Img 20250826 wa0159

ଆଦର୍ଶ ସମନ୍ୱିତ ସ୍ୱାସ୍ଥ୍ୟ ଶିବିର ସମ୍ପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାଜ୍ୟ
ବାରିପଦା : ଆଗାମୀ ସେପ୍ଟେମ୍ବର ମାସ ୮ ତାରିଖରୁ ସେପ୍ଟେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ବାରିପଦାର ଷ୍ଟେସନ ବଜାର ନିକଟସ୍ଥ ବିବାହ ମଣ୍ଡପ ଠାରେ ମୟୁରଭଞ୍ଜ ଅବସର ପ୍ରାପ୍ତ ସୈନିକ ସଙ୍ଘ, ଭାରତୀୟ ସୈନ୍ୟ ବାହିନୀ ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ୩ ଦିନ ବ୍ୟାପି ଏକ ଆଦର୍ଶ ସମନ୍ୱିତ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯିବ।
ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିଙ୍କ ଅଧ୍ୟକ୍ଷତାରେ ଏ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଚାନ୍ଦିପୁର ଷ୍ଟେସନ ହେଡ଼କ୍ୱାଟର ପ୍ରଶାସନିକ କମାଣ୍ଡର ଲେଫ୍ଟ ଟେଣ୍ଟ କର୍ଣ୍ଣେଲ ସନ୍ତୋଷ ପଣ୍ଡା, ଓଡିଶା ଝାରଖଣ୍ଡ ସବ ଏରିଆ କମାଣ୍ଡର କର୍ଣ୍ଣେଲ ମନିଷ ପାଣ୍ଡେ, ଏଡିଏମଓ  ଡ଼. ବିଜୟ କୁମାର ଦାଶ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୌତମ କିଷାନ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଶ୍ରୀ ସନ୍ତୋଷ ପଣ୍ଡା ଏହି ଶିବିରର ଆଭିମୁଖ୍ୟ ସମ୍ପର୍କରେ ଉଲ୍ଲେଖ କରିବାକୁ ଯାଇ କହିଥିଲେ ଯେ ଅବସରପ୍ରାପ୍ତ ବରିଷ୍ଠ ସୈନ୍ୟବାହିନୀ କର୍ମଚାରି  ତଥା ଭୂତପୂର୍ବ ସୈନ୍ୟ ବାହିନୀଙ୍କ  ବରିଷ୍ଠ ବୀର ନାରୀ, ବୀର ମାତା, ବିଧବା ଏବଂ ସେମାନଙ୍କ ଉପରେ ନିର୍ଭରଶୀଳ ଯେଉଁମାନେ ରୋଗରେ ପୀଡିତ ସେମାନଙ୍କୁ ଏହି ଶିବିରରେ ବିବିଧ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହ ସେମାନଙ୍କ ଅନ୍ୟାନ୍ୟ ସମସ୍ୟା ଯଥା ପେନସନ ମାମଲା, ଅଦାଲତ ମାମଲା ଇତ୍ୟାଦିର ସମାଧାନ ପାଇଁ ପରାମର୍ଶ ଦିଆଯିବ। ଏହି  ଶିବିରରେ ସ୍ୱାସ୍ଥ୍ୟ ସେବା କେବଳ ସୈନ୍ୟ ବାହିନୀ କର୍ମଚାରୀଙ୍କ ମଧ୍ୟରେ ସୀମିତ ରହିବ ନାହିଁ , ସାଧାରଣ ଜନତା ମଧ୍ୟ ଏହି ଶିବିରର ସୁଯୋଗ ନେଇପାରିବେ ବୋଲି କହିଥିଲେ ଏବଂ ଶିବିର ସଫଳତା ପାଇଁ ଜିଲ୍ଲା ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗ କାମନା କରିଥିଲେ।
ଏହାପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍କିକ ଏହି ଶିବିରର ସଫଳ ରୂପାୟନ ପାଇଁ ଜିଲ୍ଲାର  ସ୍ୱାସ୍ଥ୍ୟ, ଶିକ୍ଷା,ପୌରପାଳିକା, ଅଗ୍ନିଶମ, ପୋଲିସ, ପରିବହନ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଇତ୍ୟାଦି ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ  ସେମାନଙ୍କ ଦାୟିତ୍ୱ ସୂଚାରୁ ରୂପେ ସମ୍ପାଦନ ପାଇଁ ନିର୍ଦେଶ ଦେଇଥିଲେ।
ଆଜିର ଅନୁଷ୍ଠିତ  ବୈଠକରେ ସୈନ୍ୟ ବାହିନୀ ଅଧିକାରୀ, ମୟୁରଭଞ୍ଜ ଅବସରପ୍ରାପ୍ତ ସୈନିକ ସଂଘର  ସଭାପତି ଫ୍ଲାଇଙ୍ଗ ଅଫିସର ଜନାର୍ଦ୍ଦନ ମହାନ୍ତ,  ସମ୍ପାଦକ ସୁବେଦାର ମେଜର ପରମେଶ୍ୱର ମହାନ୍ତ ଓ ସଦସ୍ୟ ବୃନ୍ଦ, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।
ସଭା ଶେଷରେ ମୟୁରଭଞ୍ଜ ଅବସରପ୍ରାପ୍ତ ସୈନିକ ସଂଘ ର ଯୋଗାଯୋଗ ସମ୍ପାଦକ  ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ ସମସ୍ତଙ୍କ  ମିଳିତ ପ୍ରୟାସରେ  ଶିବିର ଉଦେଶ୍ୟ ନିଶ୍ଚିତ ଫଳପ୍ରସୂ ହେବ ବୋଲି ଆଶା ପୋଷଣ କରି ସମସ୍ତଙ୍କ ସହଯୋଗ କାମନା କରିଥିଲେ ଏବଂ  ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଆଗାମୀ ଦିନରେ ସଙ୍ଘର ବହୁଦିନର ଦାବି ଗୁଡିକ ଯଥା ଇ ସି ଏଚ ସି, କ୍ୟାଣ୍ଟିନ, ସ୍ପର୍ଶ ସେଣ୍ଟର, ସଲଜର ବୋଟ ଇତ୍ୟାଦି ଗୁଡିକ ପୂରଣ ଦିଗରେ ପଦକ୍ଷେପ ନେବା ପାଇଁ ସୈନ୍ୟ ବାହିନୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ବୈଠକରେ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିବାରୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇ ଥିଲେ.
Shrutilipi ad