ଭୁବନେଶ୍ବର: ଆସନ୍ତା ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ବେଆଇନ ବିସ୍ଫୋରକ ଭଣ୍ଡାର, ବିନା ଅନୁମତିରେ ପରିବହନ ଓ ବେଆଇନ ଆତସବାଜି ବିକ୍ରୟକୁ ରୋକିବା ଉଦ୍ଦେଶ୍ୟରେ ରାଜ୍ୟରେ ସେପ୍ଟେମ୍ବର ୧୪ ରୁ ୨୭ ଯାଏଁ “ଅଗ୍ନି” ନାମକ ବିଶେଷ ଅଭିଯାନ ଚାଲିଥିଲା । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଏହାକୁ ଆରମ୍ଭ କରାଯାଇଥିଲା ।
ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଏହି ଅପରେସନ ସାରା ରାଜ୍ୟରେ କାର୍ଯ୍ୟକାରୀ ହୋଇଛି । ଏହି ସମୟ ଅବଧି ମଧ୍ୟରେ ସମଗ୍ର ରାଜ୍ୟରେ ସର୍ବମୋଟ ୧୮୪ଟି ମାମଲା ରୁଜୁ ହୋଇଥିବା ବେଳେ, ୧୩୩ ଜଣଙ୍କୁ ଗିରଫ ଏବଂ ୪୫ ନୋଟିସ ଜାରି କରାଯାଇଛି । ଏହା ସହ ପ୍ରାୟ ୮ କୋଟି ୨୪ ଲକ୍ଷ ୬୦ ହଜାର ୭୦୦ ମୂଲ୍ୟର ସାମଗ୍ରୀ ଜବତ କରାଯାଇଛି ବୋଲି ସୂଚନା ରହିଛି ।

