ବାରିପଦା : ବାରିପଦା ପୌରପାଳିକା ତରଫରୁ ତା ୩୧-୦୮-୨୦୨୫ ରିଖ ଠାରୁ ୩ ଦିନ ଧାରି ପାଳନ ହୋଇ ଆସୁଥିବା ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ପାଳନ -୨୦୨୫ ର ଉଦଯାପନୀ ଦିବସ ସମାରୋହ ଗତକାଲି ବାରିପଦା ପୌରପାଳିକା କାର୍ଯ୍ୟାଳୟ ପ୍ରାଙ୍ଗଣରେ ନଗରପାଳ ଶ୍ରୀ କୃଷ୍ଣାନନ୍ଦ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ବିଭାଗ, ଓଡିଶା ସରକାର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ମମତା ମହାନ୍ତ, ମାନ୍ୟବର ସାଂସଦ (ରାଜ୍ୟସଭା), ଶ୍ରୀ ନବ ଚରଣ ମାଝୀ, ମାନ୍ୟବର ସାଂସଦ ଲୋକସଭା, ମୟୂରଭଞ୍ଜ ଓ ଶ୍ରୀ ପ୍ରକାଶ ସୋରେନ, ମାନ୍ୟବର ବିଧାୟକ, ବାରିପଦା, ଉପନଗରପାଳିକା ଶ୍ରୀମତୀ ସୀମା ଦାସ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସପନ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ।
ପ୍ରାରମ୍ଭରେ ନଗରପାଳ ଶ୍ରୀ ମହାନ୍ତି ସ୍ୱାଗତ ଅଭିଭାଷଣ ରଖିବା ସହିତ ନଗରପାଳ ଭାବେ ନିଜ କାର୍ଯ୍ୟକାଳ ସମୟରେ ବାରିପଦା ସହରର ଉନ୍ନତି ମୂଳକ କାର୍ଯ୍ୟ ତଥା ସହରବାସୀଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧି ବିଷୟରେ ଉଲ୍ଲେଖ କରିବା ସହିତ ଆଗାମୀ ସମୟରେ ସହରର ସର୍ବାଙ୍ଗୀନ ଉନ୍ନତିକଳ୍ପେ ହାତକୁ ନିଆଯାଇଥିବା ଜନକଲ୍ୟାଣକାରି ଯୋଜନା ସମ୍ଭନ୍ଧରେ ଅବଗତ କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି କହିଥିଲେ ଯେ ସହରାଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଇତ୍ୟାଦି ମୌଳିକ ଆବଶ୍ୟକତା ସହଜରେ ଉପଲବ୍ଧ ହେଉଥିବାରୁ ଲୋକମାନେ ସହରାଭିମୁଖୀ ହେଉଛନ୍ତି। ଏହି କ୍ରମବଦ୍ଧିଷ୍ଣୁ ଜନସଂଖ୍ୟା ଦୃଷ୍ଟିରୁ ଲୋକଙ୍କ ଆବଶ୍ୟକତା କୁ ମେଣ୍ଟାଇବା ପାଇଁ ସହରୀକରଣ ଯୋଜନାରେ ସହରର ପରିଧିକୁ ପରିବର୍ଦ୍ଧିତ କରି ବିଭିନ୍ନ ବର୍ଗର ଗୃହ ନିର୍ମାଣ କରାଯାଇ ସୁଲଭ ମୂଲ୍ୟରେ ଯୋଗାଇ ଦେବା ପାଇଁ ଯୋଜନା କରାଯାଉଛି। ବିଭିନ୍ନ ଜନ କଲ୍ୟାଣକାରି ଯୋଜନା ମାଧ୍ୟ୍ୟମରେ ବାରିପଦା ପୌରପାଳିକାକୁ ଆର୍ଥିକ କ୍ଷେତ୍ରରେ ସ୍ୱୟଂକ୍ରୀୟ କରିବାର ଲକ୍ଷ୍ୟ ରଖାଯାଇଛି ଯଦ୍ୱାରା ରକ୍ଷଣାବେକ୍ଷଣ ସହ ଉନ୍ନତି ମୂଳକ କାର୍ଯ୍ୟ କରିବା ସମ୍ଭବ ହେବ। ମାନ୍ୟବର ମନ୍ତ୍ରୀ କହିଥିଲେ ଯେ ବାରିପଦା ଏକ ସମ୍ଭାବନାର ସହର। ବିକାଶର ଧାରାରେ ବିରୋଧ ହେଉଛି ପ୍ରଧାନ ଅନ୍ତରାୟ। ଜାତି, ଧର୍ମ, ବର୍ଣ୍ଣ, ଦଳମତ ନିର୍ବିଶେଷରେ ଆମେ ସମସ୍ତେ ଏକ ହେଲେ, ସମସ୍ତଙ୍କ ମିଳିତ ପ୍ରୟାସ ଓ ସହଭାଗୀତାରେ ବିଭିନ୍ନ କ୍ଷେତ୍ରରେ ବିକାଶ କରାଇ ବାରିପଦା ସହରକୁ ଏକ ସବୁଜ ସୁନ୍ଦର ସୁସ୍ଥ ସ୍ୱଚ୍ଛ ସହର ଭାବେ ଗଢି ତୋଳିବା ସମ୍ଭବ ହେବ । ଏହି ପରିପ୍ରେକ୍ଷୀରେ ସହରର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଆଗକୁ ହେବାକୁଥିବା ଜନ କଲ୍ୟାଣକାରି ଯୋଜନା ଯଥା, ବର୍ଷା ଜଳ ନିଷ୍କାସନ ପାଇଁ ଉପଯୁକ୍ତ ଡ୍ରେନେଜ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ସହ ଉତ୍ତମ ପରିମଳ ବ୍ୟବସ୍ଥା,ରିଙ୍ଗ ରୋଡ଼ ନିର୍ମାଣ, ସହରକୁ ଉତ୍ତପ୍ତିକରଣରୁ ମୁକ୍ତ ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ବୃକ୍ଷ ରୋପଣ ସହ ବୁଢ଼ାବଳଙ୍ଗନଦୀ ଜଳକୁ ସଂରକ୍ଷଣ ପାଇଁ ବ୍ୟାରେଜ ନିର୍ମାଣ, ମଲ୍ଟି ପରପଜ ମାର୍କେଟ କଂପ୍ଲେକ୍ସ/ ହାଟ କଂମ୍ପ୍ଲେକ୍ସ ନିର୍ମାଣ, ଶ୍ମସାନ ନିର୍ମାଣ, ଅତ୍ୟାଧୁନିକ ବସ ଷ୍ଟାଣ୍ଡ ନିର୍ମାଣ, ଯାନବାହାନ ସୁଗମ ଯାତାୟାତ ପାଇଁ ଫ୍ଲାଇଓଭର ନିର୍ମାଣ, ନୂତନ କଲେକଟୋରେଟ ଗୃହ ନିର୍ମାଣ, ମଣ୍ଡଳ କାରାଗାର ସ୍ଥାନାଂତର, ଶ୍ରୀଜଗନ୍ନାଥ ମନ୍ଦିର ସହ ସହରର ଅନ୍ୟାନ୍ୟ ମନ୍ଦିରର ଉନ୍ନତିକରଣ, ଐତିହ୍ୟରାଜି ର ଉନ୍ନତିକରଣ, ପାର୍କ ଓ ପାଠାଗାର ଉନ୍ନତି, ସହରକୁ ବସ୍ତି ମୁକ୍ତ, ଗୋଶାଳା ନିର୍ମାଣ ଇତ୍ୟାଦି ବିଷୟରେ ମନ୍ତ୍ରୀ ଅବଗତ କରିଥିଲେ। ମାନ୍ୟବର ମନ୍ତ୍ରୀ କହିଥିଲେ ରାଜ୍ୟ ସରକାରଙ୍କ ଦ୍ୱାରା ମୟୂରଭଞ୍ଜ ଜିଲ୍ଲାରେ ୬ଟି ନୂତନ ଏନ ଏ ସି ସୃଷ୍ଟି କରିବା ସହ କରଞ୍ଜିଆ ଏନ.ଏ.ସି କୁ ପୌରପାଳିକାର ମାନ୍ୟତା ଦେଇଛନ୍ତି ଏବଂ ବିକାଶ ଧାରା ନିରନ୍ତର ଚାଲିଲେ ବାରିପଦା ସହର ଭବିଷ୍ୟତରେ ବିକଶିତ ଓ ସମୃଦ୍ଧ ହୋଇ ନିଶ୍ଚିତ ମହାନଗରରେ ପରିଣତ ହେବ ବୋଲି ମନ୍ତୀ ଦୃଢୋକ୍ତି ପ୍ରକଶ କରିଥିଲେ।
