ବାରିପଦା- ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ-୨୦୨୫ ସମ୍ବନ୍ଧୀୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାଏକ, ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମା ନନ୍ଦ ବେହେରା, ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଗୌତମ କିଷାନ, ଶ୍ରୀ ଦୀପକ କୁମାର ଗୋଛାୟତ, ଶ୍ରୀମତୀ ସବିତା ମାଝୀ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ବିଜୟ କୁମାର ଦାଶ, ଅତିରିକ୍ତ ଉନ୍ନୟନ ଅଧିକାରୀ ଶାନ୍ତନୁ ନାୟକଙ୍କ ସମେତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା କ୍ରୀଡା ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଣୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଏନ ଆଇ ସି ର ଅଧିକାରୀ, ଆର ଟି ଓ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଏଲ ଡି ଏମଙ୍କ ସମେତ ପୋଲିସ ଅଧିକାରୀ ତଥା ବିଭିନ୍ନ ବିଭାଗୀୟ ଅଧିକାରି ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଏହାପରେ ଶ୍ରୀ ଗୌତମ କିଷାନ ପିପିଟି ଜରିଆରେ ଉକ୍ତ ସାଇବର ସୁରକ୍ଷା ସଚେତନତା ଅଭିଯାନର ବିସ୍ତୃତ କାର୍ଯ୍ୟ ଯୋଜନା ସମ୍ପର୍କରେ ଉପସ୍ଥାପନ କରିଥିଲେ।
ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଥିଲେ ଯେ ଏହି ଅଭିଯାନ ୧୮ ଅକଟୋବର ରୁ ଆରମ୍ଭ ହୋଇ ୧୭ ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ଜିଲ୍ଲାରେ ସଚେତନତା ଅଭିଯାନ ଉଭୟ ଅନଲାଇନ ଓ ଅଫଲାଇନ ଜରିଆରେ ଏକ ମାସ ଧରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଚାଲିବ। ଏହି ସାଇବର ସୁରକ୍ଷା ସଚେତନତା ଅଭିଯାନର ମୂଳ ଉଦେଶ୍ୟ ହେଉଛି ସମାଜର ସବୁ ବର୍ଗର ଲୋକଙ୍କୁ ସାଇବର ଠକେଇରୁ ସୁରକ୍ଷା ଦେବା। ବର୍ତ୍ତମାନ ସାରା ବିଶ୍ୱ ଜଗତିକରଣମୁଖୀ କାରଣରୁ ସମସ୍ତଙ୍କ ଜୀବନ ବ୍ୟସ୍ତବହୁଳ ହୋଇଯାଇଛି ଏବଂ ଏଭଳି ଜୀବନ ଶୈଳୀ ଭିତରେ ସରକାରୀ ସ୍ତରରେ ହେଉ ବା ବ୍ୟକ୍ତିଗତ ସ୍ତରରେ ହେଉ ବା ସାମାଜିକ ସ୍ତରରେ ହେଉ, ଦୈନନ୍ଦିନ ଜୀବନରେ ଇଣ୍ଟେର୍ନେଟ ସାଙ୍ଗକୁ ସ୍ମାର୍ଟ ଫୋନ ବ୍ୟବହାର ଅପରିହାର୍ଯ୍ୟ ହୋଇପଡିଛି। ମାତ୍ର ଏହାକୁ ଯଦି ଆମେ ସତର୍କତା ସହ ସୁରକ୍ଷିତ ଭାବେ ବ୍ୟବହାର ନକରୁ ତେବେ ଠକାମିର ଶିକାର ହେବା। ପରିବର୍ତ୍ତିତ ସମୟ ଅନୁସାରେ ସାଇବର ଠକ ମାନେ ମଧ୍ୟ ନୂତନ ଅଭିନଵ ଉପାୟ ଅବଲମ୍ବନ କରି ଲୋକ ମାନଙ୍କୁ ସେମାନଙ୍କର ଶିକାର ବନଉଛନ୍ତି। ସାଇବର ଠକାମୀର ଶିକାର ହେବାର ଦୁଇଟି ପ୍ରମୁଖ କାରଣ ହେଉଛି ଲୋଭ ଓ ଭୟ । ମାଗଣାରେ କିମ୍ବା କମ ଦାମରେ ଅଧିକ ଲାଭ ପାଇବା ଆଶାରେ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଦେଣନେଣ କରିବା କିମ୍ବା କୌଣସି ମିଛ ଫୋନ କଲ୍ ପାଇ ଭୟାତୁର ହୋଇ କିଛି ତର୍ଜମା ନକରି