ଆଗରପଡ଼ା :ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସରକାରୀ ଅଫିସରେ ସୂଚନା ଅଧିକାର ଆଇନ ବଳରେ ଶିକ୍ଷାଗତ ପ୍ରମାଣପତ୍ର,ବାସସ୍ଥାନ,ଜାତିଗତ ପ୍ରମାଣପତ୍ର,ନିଯୁକ୍ତି ପ୍ରମାଣପତ୍ର ଆଦିରେ ଜାଲିଆତି କରି ଚାକିରୀ କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ ସୂଚନା ହସ୍ତଗତ ହେବା ପରେ ବିଭାଗୀୟ ଅଧିକାରୀଙ୍କ ଠାରେ ଅଭିଯୋଗ କରିବା ପରେ ମଧ୍ୟ ବିଭାଗୀୟ ଅଧିକାରୀ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ସୂଚନା ଅଧିକାର କର୍ମୀ ବିକାଶ ଧଳ,ବିପ୍ଲବ ହୋତା,ପ୍ରକାଶ ଜେନା,ରତିକାନ୍ତ ସାହୁ ଏବଂ ବିନୋଦ ଧଳ ସାମନ୍ତ ପ୍ରମୁଖ ଜିଲ୍ଲାପାଳଙ୍କ ଠାରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗ କରିଥିବା ଜଣାପଡ଼ିଛି । ଭଦ୍ରକ ବ୍ଲକ ଶିକ୍ଷାଧିକାରୀଙ୍କ ଅଧିନ ସୁକନାଳିଆ ପ୍ରାଇମେରୀ ସ୍କୁଲରେ ପ୍ରଧାନଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ସୁମିତ୍ରା ସିଂହଙ୍କ ପ୍ରକୃତ ବାସସ୍ଥାନ ମୟୁରଭଂଜ ଜିଲ୍ଲା ବଡ଼ସୋଲେ ଗ୍ରାମରେ ହୋଇଥିବା ବେଳେ ସେ ଚାକିରୀ ସମୟରେ ଭଦ୍ରକ ଜିଲ୍ଲାର ବାସିନ୍ଦା ବୋଲି ଉଲ୍ଲେଖ କରି ଜାଲ ପ୍ରମାଣପତ୍ରରେ ବାସସ୍ଥାନକୁ ଜାଲିଆତି କରି ଚାକିରୀ କରୁଥିବା ବ୍ଲକ ଶିକ୍ଷାଧିକାରୀ ତାଙ୍କ ତଦନ୍ତରୁ ଜାଣିବା ପରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଜିଲ୍ଲା ଶିକ୍ଷାଧିକାରୀ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ବିବିଦାସ ନୋଡ଼ାଲ ୟୁପି ସ୍କୁଲର ଶିକ୍ଷୟିତ୍ରୀ ଆରତୀ ସେଠୀ ଏକା ସମୟରେ ୨ଟି ସିଏଲସି ହାତେଇ ଏକା ବର୍ଷରେ ସିଟି ଓ +୨କଳାର ଶିକ୍ଷାଗତ ପ୍ରମାଣପତ୍ର ହାତେଇଥିବା ଓ ପରେ ଅଧିକାରୀଙ୍କ ତଦନ୍ତରୁ ଉକ୍ତ ଜାଲିଆତିର ସତ୍ୟତା ପ୍ରମାଣିତ ହେବା ପରେ ମଧ୍ୟ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଚାନ୍ଦବାଲି ବ୍ଳକର କରଣପୋଖରୀ ପ୍ରାଇମେରୀ ସ୍କୁଲରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ବିଦ୍ୟାଧର ନାୟକ ଥରେ ମ୍ୟାଟ୍ରିକ ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ପରେ ଜନ୍ମତାରିଖରେ ଜାଲିଆତିକରି ପୂନର୍ବାର ମ୍ୟାଟ୍ରିକ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ । ବସନ୍ତିଆ ମଇ ବିଦ୍ୟାଳୟ ଶିକ୍ଷକ ଜାଲ ମେଡ଼ିକାଲ ଫିଟନେସ ପ୍ରମାଣପତ୍ର ମାଧ୍ୟମରେ ବେତନ ହାତେଇଛନ୍ତି । ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ବଡ଼ସିଂହପୁର ପ୍ରକଳ୍ପ ପ୍ରାଇମେରୀ ଶିକ୍ଷକ ଦିନବନ୍ଧୁ ସେଠୀ ଜାଲ ବିଇଡ଼ି ପ୍ରମାଣପତ୍ର,ଭଣ୍ଡାରିପୋଖରୀ ତହସିଲରେ କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକ ସୁବତ୍ର ମଲ୍ଲିକ ଏବଂ ଚାନ୍ଦବାଲି ତହସିଲରେ କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକ ସୌଭାଗ୍ୟ ସିଂହ ଜାଲ ଶିକ୍ଷାଗତ ଯୋଗ୍ୟତା,ମା’ ସରସଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,କୋଠାରରେ କାର୍ଯ୍ୟରତ କର୍ମଚାରୀ ବଂଶିଧର ବେହେରା,ବୀଣାପାଣି ମହାପାତ୍ର,ଶଂକର୍ଷଣ ଖଟୁଆ ଏବଂ ଚକ୍ରଧର ବେହେରା ପ୍ରମୁଖ ବୟସ ଜାଲିଆତି ,ତିହିଡ଼ି ବ୍ଲକ ଅନ୍ତର୍ଗତ ଦହପାଣିଆ(ଏସଏସଡ଼ି)ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ ଶଶିକାନ୍ତ ପଣ୍ଡା ଜାଲ ଶିକ୍ଷାଗତ ଯୋଗ୍ୟତା । ସେହିପରି ଆଗରପଡ଼ା ମହାବିଦ୍ୟାଳୟରେ ବର୍ତ୍ତମାନ ମୁଖ୍ୟ ସହାୟକ ଭାବେ କାର୍ଯ୍ୟରତ ଅଶୋକ କୁମାର ସାହୁ ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ତଥ୍ୟ ଅନୁସାରେ ନିଜ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଇଲେକ୍ଟ୍ରିସିଆନ ପଦବୀରେ ନିଯୁକ୍ତି ପାଇଥିବା ବେଳେ ପରବର୍ତ୍ତୀ ସମୟରେ କିପରି ଓ କେମିତି ଏବଂ କେଉଁ ପରିଚାଳନାକମିଟି ଦ୍ୱାରା ମେକାନିକାଲ ପଦବୀରେ ନିଯୁକ୍ତି ପାଇଲେ ତାହା ତଦନ୍ତ ପରିସରଭୂକ୍ତ ହୋଇ ଥିବାବେଳେ ସେ ଏବେ କଲେଜର ମୁଖ୍ୟ ସହାୟକ ପଦରେ ଅବସ୍ଥାପିତ । ତେଣୁ ସେ ବିଭିନ୍ନ ପ୍ରମାଣପତ୍ରରେ ଜାଲିଆତି କରି ପଦବୀ ଅକ୍ତିଆର କରିଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି ।

