Saturday, March 07, 2026
Reswppf0dfiz4nqibzmc

ନକ୍ସଲ ମୁକ୍ତ ନ ହେବା ଯାଏଁ ଶାନ୍ତିରେ ବସିବୁ ନାହିଁ: କେନ୍ଦ୍ର ଗୃହମନ୍ତ୍ରୀ

ରାଜ୍ୟ

ନୂଆଦିଲ୍ଲୀ: ବୁଧବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଯେପର୍ଯ୍ୟନ୍ତ ସମସ୍ତ ନକ୍ସଲ ଆତ୍ମସମର୍ପଣ କରିନାହାନ୍ତି କିମ୍ବା ଧରାପଡ଼ି ନାହାନ୍ତି ବା ନିପାତ ନହେବା ପର୍ଯ୍ୟନ୍ତ ମୋଦୀ ସରକାର ଶାନ୍ତିରେ ବସିବେ ନାହିଁ। ଛତିଶଗଡ଼ର କାରେଗୁଟ୍ଟା ପାହାଡ଼ରେ ‘ଅପରେସନ୍ ବ୍ଲାକ୍ ଫରେଷ୍ଟ’ ସଫଳତାର ସହ ପରିଚାଳନା କରିଥିବା ସିଆରପିଏଫ, ଛତିଶଗଡ଼ ପୋଲିସ, ଜିଲ୍ଲା ରିଜର୍ଭ ଗାର୍ଡ (DRG) ଏବଂ ‘କୋବ୍ରା’ ବାହିନୀର ସୁରକ୍ଷାକର୍ମୀମାନଙ୍କୁ ଅଭିନନ୍ଦନ ଜଣାଇ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଭାରତକୁ ନକ୍ସଲମୁକ୍ତ କରିବା ପାଇଁ ପ୍ରତିବଦ୍ଧ। ସେ କହିଛନ୍ତି, ଯେପର୍ଯ୍ୟନ୍ତ ସମସ୍ତ ନକ୍ସଲ ଆତ୍ମସମର୍ପଣ କରିନାହାନ୍ତି କିମ୍ବା ନିପାତ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ମୋଦୀ ସରକାର ବିଶ୍ରାମ ନେବେ ନାହିଁ।” ଶାହ କହିଛନ୍ତି ଯେ ‘ଅପରେସନ୍ ବ୍ଲାକ୍ ଫରେଷ୍ଟ’ ସମୟରେ ଯବାନମାନେ ଦେଖାଇଥିବା ସାହସ ନକ୍ସଲ ବିରୋଧୀ ଅଭିଯାନର ଇତିହାସରେ ଏକ ସୁବର୍ଣ୍ଣ ଅଧ୍ୟାୟ ଭାବରେ ମନେ ରଖାଯିବ।

 ସେ କହିଛନ୍ତି ଯେ ଆଇଇଡିର ବିପଦ ସତ୍ତ୍ୱେ, ସୁରକ୍ଷା ବାହିନୀ କଠିନ ମନୋବଳ ସହିତ ଅପରେସନ୍ ଚଳାଇଥିଲେ ଏବଂ ଏକ ପ୍ରମୁଖ ନକ୍ସଲ ବେସ୍ କ୍ୟାମ୍ପକୁ ସଫଳତାର ସହିତ ଧ୍ୱଂସ କରିଥିଲେ। ଗୃହମନ୍ତ୍ରୀ କହିଛନ୍ତି ଯେ କାରେଗୁଟ୍ଟା ପାହାଡ଼ରୁ ନକ୍ସଲମାନଙ୍କ ସାମଗ୍ରୀ ଷ୍ଟୋର ଏବଂ ଯୋଗାଣ ଶୃଙ୍ଖଳାକୁ ଛତିଶଗଡ଼ ପୋଲିସ, ସିଆରପିଏଫ, ଡିଆରଜି ଏବଂ କୋବ୍ରା ଯବାନମାନେ ସାହସର ସହିତ ଧ୍ୱଂସ କରିଥିଲେ। ଶାହା କହିଛନ୍ତି ଯେ ନକ୍ସଲବାଦୀମାନେ ଦେଶର କିଛି ଅନୁନ୍ନତ ଅଞ୍ଚଳରେ ବିପୁଳ କ୍ଷତି ଘଟାଇଛନ୍ତି, ସ୍କୁଲ, ହସ୍ପିଟାଲ ନିର୍ମାଣକୁ ବାଧା ଦେଇଛନ୍ତି ଏବଂ ସରକାରଙ୍କ କଲ୍ୟାଣକାରୀ ଯୋଜନାକୁ ବାଧା ଦେଇଛନ୍ତି।

ସେ କହିଛନ୍ତି ଯେ ନିରନ୍ତର ନକ୍ସଲ ବିରୋଧୀ ଅଭିଯାନ ଯୋଗୁଁ, ପଶୁପତିନାଥରୁ ତିରୁପତି ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳର ୬.୫ କୋଟି ଲୋକଙ୍କ ଜୀବନରେ ଏକ ‘ନୂତନ ସୂର୍ଯ୍ୟୋଦୟ’ ଘଟିଛି। ଶାହ ଏହା ମଧ୍ୟ କହିଛନ୍ତି ଯେ ମୋଦୀ ସରକାର ନକ୍ସଲ ବିରୋଧୀ ଅଭିଯାନ ସମୟରେ ଗୁରୁତର ଆହତ ହୋଇଥିବା ସୁରକ୍ଷା କର୍ମୀଙ୍କୁ ସାହାଯ୍ୟ କରିବା ଏବଂ ସେମାନଙ୍କ ଜୀବନକୁ ସହଜ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି। ସେ କହିଛନ୍ତି ଯେ ସରକାର ୩୧ ମାର୍ଚ୍ଚ, ୨୦୨୬ ସୁଦ୍ଧା ଦେଶରୁ ନକ୍ସଲବାଦକୁ ମୂଳୋତ୍ପାଟନ କରିବାକୁ ପ୍ରତିବଦ୍ଧ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାୟ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

Shrutilipi ad