ବାରିପଦା:-: ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଓଡିଶା ଝୁମର ଏକାଡେମି ଓ ବିଶ୍ଵବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଦୁଇଦିନ ବ୍ୟାପି ଝୁମର ଆଲୋଚନା ଚକ୍ର ଓ କର୍ମଶାଳା ଉଦଯାପିତ ହୋଇଯାଇଛି। ଦ୍ବିତୀୟ ଦିନର କର୍ମଶାଳାକୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଉଦଘାଟନ କରିଥିଲେ ଓ ଉଦଯାପନୀ ଉତ୍ସବରେ ଏକାଡେମୀର ସଭାପତି ଆଡଭୋକେଟ ଅବନୀ କୁମାର ମହାନ୍ତ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୟୁରଭଞ୍ଜର ମହାରାଜା ଶ୍ରୀଯୁକ୍ତ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ମୁଖ୍ୟ ଅତିଥି, ପୂର୍ବତନ ସାଂସଦ ଓ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବୀରଭଦ୍ର ସିଂ ମୁଖ୍ୟବକ୍ତା, ଝୁମର ବିଶାରଦା ଡ. ବୀଣାପାଣି ମହାନ୍ତ ସମାନ୍ନିତ ଅତିଥିଭାବେ ଯୋଗ ଦେଇଥିଲେ। ଏକାଡେମିର ସାଧାରଣ ସମ୍ପାଦକ ଆଡଭୋକେଟ ବସନ୍ତ ମହାନ୍ତ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ ଓ ଉପସଭାପତି ଶ୍ରୀ ରାକେଶ ସିଂ ଅତିଥି ପରିଚୟ ଦେଇଥିଲେ। ଅଧ୍ଯାପକ ଗୋପବନ୍ଧୁ ସଭାର ସଂଯୋଜନା କରିଥିଲେ। ମୁଖ୍ୟଅତିଥି ଶ୍ରୀ ଭଞ୍ଜଦେଓ ଝୁମରକୁ ମୟୂରଭଞ୍ଜର ଏକ ଅବିଚ୍ଛେଦ୍ୟ ସଂସ୍କୃତି ଓ ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାର ମାଧ୍ୟମ ବୋଲି କହିଥିଲେ। ସଂସ୍କୃତି ବିଲୁପ୍ତ ହେଲେ ଗୋଟିଏ ଅଞ୍ଚଳର ପରିଚୟ ହଜିଯାଏ। ଯୁବପିଢି ଝୁମର ସଂସ୍କୃତି ସହିତ ଆନ୍ତରିକତାର ସହିତ ସଂଶ୍ଳିଷ୍ଟ ହେଲେ ଏହାକୁ ବଢାଯାଇ ପାରିବ। ଦେଶର ଅନେକ ରାଜ୍ୟ ସହିତ ନେପାଳରେ ମଧ୍ଯ ଝୁମର ଅଛି ବୋଲି ସେ କହିଥିଲେ। ପ୍ରକାଶ ଥାଉକି ସ୍ଵାଗତ ଅଭିଭାଷଣରେ ସମ୍ପାଦକ ବସନ୍ତ ମହାନ୍ତ ଭାରତବର୍ଷର ଅନେକ ରାଜ୍ୟରେ ଝୁମର ରହିଥିବାର ସୂଚନା ଦେଇଥିଲେ। ଓଡିଶାର ମୟୁରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲା ସମେତ ଝାଡଖଣ୍ଡ, ପଶ୍ଚିମବଙ୍ଗ, ଆସାମ ପ୍ରଭୃତି ରାଜ୍ୟରେ ଝୁମର ଲୋକପ୍ରିୟ। ଏପରିକି ଭାରତ ବାହାରେ ବାଂଲାଦେଶ, ଆଫଗାନିସ୍ଥାନ ପରି କେତେକ ଦେଶରେ ଏହା ରହିଛି ବୋଲି ଉଲ୍ଲେଖ କରିଥିଲେ। ମୁଖ୍ୟବକ୍ତା ଶ୍ରୀ ସିଂ ଝୁମରକୁ ସାଂସ୍କୃତିକ ଚେତନାର ଅଂଶ ଓ ଜନଜୀବନର ସ୍ପନ୍ଦନ ବୋଲି କହିଥିଲେ। ସମ୍ମାନିତ ଅତିଥି ଡ. ବୀଣାପାଣି ମହାନ୍ତ ସମସ୍ତଙ୍କୁ ମିଳିତଭାବେ ଏ ମହାନ ଲୋକ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ କାର୍ଯ୍ୟ କରିବା ପାଇଁ ଆହ୍ଵାନ ଦେଇଥୂଲେ। ସେ ବିଭିନ୍ନ ପ୍ରକାର ଝୁମର ଓ ଝୁମରର କ୍ରମ ବିକାଶ ଉପରେ ଆଲୋକପାତ କରିଥିଲେ।
