- ଦିନକୁ ଦିନ ଚୁଲିକୁ ଗଲାଣି ପାଠପଢ଼ା
ଆଗରପଡ଼ା :ଛାତ୍ର ଉପସ୍ଥାନ ବୃଦ୍ଧି, ଅଧାରୁ ପାଠପଢ଼ା ଛାଡୁଥିବା ବିଦ୍ୟାର୍ଥୀଙ୍କୁ ରୋକିବା ତଥା ଅପପୁଷ୍ଟି ଦୂର ପାଇଁ ସରକାର ମଧ୍ୟାହ୍ନ ଭୋଜନ ଯୋଜନା ଲାଗୁ କରିଥିଲେ । ହେଲେ ଏହି ଯୋଜନା ଏବେ ଦିଗହରା ହେବାକୁ ବସିଲାଣି । ଏହାକୁ ନେଇ ଶିକ୍ଷକମାନେ ଦିନକୁ ଦିନ ସମସ୍ୟା ଜାଲରେ ଛନ୍ଦି ହେଉଛନ୍ତି । ଦିନ ପ୍ରାୟ ୧୧ଟା ସୁଦ୍ଧା କେତେ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିଛନ୍ତି ସେମାନଙ୍କ ତାଲିକା ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷାବିଭାଗକୁ ଅବଗତ କରିବାର ବିଧି ରହିଛି । କିଛି ବିଦ୍ୟାଳୟରେ ଏହି ନିୟମକୁ ଉଲ୍ଲଙ୍ଘନ କରାଯାଉଛି । ନେଟୱର୍କ ସମସ୍ୟା ଆଳ କରି କିଛି ଶିକ୍ଷକ ଖସିଯିବା ପାଇଁ ଚିନ୍ତା କରୁଥିବା ବେଳେ କିଛି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଷ୍ଠାପର ସହ ଦାୟିତ୍ୱ ପାଳନ କରି ୧୧ଟା ପୂର୍ବରୁ ମଧ୍ୟ ମେସେଜ ଦେଉଛନ୍ତି । ଏସବୁ ଭିତରେ ଯେଉଁଠି ଅଳ୍ପ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଚାଲୁଛି ସେଠାରେ ପ୍ରଧାନଶିକ୍ଷକ ନିଜ ପକେଟରୁ ପ୍ରତିମାସରେ କିଛି ଅର୍ଥ ହାତରୁ ଗଣିବା ପାଇଁ ବାଧ୍ୟ ମଧ୍ୟ ହେଉଛନ୍ତି । ବଜାର ଦର ଅନୁଯାୟୀ ମଧ୍ୟାହ୍ନ ଭୋଜନ ବାବଦ ଅର୍ଥ ବିଦ୍ୟାଳୟକୁ ସରକାର ଦେଉନାହାନ୍ତି । ଆଉ କିଛି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମ ଉଭୟ ସରକାରୀ ଓ ଘରୋଇ ବିଦ୍ୟାଳୟରେ ରହିଛି । ସେମାନଙ୍କ ଉପସ୍ଥାନ ଦର୍ଶାଇ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସୁଛନ୍ତି ବୋଲି ଦର୍ଶାଯାଇ କିଛି ଶିକ୍ଷକ ବେନିୟମ କାର୍ଯ୍ୟ କରୁଥିବା ମଧ୍ୟ ବିଭିନ୍ନ ସମୟରେ ଅଭିଯୋଗ ଆସୁଛି । ଯେଉଁଠି ଶିକ୍ଷକ ଅଭାବ ସେଠି ଜଣେ ଶିକ୍ଷକ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ନେଇ ଚଳାଇବା ଦ୍ୱାରା ପାଠପଢ଼ା ମଧ୍ୟ ବ୍ୟାହତ ହେଉଛି । ଅନ୍ୟ କେତେକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଓ ରୋଷେଇ ଦାୟିତ୍ୱ ନେଇଥିବା ମହିଳା ଗୋଷ୍ଠୀ ମଧ୍ୟରେ ସମୟ ଅଭାବରୁ ବିଦ୍ୟାଳୟରେ ସମସ୍ୟା ଦେଖାଗଲାଣି । ଠିକ ସମୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ନକଲେ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ପାଖରୁ ଆରମ୍ଭ କରି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।
