2

ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟ ଓ ବିଜ୍ଞାନପ୍ରଚାର ସମିତି ସାଲେପୁର ଶାଖା ପକ୍ଷରୁ ଦୁଇ ମହାପୁରୁଷଙ୍କ ସ୍ମୃତିଚାରଣ ସହ କୃଷିକୁ ନୂଆ ଦିଗଦର୍ଶନ

ରାଜ୍ୟ

କଟକ : କଟକ ଜିଲ୍ଲା ସାଲେପୁର ନିକଟସ୍ଥ ପିକୋଳଠାରେ ଅନୁଷ୍ଠିତ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟ ଓ ବିଜ୍ଞାନପ୍ରଚାର ସମିତି ସାଲେପୁର ଶାଖା ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଓ ପୁସ୍ତକ ଉନ୍ମୋଚନ ଉତ୍ସବ ଟ୍ରଷ୍ଟର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି | ଅଗଷ୍ଟ ୨୦ ତାରିଖ ହେଉଛି ଓଡ଼ିଆ ସାହିତ୍ୟର ଦିଗ୍ଗଜ କଥାକାର ସ୍ବର୍ଗତ ଗୋପୀନାଥ ମହାନ୍ତିଙ୍କ ଶ୍ରାଦ୍ଧ ଦିବସ ଓ ଅନୁରୂପ ଭାବରେ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟ ଯାହାଙ୍କ ନାମରେ ହୋଇଛି, ସାଲେପୁର ମଧୁମାଟିର ବିଶିଷ୍ଟ ସମାଜସେବୀ, କୃଷିପ୍ରେମୀ, ଜନହିତୈଷୀ ଗୋପୀନାଥ ମହାନ୍ତି ଙ୍କର ମଧ୍ୟ ପୂଣ୍ୟତିଥି | ଉଭୟ ମହାପୁରୁଷଙ୍କ ସ୍ମୃତିଚାରଣ ଲାଗି ଅନୁଷ୍ଠିତ ହୋଇଥିବା ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ବିଜ୍ଞାନପ୍ରଚାର ସମିତି ସାଲେପୁର ଶାଖାର ସଭାପତି ମେଜର ମଞ୍ଜୁଶ୍ରୀ ପତି |

1

ମୁଖ୍ୟ ଅତିଥିଭାବରେ ଯୋଗଦେଇଥିଲେ ସାଲେପୁର ସହକାରୀ ଉଦ୍ୟାନକୃଷି ଅଧିକାରିଣୀ ପୂଜାର୍ଚ୍ଚନା ପଣ୍ଡା | ପ୍ରାରମ୍ଭରେ ଟ୍ରଷ୍ଟର ପ୍ରତିଷ୍ଠାତା ସୁକାନ୍ତ କିଶୋର ମହାନ୍ତି ଅତିଥିମାନଙ୍କୁ ସ୍ବାଗତ କରିବା ସହିତ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ କହିଥିଲେ | ବିଜ୍ଞାନପ୍ରଚାର ସମିତିର ଉପସଭାପତି ବିପିନ ବିହାରୀ କର ମଧୁମାଟିର ମହକ ଗୋପୀନାଥଙ୍କ ସ୍ମୃତିଚାରଣ କରିଥିବା ବେଳେ ପ୍ରାଧ୍ୟାପକ ପ୍ରଭାତ କିଶୋର ନାୟକ ସାହିତ୍ୟିକ ଗୋପୀନାଥଙ୍କ ସ୍ମୃତିଚାରଣ କରିଥିଲେ | ଏହି ଅବସରରେ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟର ଉଦ୍ୟମରେ ପ୍ରତିଷ୍ଠିତ ତାରା-ଗୋପୀନାଥ ପାଠାଗାର ପକ୍ଷରୁ ତାରାକିରଣ ପଠନ ଅଭ୍ୟାସ ପ୍ରତିଯୋଗିତା ସାଲେପୁରସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରେ କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା | ଏହି ପୁରସ୍କାର ବିଜ୍ଞାନ ପ୍ରଚାରସମିତିର ଉପଦେଷ୍ଟା ଡ. ଉମେଶଚନ୍ଦ୍ର ପତିଙ୍କ ପକ୍ଷରୁ ପ୍ରଦାନ କରାଯାଇଥିଲା |

ଏହାପରେ ଆରମ୍ଭ ହୋଇଥିଲା ପୁସ୍ତକ ଉନ୍ମୋଚନ ପର୍ବ | ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଟ୍ରଷ୍ଟର କୃଷି ପରାମର୍ଶ ଦାତା ତଥା ବିଶିଷ୍ଟ ଜୈବକୃଷି ବିଶାରଦ ଶାରଦାପ୍ରସାଦ ରଥଙ୍କ ପୁସ୍ତକ ‘କୃଷକର ବନ୍ଧୁ ଜିଆ ’ ଉନ୍ମୋଚିତ ହୋଇଥିଲା | ଏହାକୁ ବିଜ୍ଞାନପ୍ରଚାର ସମିତି ସାଲେପୁର ପକ୍ଷରୁ ପ୍ରକାଶ କରାଯାଇଛି | ଏହି ଅବସରରେ ମୁଖ୍ୟ ଅତିଥି ଜୈବକୃଷିର ଉପାଦେୟତା ଉପରେ ନିଜର ବକ୍ତବ୍ୟ ରଖିବା ସହିତ ଟ୍ରଷ୍ଟ ପକ୍ଷରୁ କରାଯାଉଥିବା ଜୈବକୃଷି କାର୍ଯ୍ୟକ୍ରମ ଓ କୃଷକମାନଙ୍କ ସଚେତନତା କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ | ହରିହର ତ୍ରିପାଠୀ କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ଦିବାକର ପ୍ରଧାନ, ପୁରୁଷୋତ୍ତମ ବେହେରା, ସୁଶାନ୍ତ କିଶୋର ମହାନ୍ତି, ଯାମିନୀବାଳା ମହାନ୍ତି,  ବିକାଶ ବେହେରା, ନିମାପଡାରୁ ଆସିଥିବା ଭଗବାନ ମହାରଣା ଓ ଦିଗପହଣ୍ଡିରୁ ଆସିଥିବା ଶ୍ରୀଯୁକ୍ତ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ଓ ନିଜର ମତାମତ ପ୍ରଦାନ କରିଥିଲେ |
ଟ୍ରଷ୍ଟ ପକ୍ଷରୁ ପୋଷ୍ୟସନ୍ତାନଭାବେ ଗ୍ରହଣ କରାଯାଇଥିବା ଓମ୍ ପ୍ରକାଶ ଓଝା ମଧୁ ସଂଗୀତ ଗାନ କରିଥିଲେ | ଶେଷରେ ବିଜ୍ଞାନପ୍ରଚାର ସମିତିର ସଂପାଦକ ମହେଶଚନ୍ଦ୍ର କର ଧନ୍ୟବାଦ ଅର୍ପଣ କରିଥିଲେ |
ଏହି କାର୍ଯ୍ୟକ୍ରମ ପରେ ଏକ କୁଇଣ୍ଟାଲ ଜିଆ ଖତ ଆଗ୍ରହୀ ଚାଷୀମାନଙ୍କୁ ସୁଲଭମୂଲ୍ୟରେ ବଣ୍ଟନ କରାଯାଇଥିଲା |

Shrutilipi ad