କେନ୍ଦ୍ରାପଡା (ବିକାଶ ବେହେରା) : ଆଜିର ଆଧୁନିକ ଯୁଗରେ ପାର୍ବଣ ଉତ୍ସବଗୁଡ଼ିକ କେବଳ ପୂଜାପାଠରେ ସୀମିତ ନ ରହି ଧୀରେ ଧୀରେ ପ୍ରଦୂଷଣ ଓ କୋଳାହଳର କେନ୍ଦ୍ର ପାଲଟୁଛି। ବିଶେଷ କରି ଡିଜେ ବାଜାର ଅସହ୍ୟ ଶବ୍ଦ ପ୍ରଦୂଷଣ ପୂଜାପାଠର ଆଧ୍ୟାତ୍ମିକତାକୁ ନଷ୍ଟ କରିବା ସହିତ ପରିବେଶ ଓ ସ୍ୱାସ୍ଥ୍ୟ ପ୍ରତି ଏକ ବଡ଼ ବିପଦ ସୃଷ୍ଟି କରୁଛି। ଯେଉଁଠାରେ ସବୁଆଡେ ଡିଜେ ବାଜାର ତାଳେ ତାଳେ ଠାକୁର ଭସାଣି କାର୍ଯ୍ୟକ୍ରମରେ ଉତ୍ତେଜନା ଓ କୋଳାହଳ ଦେଖିବାକୁ ମିଳୁଛି, ସେଠାରେ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକର ବଡବେତରା ଗ୍ରାମର ଯୁବକମାନେ ଏକ ନିଆରା ପରମ୍ପରା ସୃଷ୍ଟି କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସେମାନେ ଶବ୍ଦ ପ୍ରଦୂଷଣମୁକ୍ତ ଏକ ଆଧ୍ୟାତ୍ମିକ ଓ ପାରମ୍ପରିକ ଭସାଣି ଉତ୍ସବର ଆୟୋଜନ କରି ପ୍ରଶଂସା ସାଉଁଟିଛନ୍ତି।

ଗଜଲକ୍ଷ୍ମୀ ପୂଜା ପରେ ମା’ଙ୍କ ଭସାଣି କାର୍ଯ୍ୟକ୍ରମକୁ ଏକ ସ୍ମରଣୀୟ ଓ ସୁନ୍ଦର ରୂପ ଦେବା ପାଇଁ ବଡବେତରା ଗ୍ରାମର ଯୁବକମାନେ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଥିଲେ। ଡିଜେ ବାଜାର କର୍ଣ୍ଣଭେଦୀ ଶବ୍ଦକୁ ବାଦ୍ ଦେଇ ସେମାନେ ଓଡ଼ିଶାର ଅନନ୍ୟ ଲୋକକଳା ତଥା ପାରମ୍ପରିକ ବାଦ୍ୟ ‘ଘଣ୍ଟ’କୁ ମା’ଙ୍କ ଭସାଣିରେ ସାମିଲ କରିଥିଲେ। ସବୁଠାରୁ ଆକର୍ଷଣୀୟ କଥା ହେଉଛି, ଯୁବକମାନେ ନିଜେ ସମସ୍ତେ ପାରମ୍ପରିକ ଲୁଗା ପିନ୍ଧି, କପାଳରେ ଚନ୍ଦନ ଲଗାଇ, ସଂଯମ ଓ ଭକ୍ତିର ଭାବନା ନେଇ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସେମାନେ ଗଜଲକ୍ଷ୍ମୀଙ୍କୁ ଏକ ସୁନ୍ଦର ଭାବେ ସଜାଯାଇଥିବା ବିମାନରେ ବସାଇ, ଘଣ୍ଟ ବାଦ୍ୟର ତାଳେ ତାଳେ ନାଚି ନାଚି ଗ୍ରାମ ପରିକ୍ରମା କରିଥିଲେ।
