ବାରିପଦା: ବାରିପଦା ଭିଜିଲାନ୍ସ କୋର୍ଟ ର ସ୍ୱତନ୍ତ୍ର ଜଜ୍ ପୂନ୍ନିମା ଜେନା ଏକ ଆୟବହିର୍ଭୁତ ସମ୍ପତି ଠୁଳ ମାମଲାର ବିଚାର କରି ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳର ତଥା ମୟୁରଭଞ ଜିଲା ଜାମଶୋଳା ଚେକଗେଟ ର ପୂର୍ବତନ ଜୁନିଅର ଏମଭିଆଇ ବିଜୟ କୁମାର ପତି (୬୮) କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡପ୍ରଦାନ କରିଛନ୍ତି । ମାମଲାର ବିବରଣୀ ରୁ ପ୍ରକାଶ ଯେ ୨୦୧୦ ମସିହାରେ ବିଜୟ କୁମାର ପତି ଚାକିରୀରେ ଥିବା ସମୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ନାମରେ ୮୩ ଲକ୍ଷ ୫୭ ହଜାର ଟଙ୍କା ର ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଏକ ଭିଜିଲାନ୍ସ ମାମଲା ରୁଜୁ କରାଯାଇଥିଲା । ଏ ବାବଦରେ ଭିଜିଲାନ୍ସ ବିଭାଗ ପକ୍ଷରୁ ୫୮/୧୦ ରେ ଏକ ମାମଲା ରୁଜୁ କରାଯାଇଥିଲା । ପରେ ଏହାର ତଦନ୍ତ କରାଯିବାରୁ ୩୯ ଲକ୍ଷ ୭୦ ହଜାର ୨୬୪ ଟଙ୍କା ସମ୍ପତିର କୈାଣସି ପ୍ରମାଣ ଅଭିଯୁକ୍ତ ବିଜୟ କୁମାର ପତି କୋର୍ଟରେ ଉପସ୍ଥାପନ କରିପାରିନଥିଲେ । ଆଜି ଉକ୍ତ କେସର ବିଚାର କରାଯାଇ ଭିଜିଲାନ୍ସ ଅଦାଲତ ପକ୍ଷରୁ ଦଫା୧୩(୨) ରିଉ ଉଇଥ ୧୩(୧)(ଇ) ପିସି ଆକ୍ଟ ୧୯୮୮/୧୦୯ ଆଇପିସି ଅନୁଯାୟୀ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଏକ ଲକ୍ଷ ଟଙ୍କା ଜୋରିମାନାରେ ଦଣ୍ଡିତ କରାଯାଇଅଛି । ଏଥି ସହିତ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ପେନସନ କୁ ବନ୍ଦ କରାଯିବା କୁ ବିଭାଗୀୟ ଉପରିସ୍ଥ ଅଧିକାରୀ ଙ୍କୁ ଅବଗତ କରାଯାଇଅଛି । ଉକ୍ତ ମାମଲାକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପି ପି ଶାନ୍ତନୁ କୁମାର ଦାସ ଏବଂ ଦୀପକ କୁମାର ସେଠି ପରିଚାଳନା କରିଥିଲେ ।

