ବାରିପଦା: ସ୍ଥାନୀୟ ସହୀଦ ସ୍ମୃତି ଭବନରେ ଆମେ : ବାରିପଦା ଆନୁକୂଲ୍ୟରେ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବର ୨ୟ ସନ୍ଧ୍ୟାରେ ୨ ଟି ନାଟକ ମଞ୍ଚସ୍ଥ ହୋଇଯାଇଛି I ଅତିଥି ଭାବେ ଯୋଗ ଦେଇ ଡଃ ମାୟା ଦାସ, ସୁବୋଧ ପଟ୍ଟନାୟକ, ସୂର୍ଯ୍ୟ ଦେଓ ପ୍ରବୋଧ ରଥ, ସୁଧାଂଶୁ ମୋହନ ଦ୍ବିବେଦୀ, ଡଃ ଗିରିଶ ପ୍ରସାଦ ସ୍ୱାଇଁ, ପ୍ରିତିଶ ବସା, ଜୀବନ ସାହୁ ୨ୟ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ I ସଭାପତି ଡଃ କୈଳାଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଭିନେତା, ନିର୍ଦ୍ଦେଶକ ତଥା ଆୟୋଜନ କମିଟିର ସାଧାରଣ ସମ୍ପାଦକ ଚିନ୍ମୟ ଦାସ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ପ୍ରକ୍ଷାଳୟ ପୂର୍ଣ୍ଣ ଦର୍ଶକଙ୍କ ଉପସ୍ଥିତିରେ ବାଲେଶ୍ୱରର ସ୍ରଷ୍ଟା ନାଟ୍ୟସଂସ୍ଥା ପ୍ରସ୍ତୁତ ନାଟକ “ଏକ ନଷ୍ଟ ନାଟକର ନାଟ୍ୟକାର” ମଞ୍ଚସ୍ଥ ହୋଇଥିଲା I ଆଜିର ନାରୀ ମା’ ହେବାକୁ ନାରାଜ I ଆକାଶ ଯଦି ଛାଇ, ଗଛ ଯଦି ଫଳ, ଧରିତ୍ରୀ ଯଦି ଭାର ବୋହିବାକୁ ମନା କରି ଦିଅନ୍ତି ଆଉ ନାରୀ ଯଦି ମା’ ନହେବ ତାହେଲେ ଏ ସୃଷ୍ଟି ରହିବ ତ ? ଏହାହିଁ ଥିଲା ନାଟକର ବିଷୟବସ୍ତୁ I କଳାକାରମାନଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା I ହେମେନ୍ଦ୍ର ମହାପାତ୍ରଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକରେ ଅଜିତ ପଣ୍ଡା, ସଂଗ୍ରାମ କେଶରୀ ମହାନ୍ତି, ରତିକାନ୍ତ ମଲ୍ଲିକ, ସମରାୟ କର, ଦିବାକର ମହାନ୍ତି, ଗୌରୀ ଶଙ୍କର ସାହାଣୀ, ପୁଷ୍ପିତା ପାଢ଼ୀ ଓ ସ୍ଵାତିସ୍ମିତା ଦାସ ଅଭିନୟ କରିଥିଲେ I ସଂଗୀତରେ ଗୁରୁ ନନ୍ଦକିଶୋର ଦାସ ଓ ପାପା, କଣ୍ଠଦାନରେ ବନିମାନ ରଥ ଓ ମୌସୁମୀ, ଆଲୋକ ସଜ୍ଜାରେ ବିକାଶ ପ୍ରଧାନ, ରୂପାସଜ୍ଜାରେ ମାମା, ମଞ୍ଚ ପରିଚାଳନାରେ ପ୍ରସନ୍ନ ଦାସ, ଧର୍ମପଦ ନନ୍ଦି, ଗିରିଜା ଶଙ୍କର କର ଓ ମନୋରଞ୍ଜନ ଦାସ, ଶବ୍ଦ ସୁରସଂଗୀତ, ସହାୟତା ପ୍ରଦାନ କରିଥିଲେ I ପରେପରେ କୋରାପୁଟ ସାଂସ୍କୃତିକ ପରିଷଦ ପ୍ରସ୍ତୁତ ହୃଦୟା ନନ୍ଦ ଶତପଥି ଙ୍କ ରଚିତ ଓ ଶିବ ରଥଙ୍କ ନିର୍ଦ୍ଦେଶିତ ନାଟକ ‘ରେମୋ’ ମଞ୍ଚସ୍ଥ ହୋଇଥିଲା I ଆଜି ପୂର୍ବାହ୍ନରେ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ” କଥା ଓ ବ୍ୟଥା : ଏକ ନାଟ୍ୟ ମନସ୍କର” ବିଷୟ ଉପରେ ଏକ ଜାତୀୟ ସେମିନାର ଅନୁଷ୍ଠିତ ହୋଇଥିଲା I ଆସନ୍ତା କାଲି ସନ୍ଧ୍ୟାରେ ପ୍ରଥମ ନାଟକ ବାସ୍ତବ, ବାରିପଦା ପ୍ରସ୍ତୁତ ‘ପାପି’ ଓ ଦ୍ଵିତୀୟ ନାଟକ ନାଟ୍ୟ ଚେତନା ଭୁବନେଶ୍ୱର ପ୍ରସ୍ତୁତ ‘ ରେବତୀ ସେବତୀ ଏଇ ବତୀ’ ମଞ୍ଚସ୍ଥ ହେବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I

