକାଶ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ନାଟ୍ୟସଂଘର ସମ୍ପାଦକ ଶୁଭକାନ୍ତ ପାଢ଼ୀ, ନାଟ୍ୟଶାଳାର ସଂଯୋଜକ ଧୀର ବଶା ଓ ବାରିପଦା କଳାକାର ପରିବାରର ସଭାପତି ସନ୍ତୋଷ ମହାନ୍ତି ଉପସ୍ଥିତ ଥିଲେ I ଏହି ଅବସରରେ ନାଟ୍ୟଶାଳର ନିର୍ଦ୍ଦେଶକ ନବୀନ ପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ସୋମନାଥ ସିଂହ ମଞ୍ଚ ପରିଚାଳନା କରିଥିବା ବେଳେ ଜ୍ଞାନରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ I ଅତୀତରେ ଉତ୍କଳର ସାଧବ ପୁଅ ମାନେ ଦୁରଦେଶକୁ ବଣିଜ କରିବାକୁ ଯାଇ ବହୁ ଧନସମ୍ପତ୍ତି ନେଇ ଘରକୁ ଫେରୁଥିଲେ I ଝିଅ ବୋହୁ ମାନେ ବୋଇତ ବନ୍ଦାଣ କରୁଥିଲେ I ବ୍ରିଟିଶ ଶାସନ ସମୟର ଜମିଦାରୀ ପ୍ରଥା ଏହି ଉତ୍କଳୀୟ ସଂସ୍କୃତି ଓ ପରମ୍ପରାକୁ ବେଶ ପ୍ରଭାବିତ କରିଥିଲା I ଏହାହିଁ ନାଟକର ବିଷୟବସ୍ତୁ I ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ଧୀର ବସାଙ୍କ ସଂଯୋଜନାରେ ତଥା ଉତ୍କଳ ସଂଗୀତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନବୀନ ପରିଡାଙ୍କ ରଚିତ ଓ ନିର୍ଦ୍ଦେଶିତ ଏକ ଭିନ୍ନ ସ୍ୱାଦର ନାଟକଟି ଦର୍ଶକଙ୍କୁ ବେଶ ପ୍ରଭାବିତ କରିଥିଲା I

