- ଶିଶୁଙ୍କୁ ସଠିକ୍ ପୋଷଣ ସହ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଦକ୍ଷତାକୁ ଦିଆଯିବ ଅଗ୍ରାଧିକାର – ଧର୍ମେନ୍ଦ୍ର ପ୍ରଧାନ
- ବୈଠକରେ ଓଡ଼ିଶାର ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ସାଂସଦ ନବ ଚରଣ ମାଝୀ, ମମତା ମହାନ୍ତ ଓ ବିଧାୟକମାନେ ପ୍ରମୁଖ ଉପସ୍ଥିତ
- ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କାପାସିଟି ବିଲଡିଂ ବଢାଇବା ଦିଗରେ ଆଲୋଚନା
- ସ୍କୁଲରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଶିକ୍ଷାର ଗୁଣାତ୍ମକ ମାନକୁ ବଢାଇବା ପାଇଁ ହେବ ଯୋଜନା
- ବାରିପଦାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ରମନ୍ତ୍ରୀବ।
ବାରିପଦା – ଆଜି ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ବାରିପଦା ସ୍ଥିତ ଶହୀଦ ସ୍ମୃତି ଭବନରେ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ବିଷୟରେ ସମୀକ୍ଷା କରିଛନ୍ତି ।
ଉକ୍ତ ବୈଠକରେ ନବଜାତ ଶିଶୁମାନଙ୍କର ଉପଯୁକ୍ତ ପୋଷଣ ସହ ସେମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଶିକ୍ଷା ଓ ଦକ୍ଷତା ବିକାଶ ଉପରେ ଚର୍ଚ୍ଚା ହୋଇଛି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ପ୍ରଶାସନ ପକ୍ଷରୁ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ଉପରେ ଏକ ବିବରଣୀ ଉପସ୍ଥାପନ କରାଯାଇଥିଲା । ବୈଠକ ପରେ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶାର ଶିକ୍ଷାକୁ ଆଗେଇ ନେବାରେ ମୟୂରଭଞ୍ଜ ଜିଲ୍ଲାର ଅବଦାନ ଅତୁଳନୀୟ । ମୟୂରଭଞ୍ଜରେ ଅନେକ ଗୁଣାତ୍ମକ ଶିକ୍ଷାନୁଷ୍ଠାନ ଅଛି । ଏହି ଜିଲ୍ଲାର ବିକାଶ ନ ହେଲେ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ର ସ୍ୱପ୍ନ ସମ୍ଭବ ହୋଇପାରିବ ନାହିଁ । ବୈଠକରେ ନବଜାତ ଶିଶୁଙ୍କ ପୋଷଣ ଠାରୁ ଆରମ୍ଭ କରି ସେମାନେ ଦ୍ୱାଦଶ ଶ୍ରେଣୀରେ ପଢିବା ପର୍ଯ୍ୟନ୍ତ ସେମାନଙ୍କୁ କିପରି ଗୁଣାତ୍ମକ ଶିକ୍ଷା ମିଳିବ, ଦକ୍ଷତା ବୃଦ୍ଧି ହୋଇପାରିବ, ସ୍ୱାସ୍ଥ୍ୟ ଠିକ୍ ରହିବ, ତାହା ଉପରେ ଚର୍ଚ୍ଚା ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କାପାସିଟି ବିଲଡିଂ ବଢାଇବା ଆବଶ୍ୟକ । ସାକ୍ଷରତା ହାର ବୃଦ୍ଧି କରିବା ସହ ସ୍କୁଲରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଶିକ୍ଷାର ଗୁଣାତ୍ମକ ମାନକୁ ବଢାଇବା ଦିଗରେ ଯୋଜନା କରାଯିବ ବୋଲି ସେ ମତପ୍ରକାଶ କରିଥିଲେ । ଏହି ସମୀକ୍ଷା ବୈଠକରେ ଓଡ଼ିଶାର ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ମାନ୍ୟବର ଲୋକସଭା ସାଂସଦ ଶ୍ରୀ ନବ ଚରଣ ମାଝୀ,ମାନ୍ୟବର ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୟୂରଭଞ୍ଜ ଜିଲ୍ଲାର ମାନ୍ୟବର ବିଧାୟକ ବୃନ୍ଦ ଶ୍ରୀ ପ୍ରକାଶ ସୋରେନ, ଶ୍ରୀ ଭାସ୍କର ମଢେଇ, ଶ୍ରୀ ଭାଦବ ହାଁସଦା, ଶ୍ରୀ ସନାତନ ବିଜୁଳି, ଶ୍ରୀ ପଦ୍ମ ଚରଣ ହାଇବୁରୁ, ଶ୍ରୀ ଜଲେନ ନାଏକ, ସୁଶ୍ରୀ ସଞ୍ଜଳୀ ମୁର୍ମୁ ଙ୍କ ସମେତ ବାଲେଶ୍ୱର ବିଧାୟକ ଶ୍ରୀ ମାନସ ଦତ୍ତ ଓ ନୀଳଗିରି ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ ଯୋଗ ଦେଇଥିବା ବେଳେ ମହାରାଜା ଶ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ଜିଲ୍ଲାର ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ପ୍ରକାଶ ଥାଉ କି, ମୟୂରଭଞ୍ଜ ଜିଲ୍ଲା ବାରିପଦା ଗସ୍ତକାଳରେ ଶ୍ରୀ ପ୍ରଧାନ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି କ୍ରମରେ ୭୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବାରିପଦାରେ ‘ମୟୂରଭଞ୍ଜ ଆଥଲେଟିକ୍ ଆସୋସିଏସନ’ର ପ୍ରଶାସନିକ ଭବନ ଉଦଘାଟନ, ୫ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁଥିବା ବାରିପଦା ଛଉନୃତ୍ୟ ମଣ୍ଡପ ପ୍ରକଳ୍ପ ଓ ୨୬ କୋଟି ଟଙ୍କା ମୂଲ୍ୟ ବ୍ୟୟ ଅଟକଳରେ ହେବାକୁଥିବା ବାରିପଦାରେ ଜୁବୁଲି ପାର୍କ ଓ ଝିଞ୍ଜିରୀ ବନ୍ଧର ସୌନ୍ଦର୍ଯ୍ୟକରଣ ତଥା ପୁନଃ ନବୀକରଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଅପରାହ୍ନରେ ମାନ୍ୟବର ମନ୍ତ୍ରୀ ବାରିପଦା ତାକତପୁର ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କନଭେନସନ ହଲରେ ଆୟୋଜିତ ହେବାକୁ ଥିବା ଝୁମର କର୍ମଶାଳା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରିବେ।
ଉକ୍ତ ଗସ୍ତ କାଳରେ ଅନେକ ସ୍ଥାନରେ ମାନ୍ୟବର ମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

