ବାରିପଦା: ସ୍ଥାନୀୟ ସହୀଦ ସ୍ମୃତି ଭବନରେ ଆମେ : ବାରିପଦା ଆନୁକୂଲ୍ୟରେ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବ ମହାସମାରୋହରେ ଉଦଘାଟିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ମହାରାଜା ପ୍ରବୀନ ଚନ୍ଦ୍ର ଭଞ୍ଜଦେଓ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହି ମହୋତ୍ସବର ଉଦଘାଟନ କରିଥିଲେ I ସଭାପତି ଡଃ କୈଳାଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଉପ ଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା, ବିଶିଷ୍ଟ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ଭୁଗୁଡେଇ ଯୋଗଦେଇ ମହୋତ୍ସବର ସଫଳତା କାମନା କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ମେଜର ଡଃ କଳ୍ପନା ଦାସ, ଉପ ସଭାପତି ବରିଷ୍ଠ ସାମ୍ବାଦିକ ଡଃ ବିଜୟ କୁମାର ଅଗ୍ରୱାଲ ଉପସ୍ଥିତ ଥିଲେ I ଅଭିନେତା, ନିର୍ଦ୍ଦେଶକ ତଥା ଆୟୋଜନ କମିଟିର ସାଧାରଣ ସମ୍ପାଦକ ଚିନ୍ମୟ ଦାସ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ସକାଳେ ମା’ ଅମ୍ବିକାଙ୍କ ନିକଟରେ ପୂଜା ଅର୍ଚନା କରି ଏକ ମୋଟର ସାଇକଲ ଓ କାର ରେଲି କରି ସଦସ୍ୟ ମାନେ ସହର ପରିକ୍ରମା କରି ସହୀଦ ଭବନରେ ପହଂଚିବା ପରେ ମଞ୍ଚ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ପ୍ରକ୍ଷାଳୟ ପୂର୍ଣ୍ଣ ଦର୍ଶକଙ୍କ ଉପସ୍ଥିତିରେ ଭବାନୀପାଟଣାର ସ୍ମାରକୀ ନାଟ୍ୟସଂସ୍ଥା ଦ୍ୱାରା “ଜାତି ନନ୍ଦିଘୋଷ” ନାଟକ ମଞ୍ଚସ୍ଥ ହୋଇଥିଲା I ସାମ୍ପ୍ରତିକ ପରିସ୍ଥିତିରେ ବିଛିନ୍ନାଞ୍ଚଳରେ ଓଡିଶାର ସଂସ୍କୃତି ପରମ୍ପରା ବଞ୍ଚି ରହିଥିଲେହେଁ ଓଡ଼ିଆ ଭାଷାର ମାନ ନିମ୍ନଗାମୀ ହେବାରେ ଲାଗିଛି I ସେହି ସ୍ଥାନରେ ଓଡ଼ିଆ ଭାଷାର ଉତଥାନ ପାଇଁ ପ୍ରୟାସ ହିଁ ନାଟକର ବିଷୟବସ୍ତୁ I କଳାକାରମାନଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା I ଶଙ୍କର ତ୍ରିପାଠୀଙ୍କ ରଚିତ ତଥା ପ୍ରବୋଧ ରଥଙ୍କ ନିର୍ଦ୍ଦେଶିତ ନାଟକରେ ପ୍ରବୋଧ ରଥ, ମାନୁ ପଟ୍ଟନାୟକ, ଯାମିନୀକାନ୍ତ ମିଶ୍ର, କୃଷ୍ଣଚନ୍ଦ୍ର ମିଶ୍ର, ସୁନିଲ ପଟ୍ଟନାୟକ, ରାଜେଶ ମହାନ୍ତି, ଦେବେନ୍ଦ୍ର ସୁନ୍ଦରାୟ, ସାଇ ସ୍ୱରୂପ, ସିଦ୍ଧାନ୍ତ, ଦୀପଞ୍ଜଳି ମହାନ୍ତି ଓ କାଜଲ ଅଭିନୟ କରିଥିଲେ I ସଂଗୀତରେ ଶକ୍ତି ପ୍ରସାଦ ମିଶ୍ର, ଆଲୋକ ସଜ୍ଜାରେ ବିକାଶ ପ୍ରଧାନ, ରୂପାସଜ୍ଜାରେ ମାମା, ମଞ୍ଚସଜ୍ଜାରେ ସଞ୍ଜୟ ସାହା ଶବ୍ଦ ସୁରସଂଗୀତ, କରଞ୍ଜିଆ, ପ୍ରଚ୍ଛଦପଟରେ ଅମିତ କୁମାର ସାହୁ ସହାୟତା ପ୍ରଦାନ କରିଥିଲେ I ବର୍ଣ୍ଣରୁପା ମହାନ୍ତିଙ୍କ ନିର୍ଦ୍ଦେଶନାରେ ହରିହର କଳା ମନ୍ଦିରର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ I ଆସନ୍ତା କାଲି ସନ୍ଧ୍ୟାରେ ପ୍ରଥମ ନାଟକ ସ୍ରଷ୍ଟା, ବାଲେଶ୍ୱର “ନଷ୍ଟ ନାଟକର ନାଟ୍ୟକାର” ଓ ଦ୍ଵିତୀୟ ନାଟକ କୋରାପୁଟର “ରେମୋ” ମଞ୍ଚସ୍ଥ ହେବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I