ସୋମବାର ଓ ଗୁରୁବାର ଭାତ ଓ ଡାଲମା, ମଙ୍ଗଳବାର ଓ ଶୁକ୍ରବାର ସୋୟାବଢି଼, ବୁଧବାର ଓ ଶନିବାର ଅଣ୍ଡା ତରକାରୀ ହେବା ନେଇ ଶିକ୍ଷା ବିଭାଗର ନିର୍ଦ୍ଦେଶ ରହିଛି । ଚାଉଳକୁ ବାଦ ଦେଇ ଚଳିତ ବର୍ଷରୁ ଏଥିପାଇଁ ପ୍ରାଇମେରୀ ଛାତ୍ରଛାତ୍ରୀଙ୍କ ପାଇଁ ଉପସ୍ଥାନ ପ୍ରତି ୧୧.୧୫ ଟଙ୍କା ଓ ଅପରପ୍ରାଇମେରୀ ଛାତ୍ରଛାତ୍ରୀଙ୍କ ପାଇଁ ଉପସ୍ଥାନ ପ୍ରତି ୧୪.୭୪ ଟଙ୍କା ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ଜଣାପଡ଼ିଛି । ତେବେ ଶିକ୍ଷା ବିଭାଗର ଅଧିକାରୀମାନେ ମଧ୍ୟାହ୍ନ ଭୋଜନ ଭଳି ଏକ ବ୍ୟବସ୍ଥାକୁ ଅଲଗା କରିବା ପାଇଁ ଅର୍ଥାତ ଶିକ୍ଷକମାନଙ୍କୁ ଏଥିରୁ ଦାୟିତ୍ୱମୁକ୍ତ କରିବା ପାଇଁ ବାରମ୍ବାର ଶିକ୍ଷକ ସଂଘ ଦାବି କରି ଆସିଛି । ଏସବୁ ବ୍ୟବସ୍ଥା ଭିତରେ କିଛି ସଜୋଟ, ଦାୟିତ୍ୱବାନ ଓ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ପାଇଁ ନାକେଦମ ହେଲେଣି । ଦରଦାମ ବୃଦ୍ଧିରେ ଖାଉଟି ତ୍ରାହି ତ୍ରାହି ଡାକୁଥୁବା ବେଳେ ବିଦ୍ୟାଳୟର ଶିକ୍ଷକମାନେ ଏହି ଜାଲରେ ଛନ୍ଦି ହୋଇ ଛଟପଟ ହେଉଛନ୍ତି । ବଡ଼କଥା ହେଉଛି, ଯଦି କିଛି ଶିକ୍ଷକ ୧୧ଟା ଭିତରେ ଛାତ୍ର ଉପସ୍ଥାନ ସମ୍ପର୍କରେ ଶିକ୍ଷା ବିଭାଗକୁ ମେସେଜ ଦେଇପାରୁଛନ୍ତି, ଅନ୍ୟ ଶିକ୍ଷକମାନେ କାହିଁକି ଦେଇ ପାରୁନାହାଁନ୍ତି ତାହା ତଦନ୍ତ ସାପେକ୍ଷ । ପ୍ରକୃତରେ ନେଟୱାର୍କ ସମସ୍ୟା ନାଁ ଆଉ କିଛି ଅଛି ? ଯେଉଁ ବିଦ୍ୟାଳୟରେ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ସେହି ବିଦ୍ୟାଳୟର ଛାତ୍ରଛାତ୍ରୀ ଘରୋଇ ଶିକ୍ଷାନୁଷ୍ଠାନରେ କେମିତି ପାଠ ପଢୁଛନ୍ତି । ଏହା ତଦନ୍ତ ପରିସରଭୁକ୍ତ ହେବାର ଆବଶ୍ୟକତା ଥିବା ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଥିବା ବେଳେ ବିଭିନ୍ନ ଦୃଷ୍ଟିକୋଣରୁ ଦିଗହରା ହେବାକୁ ବସିଥିବା ମଧ୍ୟାହ୍ନ ଭୋଜନ ଯୋଜନା ଫଳରେ ବିଦ୍ୟାଳୟରେ ପାଠପଢା ଦିନକୁ ଦିନ ଚୁଲିକୁ ଯିବାକୁ ବସିଥିବା ମଧ୍ୟ ଚିନ୍ତାର କାରଣ ପାଲଟିଛି ।

