ଆଗରପଡ଼ା :ଔପଦା ଭାୟା ଆଗରପଡ଼ା,ଭଦ୍ରକ ଦେଇ ଭୁବନେଶ୍ୱରକୁ ଯାଉଥିବା ବିଟି ଆଣ୍ଡ ବିଟି ନାମକ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଜଣାପଡ଼ିଛଇ । ପ୍ରାପ୍ତ ସୂଚନାନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ୫.୩୦ ମିନିଟ ସମୟରେ ଆଗରପଡ଼ାରୁ ଯାତ୍ରୀମାନଙ୍କୁ ଉଠାଇ ବସଟି ଭୁବନେଶ୍ୱର ଅଭିମୁଖେ ଯାଇଥିଲା । ଆଗରପଡ଼ା-ଭଦ୍ରକ ରାସ୍ତାର ଧୋବାଗଡ଼ିଆ ନିକଟରେ ଅପରପଟୁ ଆସୁଥିବା ଏକ ଗାଡ଼ିକୁ ସାଇଡ ଦେବାକୁ ଯାଇ ବସଟି ନୟନଜୁରି ଆଡ଼କୁ ଓଲଟି ପଡ଼ିବାର ପୋଜିସନକୁ ଆସିଥିଲା ।ଏହାଦେଖି ତୁରନ୍ତ ଯାତ୍ରୀମାନେ ତଳକୁ ଓହ୍ଲାଇ ପଡ଼ିଥିଲେ ଯଦ୍ଦ୍ୱାରା ବସ ଓ ଯାତ୍ରୀମାନେ ବଡ଼ ବିପଦରୁ ବର୍ତ୍ତି ଯାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ ସୂଚନା ଦେଇଛନ୍ତି । ବସରେ ପାଖାପାଖି ୫୦ ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିଲେ ।ଦୀର୍ଘଦିନ ହେଲା ଆଗରପଡ଼ା-ବରପଦା ରାସ୍ତା ଖରାପ ହୋଇପଡ଼ିବା ପରେ ବର୍ଷାଦିନରେ ମରାମତି କାର୍ଯ୍ୟ ଆରମ୍ଭ ଇତିମଧ୍ୟରେ ହୋଇଛି । ମୁଖ୍ୟ ରାସ୍ତା ଦୁଇ ପାର୍ଶ୍ୱକୁ ଜେସିବି ଦ୍ୱାରା ପରିଷ୍କାର କରାଯିବା ସହ ମୁଖ୍ୟ ରାସ୍ତା ଉପରୁ ପିଚୁ ଖୋଳା ଯାଉଛି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାସ୍ତାପାର୍ଶ୍ୱକୁ ଯାନବାହନ ଯିବା ବେଳେ ଦବିଯାଇ ଖସି ଯାଉଛି । ଏହିପରି ପ୍ରତିଦିନ ଛୋଟବଡ଼ ଧରଣର ଦୁର୍ଘଟଣାମାନ ଘଟୁଥିବାର ପରିଲକ୍ଷିତ ହେଉଛି ।