ସ୍ବାୟତ୍ତ ଦିବସ ପାଳନ ଉଦଯାପନୀ ଅବସରରେ ବାରିପଦା ସହରରେ ୱାର୍ଡ ନମ୍ବର ୨୭ ତକତପୁର, ୱାର୍ଡ ନମ୍ବର ୨୧ ମୁର୍ଗାବାଡ଼ି, ୱାର୍ଡ ନମ୍ବର ୦୯ ବାରୁଣୀ ରୋଡ଼, କେ ସି ସାରକେଲ ରେ ମାର୍କେଟ କମ୍ପ୍ଲେକ୍ସ, ଚାରି ଚକିଆ ଇଲେକ୍ଟ୍ରି ଯାନ ପାଇଁ ଚରଜିଙ୍ଗ ଷ୍ଟେସନର ଶିଳାନ୍ୟାସ ସହିତ ବେଲଗଡ଼ିଆ ଠାରେ ଦୁଇ ଚକିଆ ଇଲେକ୍ଟ୍ରି ଯାନ ପାଇଁ ଚରଜିଙ୍ଗ ଷ୍ଟେସନ ଓ ମାର୍କେଟ କମ୍ପ୍ଲେକ୍ସ ଶୁଭ ଉଦଘାଟନ ବିଷୟରେ ଉଲ୍ଲେଖ କରିଥିଲେ।
ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ମାନେ ମଧ୍ୟ ବାରିପଦା ସହରର ବିକାଶ ଦିଗରେ ନିଜ ନିଜ ସୁଚିନ୍ତିତ ମତାମତ ଦେବା ସହ ସେଥିପାଇଁ ପୂର୍ଣ୍ଣ ସହଯୋଗ କରିବେ ବୋଲି ସ୍ପଷ୍ଟକ୍ତି ରଖିଥିଲେ।
ଏହି ଅବସରରେ ସହରର ବୟୋଜ୍ୟଷ୍ଠ ସାମ୍ବାଦିକ ତଥା ସମାଜସେବୀ ଡ଼. ବିଜୟ କୁମାର ଅଗ୍ରୱାଲ, ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ବୁଗୁଡେଇ, ବହୁବାର ରକ୍ତଦାନ କରି ଅମୂଲ୍ୟ ଜୀବନ ବଞ୍ଚାଇଥିବା ସମାଜସେବୀ ଅମର ସେଠୀ, ଶବ ବାହକ ଗାଡିର ଚାଳକ ପ୍ରମୋଦ କୁମାର ବେହେରାଙ୍କୁ ତାଙ୍କର ମହତ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ବାରିପଦା ପୌରପାଳିକା ସ୍ୱଛତା ପାଇଁ ବିଭିନ୍ନ ଉଇଙ୍ଗସରେ କାର୍ଯ୍ୟ କରୁଥିବା ଯଥା ମୋ ଖତ, ଏମ ସି ସି ପ୍ଲାଣ୍ଟ, ଶୁଖିଲା ବର୍ଜ୍ୟ ବସ୍ତୁର ପୃଥକିକରଣ କେନ୍ଦ୍ର, ମଳ ବିଶୋଧନ କେନ୍ଦ୍ର ଇତ୍ୟାଦିର କର୍ମଚାରୀ ମାନଙ୍କୁ ସେମାନଙ୍କ ମହତ ଅବଦାନ ପାଇଁ ପୁରସ୍କୃତ କରାଯିବା ସହ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।
ଏହାପରେ ପୌରପାଳିକା ତରଫରୁ ନିମନ୍ତ୍ରିତ ଅତିଥି ମାନଙ୍କୁ ଉତ୍ତରୀୟ, ଉପଢୌକନ ଓ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ଅନ୍ୟାନ୍ୟଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା କାନ୍ଦ୍ରା ସୋରେନଙ୍କ ସମେତ ବିଜେପିର ଅନ୍ୟାନ୍ୟ ନେତୃବୃନ୍ଦ,ରଜନୀ କାନ୍ତ ବିଶ୍ୱାଳ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସପନ କୁମାର ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୌରପାଳିକାର ବିଭିନ୍ନ ୱାର୍ଡର ପାରିଷଦ, ବିଭାଗୀୟ ଅଧିକାରୀ, କର୍ମଚାରୀ,ସ୍ୱଚ୍ଛ ସାଥି, ସଫେଇ କର୍ମଚାରୀ, ଜମାଦାର, ସ୍ବର୍ଗରଥ ଚାଳକ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ

