Saturday, March 07, 2026
Sfsfsxcxcxcxc 2025 09 08 02 16 05

ପାହାଡ଼ ଉପରକୁ ଉଠିପାରିଲାନି ଆମ୍ବୁଲାନ୍ସ: ୫ କିମି ଭାରରେ ବୁହାହେଲେ ରୋଗୀ

ରାଜ୍ୟ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଟେମୁରୁପାଲ୍ଲୀ ପଞ୍ଚାୟତର ତୁଳସୀ ପାହାଡ଼ ରାସ୍ତା ମରଣଯନ୍ତା ପାଲଟିଛି। ମରାମତି ଅଭାବରୁ ପାହାଡ଼ ଉପରେ ଥିବା ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ। ଫଳରେ ୫ କିମି ଭାରରେ ବୁହା ହୋଇ ଆସିଲେ ରୋଗୀ।  ତୁଳସୀ ଗାଁର ମଙ୍ଗଳଦେଇ ଦୁରୁଆ ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ହେବା ପରେ ପରିବାର ଲୋକେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ଗାଁଠାରୁ ୫ କିମି ଦୂରରେ ଆମ୍ବୁଲାନ୍ସ ଅଟକି ଯିବାରୁ ସାଲିମି ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟ କର୍ମୀ ହରେକୃଷ୍ଣ ପାତିକା ପାହାଡ଼ ଚଢ଼ି ଗାଁକୁ ଯାଇ ରୋଗୀଙ୍କୁ କାନ୍ଧରେ ବୋହି ଆଣିଥିଲେ। ୫ କିମି କାଦୁଅ ପଚପଚ ରାସ୍ତାରେ ରୋଗୀଙ୍କୁ ଧରି ପାହାଡ଼ ଉପରୁ ଓହ୍ଲାଇବା କଷ୍ଟକର ଥିଲା ବୋଲି ସ୍ବାସ୍ଥ୍ୟକର୍ମୀ ଶ୍ରୀ ପାତିକା କହିଛନ୍ତି।

ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପରେ ମଙ୍ଗଳଦେଇଙ୍କୁ ପ୍ରଥମେ ସାଲିମି ସ୍ବାସ୍ଥ୍ୟକେନ୍ଦ୍ର ଓ ପରବର୍ତ୍ତୀ ସମୟରେ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ମଙ୍ଗଳଦେଇ ସୁସ୍ଥ ହେଉଥିବା ଡାକ୍ତର କହିଛନ୍ତି। ସ୍ବାସ୍ଥ୍ୟକର୍ମୀ ଶ୍ରୀ ପାତିକା ଦେବଦୂତ ସାଜି ଦୁର୍ଗମ ଇଲାକାରେ ପହଞ୍ଚି ମଙ୍ଗଳଦେଇଙ୍କୁ ଉଦ୍ଧାର କରିଥିବାରୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି। ବର୍ଷା ଦିନରେ ତୁଳସୀ ଗାଁ ସମେତ ଦୁର୍ଗମ ଅଞ୍ଚଳର ଅନେକ ଗାଁର ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ୁଥିବାରୁ ଆମ୍ବୁଲାନ୍ସ ଆସିପାରୁନି। ରୋଗୀ କିମ୍ବା ଗର୍ଭବତୀଙ୍କୁ ଭାର ଓ ଖଟିଆରେ ବୁହା ହୋଇ ମେଡିକାଲକୁ ନିଆଯାଉଛି। ତୁରନ୍ତ ତୁଳସୀ ପାହାଡ଼ର ରାସ୍ତା ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Shrutilipi ad