.ପ୍ରଥମ ଦିନର କାର୍ଯ୍ୟକ୍ରମରେ ଅଭ୍ୟର୍ଥନା କମିଟିର ସଭାପତି ବାରିପଦା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ସୋରେନଙ୍କ ଅଧ୍ୟକ୍ଷତାରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଝୁମରର ବ୍ୟାପକ ପ୍ରସାର ପାଇଁ ତାଙ୍କ ସହଯୋଗ ନିଶ୍ଚିତ ରହିବ ଓ ବାରିପଦାଠାରେ ଏକ ଜାତୀୟ ଝୁମର ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ ପାଇଁ ସେ ପଦକ୍ଷେପ ନେବେ ବୋଲି କହିଥିଲେ। ଏଦିଗରେ ଯୋଜନା ପ୍ରସ୍ତୁତ କରିବା ପାଇଁ ଏକାଡେମୀର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତାଭାବେ ଜାତୀୟ ଏୈତିହ ସ୍ମାରକ ଆୟୋଗର ଅଧ୍ୟକ୍ଷ ପ୍ରୋଫେସର କିଶୋର ବସା ଯୋଗଦେଇ ଝୁମରର ଶୈକ୍ଷିକ ମନ୍ୟତା ଓ ପ୍ରସ୍ତାବିତ ଜାତୀୟ ଝୁମର ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠାର ଆବଶ୍ୟକତା ରହିଛି ଓ ଏଥିପାଇଁ ସହଯୋଗ କରିବେ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଓଡିଶାର ବରିଷ୍ଠ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ମହାପାତ୍ର ଓ ନିତ୍ୟାନନ୍ଦ ଗଣ୍ଡ ତଥା ମୟୁରଭଞ୍ଜ ସାଂସଦ ଶ୍ରୀଯୁକ୍ତ ନବଚରଣ ମାଝୀ ଓ ସାଂସଦ ଶ୍ରୀମତୀ ମମତା ମହାନ୍ତ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଆମନ୍ତ୍ରିତ ଅତିଥିଭାବେ ବିଧାୟକମାନଙ୍କ ମଧ୍ୟରୁ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ମଢ଼େଇ, ଶ୍ରୀଯୁକ୍ତ ପଦ୍ମଚରଣ ହଇବ୍ରୃ, ଶ୍ରୀଯୁକ୍ତ ସନାତନ ବିଜୁଳି, ସୁଶ୍ରୀ ସଞ୍ଜଳୀ ମୁର୍ମୁ, ଶ୍ରୀଯୁକ୍ତ ଜଲେନ ନାଏକ ତଥା ପଶ୍ଚିମବଙ୍ଗ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ମହାତୋଙ୍କ ସହଧମିର୍ଣୀ ପ୍ରୋଫେସର ଅଞ୍ଜନା ମାହାତୋ, ଉଦଳା ଏନଏସି ଚେୟାରମ୍ୟାନ ଶ୍ରୀମତୀ ପ୍ରମିଳା ପଣ୍ଡା ଯୋଗ ଦେଇଥିଲେ।
ଦ୍ବିତୀୟ ଦିନର କର୍ମଶାଳାରେ ସମସ୍ତ ସମ୍ପ୍ରଦାୟର ବିଶେଷଜ୍ଞ, ଗବେଷକ, ଗାୟକ ଓ ବାଦକ ଯୋଗ ଦେଇଥିଲେ। ଯେଉଁମାନେ ନିଜ ନିବନ୍ଧ ଉପସ୍ଥାପନ କରିଥିଲେ ସେମାନେ ହେଲେ ଡ. ଯତୀନ୍ଦ୍ର ନାଥ ସିଂହ ଦେବ ସଚାନ, ଡ. ମେଜର କଳ୍ପନା ଦାସ, ଡ. ବସନ୍ତ କୁମାର ମହାନ୍ତ, ଝାଡଖଣ୍ଡର ବିକାଶ ମହାନ୍ତ, ମେଘାନୂର ମହାନ୍ତ, ଭାନୁମତୀ ସିଂ, ଡ. ରମାକାନ୍ତ ମହାନ୍ତ, ଚିତ୍ତରଞ୍ଜନ ମହାନ୍ତ, ହରିଶ ମହାନ୍ତ ପ୍ରମୂଖ, ଯେଉଁମାନେ ଝୁମର ଗୀତ ପରିବେଶଣ କରିଥିଲେ ସେମାନେ ହେଲେ ଆରତି ଟୁଡୁ, ବିନ୍ଦୁ ମହାନ୍ତ, କୃପାସିନ୍ଧୁ ମହାନ୍ତ, ସାଉନା ମାଝୀ, ଶିରିଷ ମହାନ୍ତ ପ୍ରମୁଖ, ଯେଉଁମାନେ ବାଦ୍ୟ ପରିବେଷଣ କରିଥିଲେ ସେମାନେ ହେଲେ ବିରଞ୍ଚି ମହାନ୍ତ, କ୍ଷୀରୋଦ ମହାନ୍ତ, ରବିନ୍ଦ୍ର ମହାନ୍ତ ପ୍ରମୁଖ। ଏଥିରେ ଦାନ୍ତୁଣୀ ବଗାଳ ଝୁମର ଦଳ ବାଦ୍ୟ, ଗୀତ ଓ ନାଚ ପରିବେଷଣ କରିଥିଲେ। ସର୍ବ ଶେଷରେ ଏକାଡେମିର ସଭାପତି ଅବନୀ ମହାନ୍ତ ତାଙ୍କ ବକ୍ତବ୍ୟରେ ଅନୁଷ୍ଠାନର ବିକାଶ ଦିଗରେ ଦଳ, ମତ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସହଯୋଗର ହାତ ବଢାଇବା ସହିତ କାର୍ଯ୍ୟକ୍ରମର ସଫଳତା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

