ବାରିପଦା- ମୟୂରଭଞ୍ଜ ଜିଲ୍ଲାର ଅନେକ ଆଦିବାସୀ ଗାଁ ରେ ମୌଳିକ ସୁବିଧା ପହଞ୍ଚି ପାରୁନି। କେଉଁଠି ରାସ୍ତା ଓ ପୋଲ ନ ଥିବାରୁ ରୋଗୀ ଖଟିଆରେ ବୁହା ହେଉଛନ୍ତି ତ କେଉଁଠି ଲୋକଙ୍କୁ ମିଳିପାରିନି ପାନୀୟଜଳ ଏବଂ ବାସଗୃହ ଭଳି ମୌଳିକ ସୁବିଧା। ମୟୂରଭଞ୍ଜ ର ଆଦିବାସୀ ଗାଁ ରେ ୫ଜି ଟାୱର୍ ଲାଗୁଛି ସତ ହେଲେ ବାସ୍ତବରେ ନିରୀହ ଆଦିବାସୀ ମାନେ ଆଜି ବି ଅବହେଳିତ ହୋଇ ଦୁର୍ବିସହ ଜୀବନ କାଟୁଛନ୍ତି। ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ସୁରୁଦା ଯଶିପୁର ପଞ୍ଚାୟତ ଅଧୀନସ୍ଥ ସାପଘରା ଗାଁ ରେ ଆଦିବାସୀ ମାନେ ଆଜି ବି ଅବହେଳିତ ହୋଇ ଦୁର୍ବିସହ ଜୀବନ କାଟୁଛନ୍ତି। ସମସ୍ତେ ଦାରିଦ୍ର୍ୟତ ସୀମାରେଖା ତଳେ ରହିଛନ୍ତି। ଏମାନଙ୍କ ମୂଖ୍ୟ ଜୀବିକା ଚାଷ। ଲୋକଙ୍କର କିଛି କିଛି ଚାଷଜମି ରହିଥିଲେ ମଧ୍ୟ ଅନେକ ସମୟରେ ହାତୀ ଫସଲ ନଷ୍ଟ କରିଦେଉଥିବା ରୁ ସଠିକ ଭାବେ ଅମଳ ହୁଏନି କି କ୍ଷତି ପୂରଣ ବି ଏମାନଙ୍କୁ ମିଳୁନଥିବାର ଗ୍ରାମବାସୀ କହିଛନ୍ତି। ଫଳରେ ରୋଜଗାର ନ ଥିବାରୁ ଗାଁ ଯୁବକ ମାନେ ଅନେକ ସମୟରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଆନ୍ତି। ପାନୀୟ ଜଳ ପାଇବା ପାଇଁ ସାପଘରା ଗାଁ ରେ ବସୁଧା ଟାଙ୍କି ଅଛି l ଏହି ଟାଙ୍କି ରୁ ଗ୍ରାମବାସୀ ପାନୀୟ ଜଳ ବ୍ୟବହାର କରୁଥିଲେ l ପ୍ରାୟ ଦୁଇ ମାସ ରୁ ଅଧିକ ହେବ ପାଇବ ଫାଟିଯିବାରୁ ପାନୀୟ ଜଳ ପାଇପାରୁନାହାନ୍ତି ଗ୍ରାମବାସୀ l ପାଣି ପାଇଁ ଗ୍ରାମବାସୀ ନାହିଁ ନଥିବା ହଇରାଣ ର ସମ୍ମୁଖୀନ ହେଉଛନ୍ତି l ଏହି ବିଷୟରେ ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କୁ ବାରମ୍ବାର ଦାବି, ଗୁହାରି ପରେବି ଏହାର କିଛି ସୁଫଳ ମିଳୁନାହାଁ l ତେଣୁ ଏହି ସମସ୍ୟାର ଶୀଘ୍ର ସମାଧାନ କରିବା ପାଇଁ ଗ୍ରାମବାସୀ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି l