ନିଜର ବ୍ୟକ୍ତିଗତ ତଥ୍ୟ ଶେୟାର କରି ସାଇବର ଠକାମୀର ଶିକାର ହେବାକୁ ପଡେ। ତେଣୁ ସମାଜରେ ସବୁ ବର୍ଗର ଲୋକଙ୍କୁ ସାଇବର ସୁରକ୍ଷା ପ୍ରଦାନ ଏହାର ମୂଳ ଲକ୍ଷ୍ୟ, ଯେମିତି କି ଛାତ୍ରଛାତ୍ରୀଙ୍କୁ ନିରାପଦ ଡିଜିଟାଲ ଅଭ୍ୟାସ ସହ କୌଣସି ପ୍ରଲୋଭନ ଏବଂ ସାଇବର ଭୟର ଶିକାର ନହେବା, ଗୋପନ ଭିଡ଼ିଓ ଦେଖାଇ ସାଇବର ଅପରାଧର ଶିକାର କରାଇବା, ଅଭିଭାବକ ଓ ଶିକ୍ଷକ ମାନଙ୍କୁ ପିଲାମାନଙ୍କ ଅନଲାଇନ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ, ଚାକିରୀ ଆଶାୟୀ ଯୁବ ପିଢ଼ିଙ୍କୁ ନକଲି ନିଯୁକ୍ତି ଯାଚିବା, ନକଲି ବ୍ୟାଙ୍କ ଆକାଉଣ୍ଟ ଓ ସିମ ବିକ୍ରି, ଫ୍ରଡ଼ ନିବେଶ ପାଇଁ ପ୍ରବର୍ତ୍ତlଇବା, ଭୟ ଦେଖାଇ ଯୌନ ଶୋଷଣ କରିବା , ମହିଳା ଓ କିଶୋରୀ ମାନଙ୍କୁ ନକଲି କଲ୍ ଜରିଆରେ ଯୌନ ଶୋଷଣ , ଗ୍ରାମ ଓ ସେମି ଅର୍ବାନ ଅଂଚଳରେ ପ୍ରଥମ କରି ସ୍ମାର୍ଟ ଫୋନ ବ୍ୟବହାରକାରି ଲୋକଙ୍କୁ ୟୂପିଆଇ, ଓଟିପିର ସଠିକ ଉପଯୋଗ, ଫେକ କଲ୍ ବାବଦରେ ଜ୍ଞାନ ଦେବା, ବରିଷ୍ଠ ନାଗରିକ ମାନଙ୍କୁ ନିରାପଦ ବ୍ୟାକିଙ୍ଗ କାରବାର ଓ ଆର୍ଥିକ ଠକେଇରୁ ବର୍ତ୍ତିବା ପାଇଁ ସତର୍କ କରିବା, ଏସ ଏଚ ଜି ଏବଂ ଗୋଷ୍ଠୀ ଗ୍ରୁପକୁ ସମୂହ ଡିଜିଟାଲ ଦେଣନେଣ, ଫେକ ଋଣ,ନକଲି ପୁଞ୍ଜି ନିବେଶ ବାବଦରେ ଏବଂ ବ୍ୟବସାୟୀ ଓ ବୃତ୍ତିଧାରୀଙ୍କୁ ଡାଟା ସିକୁରିଟି, ବୃତ୍ତିଗତ ଶୋଷଣରୁ ସୁରକ୍ଷା, ଡିଜିଟାଲ ପେମେଣ୍ଟରେ ସତର୍କତା ଇତ୍ୟାଦି ସମ୍ବନ୍ଧରେ ସଚେତନ କରାଯିବ।
ଏହି ସଚେତନତା ଅଭିଯାନ ଉଭୟ ଅନଲାଇନ ଓ ଅଫଲାଇନ ରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଯଥା ସାଇବର ସୁରକ୍ଷା ପ୍ରଚାର ପତ୍ର,ଭିଡ଼ିଓ ପ୍ରଦର୍ଶନ, ରେଡ଼ିଓ ଜିଙ୍ଗଲ,ସୁରକ୍ଷା ମେସେଜ୍, ଡିବେଟ ପ୍ରତିଯୋଗିତା, ପଥ ପ୍ରାନ୍ତ ନାଟକ, ନୁକ୍କଡ଼ ନାଟକ,ସଚେତନତା ରଥ ପରିକ୍ରମା, ପଦଯାତ୍ରା, ସାଇକେଲ ଯାତ୍ରା, ସ୍ପଟ କୁଇଜ଼, ସାଇବର ଅପରାଧ ଉପରେ ସମ୍ମିଳନୀ, ଅନଲାଇନ କୁଇଜ଼, ରିଲ ମ୍ୟାକିଙ୍ଗ ପ୍ରତିଯୋଗିତା ଇତ୍ୟାଦି ଆୟୋଜନ କରାଯିବ ଏବଂ ଏହାର ସଫଳ ରୂପାୟନ ବିଭାଗୀୟ ସମନ୍ୱୟରେ ସମ୍ଭବ ହେବ ବୋଲି ଆଶାବ୍ୟକ୍ତ କରି ସହଯୋଗ କାମନା କରିଥିଲେ।
ଜିଲ୍ଲାପାଳ କହିଥିଲେ ଯେ ଲୋକଙ୍କୁ ସାଇବର ଠକେଇରୁ ସୁରକ୍ଷା ଦେବା କେବଳ ପୋଲିସ ବିଭାଗର ନୁହେଁ ବରଂ ଆମ ସମସ୍ତଙ୍କ ଦାୟିତ୍ୱ। ନିଜେ ସତର୍କ ରହିବା ସହିତ ଜନସାଧାରଣ ଙ୍କୁ ସତର୍କ ରହିବା ପାଇଁ ଉପଯୁକ୍ତ ଭାବେ ସଚେତନ କରିପାରିଲେ ସାଇବର ଠକେଇ ରୁ ସୁରକ୍ଷା ମିଳିବ। ବିଶେଷ କରି ଗଣମାଧ୍ୟମର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କାରଣ ଗଣମାଧ୍ୟମରେ ପ୍ରଚାର ପ୍ରସାର ଫଳରେ ସଚେତନତା ଅଭିଯାନ ବ୍ୟାପକ ହୋଇପାରିବ। ମିଳିତ ପ୍ରୟାସରେ ଏହି ଅଭିଯାନକୁ ଫଳପ୍ରସୂ କରିବା ପାଇଁ ସୁଚାରୁ ରୂପେ ନିଜ ନିଜ ଦାୟିତ୍ୱ ସମ୍ପାଦନ କରିବାକୁ ଉପସ୍ଥିତ ସମସ୍ତଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

