ଆଗରପଡ଼ା :ଆଗରପଡ଼ା ମୁଖ୍ୟ ବଜାର ଅଂଚଳରେ ଥିବା ପୁରୁଣା ଶୁଖିଲା ଗଛ ଡ଼ାଳ ଝୁଲି ରହିବା ଫଳରେ ଲୋକେ ଭୟଭୀତ ଅବସ୍ଥାରେ ଚଳପ୍ରଚଳ କରୁଛନ୍ତି । ସାମାନ୍ୟ ପବନ ହେଲେ ଏହି ଶୁଖିଲା ଡ଼ାଳ ଖସି ପଡ଼ି ଲୋକେ ଖଣ୍ଡିଆଖାବରା ହେବାସହ ଯାଆଆସ କରୁଥିବା ଯାନବାହାନ ନଷ୍ଟ ହେଉଛି । ଏହିପରି ଘଟଣାର ଅନେକ ନଜୀର ରହିଛି । ଏ ସଂପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଆଜିଯାଏ ଏହାର କୌଣସି ପ୍ରତିକାର କରାଯାଇପାରିନାହିଁ । ବିଭିନ୍ନ ସ୍ଥାନକୁ ଯିବା ପାଇଁ ଉକ୍ତ ଛକ ଅଂଚଳରେ ବହୁ ଲୋକଙ୍କ ସମାଗମ ହୋଇଥାଏ । ତେଣୁ କୌଣସି ବଡ଼ ବିପଦ ଘଟିବା ପୂର୍ବରୁ ଶୁଖିଲା ଗଛ ଡ଼ାଳ ପରିଷ୍କାର କରିବାକୁ ବିଭାଗୀୟ ଉଚ୍ଚକର୍ତ୍ତୁପକ୍ଷ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଥିବା ଖବର ପ୍ରକାଶକୁ ଇତି ମଧ୍ୟରେ ଏକ ମାସ ବିତିଯାଇଥିଲେ ସୁଦ୍ଧା ବିଭାଗ ପକ୍ଷରୁୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ବର୍ତ୍ତମାନ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ଶୁଖିଲା ଡ଼ାଳ ଗୁଡ଼ିକ ଗଛରୁ ଖସି ତଳେ ପଡ଼ୁଛି । କୌଣସି କିଛି କ୍ଷତି ଘଟିନାହିଁ । କିନ୍ତୁ କିଛି କ୍ଷତି ଘଟିବା ଆଗରୁ ବିଭାଗ ପକ୍ଷରୁ ଶୁଖିଲା ଗଛ ଡ଼ାଳକୁ କାଟି ସଫା କରିବା ପାଇଁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।