ଏହି ଦୃଶ୍ୟ ବାସ୍ତବରେ ଅଭିନବ ଏବଂ ପ୍ରେରଣାଦାୟକ ଥିଲା। ଯେଉଁଠାରେ ଅଧିକାଂଶ ଭସାଣି ଶୋଭାଯାତ୍ରାରେ ଉଚ୍ଚ ସ୍ୱରରେ ବାଜୁଥିବା ଡିଜେ ଗୀତ ଏବଂ ତା’ ସାଙ୍ଗକୁ ଅନେକ ସମୟରେ ଅଶୋଭନୀୟ ନୃତ୍ୟ ଦେଖିବାକୁ ମିଳେ, ସେଠାରେ ବଡବେତରା ଯୁବକମାନେ ସାଂସ୍କୃତିକ ଭାବନା ଏବଂ ଆଧ୍ୟାତ୍ମିକତାକୁ ପ୍ରାଧାନ୍ୟ ଦେଇଥିଲେ। ଘଣ୍ଟ ବାଦ୍ୟର ମାଙ୍ଗଳିକ ଧ୍ୱନି ଏବଂ ଯୁବକମାନଙ୍କର ଶାନ୍ତ ଓ ଶିଷ୍ଟ ନୃତ୍ୟ ସମସ୍ତଙ୍କ ମନରେ ଏକ ଭକ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରିଥିଲା। ଏହି ନିଆରା ଭସାଣି କାର୍ଯ୍ୟକ୍ରମ କେବଳ ଗ୍ରାମବାସୀଙ୍କ ଦ୍ୱାରା ନୁହେଁ, ବରଂ ଆଖପାଖ ଅଞ୍ଚଳର ଲୋକମାନଙ୍କ ଦ୍ୱାରା ମଧ୍ୟ ବହୁଳ ଭାବେ ପ୍ରଶଂସିତ ହୋଇଛି।

ଶବ୍ଦ ପ୍ରଦୂଷଣ, ବିଶେଷକରି ପାର୍ବଣ ସମୟରେ, ଏକ ବଡ଼ ସାମାଜିକ ଓ ପରିବେଶଗତ ସମସ୍ୟା ଭାବରେ ଉଭା ହୋଇଛି। ଏହା କେବଳ ବୟସ୍କ ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉ ନାହିଁ, ବରଂ ଶ୍ରବଣ ଶକ୍ତି ହରାଇବା, ମାନସିକ ଚାପ, ନିଦ୍ରାହୀନତା ଭଳି ଅନେକ ସମସ୍ୟା ସୃଷ୍ଟି କରୁଛି। ଅନେକ ସ୍ଥାନରେ ଡିଜେ ବାଜାକୁ ନେଇ ଗଣ୍ଡଗୋଳ, ମାଡ଼ପିଟ୍ ଓ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ବଡବେତରା ଗ୍ରାମର ଯୁବକମାନେ ଯେଉଁଭଳି ପଦକ୍ଷେପ ନେଇଛନ୍ତି, ତାହା ଅନ୍ୟ ଗ୍ରାମ ଓ ସହରର ଯୁବକମାନଙ୍କ ପାଇଁ ଏକ ଅନୁକରଣୀୟ ଦୃଷ୍ଟାନ୍ତ ସ୍ଥାପନ କରିଛି।
ଏହା ପ୍ରମାଣିତ କରିଛି ଯେ, ପରମ୍ପରାକୁ ବଜାୟ ରଖିବା ପାଇଁ ଅତ୍ୟାଧୁନିକ ଉପକରଣ ବା ଅତ୍ୟଧିକ କୋଳାହଳର ଆବଶ୍ୟକତା ନାହିଁ। ବରଂ, ନିଷ୍ଠା, ଶ୍ରଦ୍ଧା ଏବଂ ସାମୂହିକ ପ୍ରୟାସ ବଳରେ ଯେକୌଣସି ପାର୍ବଣକୁ ଅଧିକ ସୁନ୍ଦର ଓ ଅର୍ଥପୂର୍ଣ୍ଣ କରିହେବ। ବଡବେତରା ଯୁବକମାନେ ଏକ ନୂଆ ପରମ୍ପରା ସୃଷ୍ଟି କରିବା ସହିତ ଶବ୍ଦ ପ୍ରଦୂଷଣମୁକ୍ତ ଏକ ସୁସ୍ଥ ସମାଜ ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ଏହିଭଳି କାର୍ଯ୍ୟକ୍ରମଗୁଡ଼ିକୁ ପ୍ରୋତ୍ସାହିତ କରିବା ଏବଂ ଅନ୍ୟମାନଙ୍କୁ ଏଥିପ୍ରତି ସଚେତନ କରିବା ସମୟର ଆହ୍ୱାନ।

