ଆଗରପଡ଼ା: ବନ୍ତ ବ୍ଳକ ବିଟିପୁର ଅଙ୍ଗନବାଡ଼ି କେନ୍ଦ୍ରରୁ କେହି ଦୁବୃର୍ତ୍ତ ଚୋରୀ ଉଦ୍ୟମ କରି ବ୍ୟର୍ଥ ହୋଇଛି । ଶନିବାର ସନ୍ଧ୍ୟାରେ ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ପଡ଼ିଥିବା ତିନିଗୋଟି ତାଲାକୁ ଭାଙ୍ଗି ଦେଇଥିଲା ଦୁବୃର୍ତ୍ତ । ଭିତରେ ଥିବା ଗ୍ୟାସ ସିଲିଣ୍ଡରକୁ ନେଇଯାଇ ଏକ ବୁଦା ମୂଳରେ ଲୁଚାଇ ରଖି ପୁନର୍ବାର ଘର ଭିତରେ ପଶିବାକୁ ଉଦ୍ୟମ କରିଥିଲା । ଜନୈକ ବ୍ୟକ୍ତି ଏହାକୁ ଦେଖି ଅଙ୍ଗନବାଡ଼ି କର୍ମୀ ବିନୋଦିନୀ ଧିରଙ୍କୁ ଖବର ଦେଇଥିଲେ । କର୍ମୀଙ୍କ ସହ କିଛି ଲୋକ ପହଂଚିବାରୁ ଦୁବୃର୍ତ୍ତ ଅନ୍ଧାର ସୁଯୋଗ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଅନ୍ୟକିଛି ସାମଗ୍ରୀଗୁଡ଼ିକୁ ଚୋରୀ କରିପାରି ନଥିଲା ଦୁବୃର୍ତ୍ତ । ଲୁଚାଇ ରଖିଥିବା ଗ୍ୟାସ ସିଲିଣ୍ଡରକୁ ଉଦ୍ଧାର କରାଯାଇଥିଲା । ଅଭିଯୋଗ ପାଇ ଥାନାଧିକାରୀ ଦେବରାଜ ଜେନା ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଚୋରୀ ଉଦ୍ୟମରେ ସଂପୃକ୍ତ ଯୁବକଙ୍କୁ ପୋଲିସ ଚିହ୍ନଟ କରିଥିବାର ସୂଚନା ମିଳିଛି ।

