କଟକ: ହିନ୍ଦୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ରଦ୍ଦ, ପୁଣି ହେବ ପ୍ରିଲିମିନାରି ପରୀକ୍ଷା। ୭୧୧ଟି ହିନ୍ଦୀ ଶିକ୍ଷକ ପଦବୀ ପୂରଣ ପାଇଁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ ପକ୍ଷରୁ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ହିନ୍ଦୀ ଶିକ୍ଷକ ପଦ ପାଇଁ ଏ ପର୍ଯ୍ୟନ୍ତ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାରେ ମୂଳ ନିଯୁକ୍ତି ବିଜ୍ଞପ୍ତିର ସର୍ତ୍ତାବଳୀ ଉଲ୍ଲଂଘନ ହୋଇଥିବା ସ୍ପଷ୍ଟ ହେବା ପରେ ହାଇକୋର୍ଟ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ମୂଳ ନିଯୁକ୍ତି ବିଜ୍ଞପ୍ତି ଅନୁସାରେ ହିନ୍ଦୀ ଶିକ୍ଷକ ପଦ ପାଇଁ ପ୍ରିଲିମିନାରି ପରୀକ୍ଷା କରିବାକୁ କମିସନ୍ଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ପୂର୍ବରୁ ଅନୁଷ୍ଠିତ ଲିଖିତ ପରୀକ୍ଷା ମୂଲ୍ୟହୀନ ହୋଇଯାଇଛି। ସମସ୍ତ ପ୍ରାର୍ଥୀ ପ୍ରଥମେ ପ୍ରିଲିମିନାରି ପରୀକ୍ଷାରେ ଅଂଶଗ୍ରହଣ କରିବେ। ଯେଉଁ ପ୍ରାର୍ଥୀ ଯୋଗ୍ୟତା ଅର୍ଜନ କରିବେ ସେମାନେ ଲିଖିତ ପରୀକ୍ଷା ଦେବେ। ଏଥି ସହିତ ମୂଳ ନିଯୁକ୍ତି ବିଜ୍ଞପ୍ତି ଅନୁସାରେ ପରୀକ୍ଷାରେ ଦ୍ବିଭାଷୀ (ହିନ୍ଦୀ ଓ ଇଂରାଜୀ) ସୁବିଧା ପ୍ରାର୍ଥୀଙ୍କୁ ପ୍ରଦାନ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

