ଆଗରପଡ଼ା :ଶୁକ୍ରବାର “ପ୍ରଶାସନକୁ ମାଫିଆଙ୍କ ବେଖାତିର;ବେଧଡ଼କ୍ ଚାଲିଛି ବାଲି ଚାଲାଣ;ଗ୍ରାମ୍ୟ ରାସ୍ତା ନଷ୍ଟ” ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପରେ ଆଜି (ଶୁକ୍ରବାର)ବନ୍ତ ପୋଲିସ ଓ ଜିଲ୍ଲା ଖଣି ବିଭାଗ ପକ୍ଷରୁ ମିଳିତ ଭାବେ ଚଢଉ କରାଯାଇ ଆନନ୍ଦପୁର-ଭଦ୍ରକ ୫୩ନଂ ରାଜ୍ୟ ରାଜପଥ ଦେଇ ଯାଉଥିବା ୪ଗୋଟି ଓଭର ଲୋଡ଼ିଂ ଚୋରା ବାଲି ବୋଝେଇ ହାଇୱାକୁ ବନ୍ତ ଥାନା ଶ୍ରୀବନ୍ତପୁର ଠାରେ ଥିବା ପେଟ୍ରୋଲ ପମ୍ପ ନିକଟରୁ ଜବତ୍ କରିଥିବା ଜଣାପଡ଼ିଛି । ଗୋଟିଏ ହାଇୱା ଘଟଣା ସ୍ଥଳରୁ ଖସି ପଲାଇଥିଲେ ସୁଦ୍ଧା ପୋଲିସ ୫ଟି ହାଇୱା(ଚୋରା ବାଲି ବୋଝେଇ)ନାମରେ ମାମଲା ରୁଜ୍ଜୁ କରିଥିବା ଜଣାପଡ଼ିଛି । ଗ୍ରାମ୍ୟ ରାସ୍ତା ଦେଇ ବେଆଇନ ଭାବେ ବଡ଼ ବଡ଼ ହାଇୱାରେ ରାତିଦିନ ବାଲି ଚାଲାଣ ହେଉଥିବାରୁ ି ଗ୍ରାମବାସୀ ଓ ପଥଚାରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ବର୍ଷାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲାର ସମସ୍ତ ବାଲି ଘାଟ ଗୁଡ଼ିକୁ ଅକ୍ଟୋବର ମାସ ୧୫ତାରିଖ ପର୍ଯ୍ୟନ୍ତ ବନ୍ଦ ନେଇ ନିର୍ଦ୍ଦେଶନାମା ଜାରି ହୋଇଥିଲେ ସୁଦ୍ଧା ବାଲି ଉତ୍ତୋଳନ ଅନବରତ ଚାଲିଛି । ହାଟଡିହି ତହସିଲ ଅଂଚଳର ଗିରିଗାଁ, ଅମୃତପୁର, ଡିମିରିଆ, ହାବଳେଶ୍ୱର, ଗୋବିନ୍ଦପୁର ସମେତ ବିଭିନ୍ନ ବେଆଇନ ବାଲି ଘାଟରୁ ମାଫିଆ ମାନେ ଦୈନନ୍ଦିନ ହାଇୱା ଯୋଗେ ବାଲି ବୋଝେଇ କରି ଗ୍ରାମ୍ୟ ରାସ୍ତାରେ ପରିବହନ କରୁଥିବା ଅଭିଯୋଗ ହୋଇଛି । ମାଫିଆ ମାନେ ଡ଼ଅଁର ରାସ୍ତାରେ ବନ୍ତ ତହସିଲ ବନ୍ତ-ଓଳମ ଗ୍ରାମ୍ୟ ରାସ୍ତାରେ ଆସି ନିଳୋକ ରାସ୍ତା ଦେଇ ବାରିକପୁରରେ ପହଞ୍ଚଚି ବିଭିନ୍ନ ସ୍ଥାନକୁ ବାଲି ଚୋରା ଚାଲାଣ କରୁଥିବାରୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ସେହିପରି ମାଫିଆ ମାନେ ଚତୁରତାର ସହ ଚଷାଖଣ୍ଡ ଗେଡ଼ମା ଗାଁ ଦେଇ ଭଣ୍ଡାରିପୋଖରୀ ତହସିଲ କୋଚିଳାପଦୀ-ନାଆଁମୀ କଲେଜ ମଞ୍ଜୁରୀରୋଡ଼ ଦେଇ ସିଧାସଳଖ ଭଣ୍ଡାରିପୋଖରୀ ୧୬ନଂ ଜାତୀୟ ରାଜପଥରେ ପହଂଚି ବିଭିନ୍ନ ଜିଲ୍ଲାକୁ ବାଲି ଚାଲାଣ କରୁଛନ୍ତି । ଫଳରେ ପୂର୍ତ୍ତ ବିଭାଗ ରାସ୍ତା ମରଣଯନ୍ତା ପାଲଟିଥିବା ଅଭିଯୋଗ ହୋଇଛି । ଏପରିକିି ଗ୍ରାମ୍ୟ ରାସ୍ତା ଦେଇ ବାଲି ବୋଝେଇ ଭାରୀଯାନ ଚାଲାଣ ଯୋଗୁଁ ବନ୍ତ-ଆଗରପଡ଼ା, ବନ୍ତ-ଭଦ୍ରକ ଆଦି ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଗ୍ରାମ୍ୟ ରାସ୍ତାରେ ଚୋରା ବାଲି ଚାଲାଣକୁ ସମ୍ପୁର୍ଣ୍ଣ ବନ୍ଦ କରିବାକୁ ଦାବି ଜୋର୍ ଧରିଥିବା ଖବର ଶୁକ୍ରବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।

