Cm 2 1068x601

ଲଘୁଚାପ ବର୍ଷା: ଝାରସୁଗୁଡ଼ାରୁ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ

ଝାରସୁଗୁଡ଼ା: ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବା ସମ୍ଭାବନା ରହିଛି । ୨୭ ତାରିଖ ସକାଳେ ଦକ୍ଷିଣ ଓଡିଶା-ଉତ୍ତର ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଲଘୁଚାପ ଯୋଗୁ ଅତି ପ୍ରବଳ ବର୍ଷା ପାଇଁ ଓଡିଶାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୁକ୍ରବାର ଝାରସୁଗୁଡ଼ା ଗସ୍ତରେ ଯାଇଥିବାବେଳେ ଭିଡିଓ କନଫରେନ୍ସ ଜରିଆରେ ସମସ୍ତ ଜିଲାର ଜିଲାପାଳମାନଙ୍କ ସହିତ ଆଲୋଚନା କରି ସମୀକ୍ଷା କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସମେତ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପ୍ରମୁଖ ଶାସନ ସଚିବ ମନୋଜ ଆହୁଜା, ଡିଜିପି ଯୋଗେଶ ବାହାଦୂର ଖୁରାନିଆ, ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଚିନ ରାମଚନ୍ଦ୍ର ଯାଦବ ପ୍ରମୁଖ ସମସ୍ତ ଜିଲ୍ଲାର ଅଧିକାରୀଙ୍କ ସହିତ କଥା ହୋଇଥିଲେ। ସୁବିଧା ଓ ଅସୁବିଧା ବିଷୟରେ ସମୀକ୍ଷା କରିଥିଲେ। ମାଲକାନଗିରି, କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲାରେ ବ୍ୟାପକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

କିଛି ଜିଲାକୁ ଅତି ପ୍ରବଳ ବର୍ଷା ପାଇଁ ରେଡ୍‌ ଆଲର୍ଟ ଜାରି ହୋଇଛି । ବର୍ଷା ଓ ସାମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଏସଆରସିଙ୍କ ସମୀକ୍ଷା ବୈଠକ ହୋଇଛି। ଏସଆରସିଙ୍କ ସହ ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ସାମିଲ ହୋଇଛନ୍ତି। ମହାନଦୀ ଓ ମୁଣ୍ଡୁଳୀରେ ବର୍ଦ୍ଧିତ ଜଳସ୍ତର ଉପରେ ସମୀକ୍ଷା କରାଯାଇଛି। ଉପକୂଳ ସମେତ ଦକ୍ଷିଣ ଓଡିଶାରେ ବର୍ଷା ଜାରି ରହିଛି। କୋରାପୁଟ ଓ ମାଲକାନଗିରିରେ ଆଜି ଅତିପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି।

Shrutilipi ad