Photo1 for the news of school

ପ୍ରହସନ ପାଲଟିଛି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା, ୪ କୋଠରୀରେ ୯ ଶ୍ରେଣୀର ପାଠପଢା

ରାଜ୍ୟ

ଆଗରପଡ଼ା :ପିଲା ଅଛନ୍ତି,ଶିକ୍ଷକ ବି ଅଛନ୍ତି । କିନ୍ତୁ ଶ୍ରେଣୀ ଗୃହ ଅଭାବରୁ ୪ କୋଠରୀରେ ୯ଟି ଶ୍ରେଣୀର ପିଲାଙ୍କ ପାଠପଢା ଚାଲଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ୧୯୫୩ ମସିହାରେ ପ୍ରତିଷ୍ଠିତ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ବଡବର୍ଚ୍ଚିକୟାଁ ପଂଚାୟତ ଅର୍ନ୍ତଗତ ଆପ୍ତିରା ଉ.ପ୍ରା ବିଦ୍ୟାଳୟଠାରେ । ଚଳିତ ଶିକ୍ଷାବର୍ଷରେ ଏଠାରେ ୧୧୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନକରୁଥିବା ସ୍ଥଳେ ଆବଶ୍ୟକ ଶ୍ରେଣୀ ଗୃହ ଅଭାବରୁ ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ପରିବେଶ ଅନୁକୂଳ ହେଉ ନଥିବା ପରିଲକ୍ଷିତ ହେଉଛି । ଗୋଟିଏ କୋଠରୀରେ ଶିଶୁ ବାଟିକା,୧ମ ଓ ୨ୟ ଶ୍ରେଣୀ,ଅନ୍ୟ ଗୋଟେରେ ୩ୟ,୪ର୍ଥ ଓ ୫ମ,ଆଉ ଏକ କୋଠରୀରେ ୭ମ ଓ ୮ମ ଏବଂ ଶେଷ କୋଠରୀରେ ୬ଷ୍ଠ ଶ୍ରେଣୀର ପାଠପଢା ଚାଲିଛି । ଏହିପରି ଭାବରେ ୪ଟି ଗୃହରେ ୯ଟି ଶ୍ରେଣୀର ପାଠପଢା ଚାଲିଛି । ୪ଟି ଗୃହରୁ ଗୋଟିଏ ଗୃହ ବିପଦ ସଙ୍ଗୁଳ ଅବସ୍ଥାରେ ଥିବା ସତ୍ତ୍ୱେ ଗୃହ ଅଭାବରୁ ୩ୟ,୪ର୍ଥ ଓ ୫ମର ଶ୍ରେଣୀର ଛାତ୍ରଛାତ୍ରୀମାନେ ଉକ୍ତ ଗୃହରେ ଅଧ୍ୟୟନ କରୁଛନ୍ତି । ୭ମ ଓ ୮ମ ଶ୍ରେଣୀର ପିଲାମାନେ ପଢୁଥିବା ଗୃହଟି ଗାଈଗୁହାଳ ପରି ପରିଲକ୍ଷିତ ହେଉଛି । କାରଣ ବିଦ୍ୟାଳୟର ବହୁ ଆସବାବପତ୍ର ଉକ୍ତ ଗୃହରେ ରହିଛି । ତେଣୁ ଏହିପରି ଅବସ୍ଥାରେ ଥିବା ବିଦ୍ୟାଳୟରେ ପାଠ ପଢା କିପରି ଚାଲୁଛି ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ନିତ କରିବା ସହ ଏଠାରେ କିପରି ଅଧ୍ୟାପନା କାର୍ଯ୍ୟ ସଂପାଦନ ହେଉଥିବ ତାହା ସହଜରେ ଅନୁମେୟ । ଦୀର୍ଘ ଦିନ ହେବ ବିଦ୍ୟାଳୟଟି ନାନାଦି ସମସ୍ୟା ମଧ୍ୟ ଦେଇ ଗତି କରୁଥିଲେ ସୁଦ୍ଧା ଏହାର ସୁଧାର ପାଇଁ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନ ନେବା ବଡ଼ ଦୁଃଖ ଓ ଅନୁତାପର ବିଷୟ ଅଟେ । ୧୧୩ଜଣ ପିଲାଙ୍କ ପାଇଁ ୬ଜଣ ଶିକ୍ଷକ,ଶିକ୍ଷୟିତ୍ରୀ ଅବସ୍ଥାପିତ ହୋଇଛନ୍ତି । ସ୍କୁଲ ପରିସର ସାମ୍ନା ପାଶ୍ୱର୍ରେ ନିଷ୍କାସନ ହୋଇ ନପାରି ଦୂଷିତ ଜଳ ଜମି ରହୁଛି । ଯଦ୍ଦ୍ୱାରା ଡ଼େଙ୍ଗୁ ପରି ମହାମାରୀ ଆଶଙ୍କା ସୃଷ୍ଟି ହେଉଛି । ଏହିପରି ନାନା ପ୍ରକାରର ସମସ୍ୟା ମଧ୍ୟରେ ବିଦ୍ୟାଳୟଟି ଗତି କରