ବାରିପଦା: ଆଜି ଏକ ଗୁଣି ଗାରେଡି ସନ୍ଧେହରେ ପିଟାମରା ସଙ୍କ୍ରାନ୍ତୀୟ ଅଭିଯୋଗ ମାମଲାର ବିଚାର କରି ଆସିଷ୍ଟାଣ୍ଟ ସେସନ୍ସ ଜଜ ଦେବାଶିଷ ମହାନ୍ତି ଛଅ ଜଣ ଅଭିଯୁକ୍ତ ମୟୁରଭଞ ଜିଲା ଚାନ୍ଦୁଆ ଥାନା ଅନ୍ତର୍ଗତ ସାନସରାପୋଷି ଗ୍ରାମର ଅମର କୁମାର ସିଂ (୬୯) , କମଲ ସିଂ (୪୦), ସନାତନ ସିଂ (୫୦) , ରାଜକିଶୋର ସିଂ (୪୫) , ରାଜେନ୍ଦ୍ର ସିଂ (୪୦) ଏବଂ ରଙ୍ଗଲାଲ ସିଂ(୩୫) ପ୍ରତ୍ୟେକ ଙ୍କୁ ଜିଲା ପ୍ରବେସନ ଅଧିକାରୀ ଙ୍କ ତତ୍ୱାବଧାନରେ ଦୁଇ ବର୍ଷ ଲେଖାଏଁ ରହିବାକୁ ଆଦେଶ ପ୍ରଦାନ କରାଯାଇଅଛି । ଏଥି ସହିତ ସମସ୍ତ ଅଭିଯୁକ୍ତ ଦୁଇ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ରାୟରେ ଉଲେଖ କରାଯାଇଅଛି । ଉକ୍ତ ଆଦାୟ ଜୋରିମାନା ଅର୍ଥ ଅଭିଯୋଗକାରୀ ଙ୍କୁ ପୈଠ କରିବା ପାଇଁ ମଧ୍ୟ ରାୟରେ ଉଲେଖ କରାଯାଇଅଛି । ମାମଲାର ବିବରଣୀ ରୁ ପ୍ରକାଶ ଯେ ଉକ୍ତ ସାନସରାପୋଷି ଗ୍ରାମର ଶ୍ୟାମସୁନ୍ଦର ସିଂ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ଉକ୍ତ ଛଅ ଜଣ ଅଭିଯୁକ୍ତ ଅଭିଯୋଗକାରୀ ଙ୍କୁ ଗୁଣି ଗେରେଡି କରୁଥିବାର ସନ୍ଧେହ କରି ଏକ ନିବୁଜ ଘରେ ରଖି କିଛିଦିନ ଧରି ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେଇଆସୁଥିଲେ । ଏପରିକି ତାଙ୍କୁ ଜୀବନରୁ ମାରିବାର ଚେଷ୍ଟା ମଧ୍ୟ କରିଥିଲେ । ତାଙ୍କ ଘରୁ ଅଭିଯୁକ୍ତ ମାନେ ଧାନ ଏବଂ ଚାଉଳ ସମେତ ଅନ୍ୟାନ୍ୟ ଆସବାପତ୍ର ଚୋରୀ କରିନେଇଛନ୍ତି । ଅଭିଯୋଗ କୁ ଭିତ୍ତି କରି ଚାନ୍ଦୁଆ ଥାନାରେ କେସ ନମ୍ବର ୧୫/୨୦-୨-୨୦୨୧ ରେ ଏକ ମାମଲା ରୁଜୁ କରିବା ସହିତ ଛଅ ଜଣ ଅଭିଯୁକ୍ତ ଙ୍କୁ ୨୪-୨-୨୦୨୧ ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଆଜି ସମସ୍ତ ୧୧ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ମାନ୍ୟବର ଅଦାଲତ ପକ୍ଷରୁ ଚୁଡାନ୍ତ ରାୟ ପ୍ରକାଶ ପାଇଅଛି । ଉକ୍ତ କେସକୁ ସରକାରୀ ଅଭିଯୋଗକ ବ୍ରଜେନ୍ଦ୍ର ମହାନ୍ତି ପରିଚାଳନା କରୁଥିବାବେଳେ ଜିଲା ଅଭିଯୋଗକ ନିର୍ଦ୍ଧେଶାଳୟ ତରଫରୁ କେସ କୁ ନିରୀକ୍ଷଣ କରାଯାଉଥିଲା ।

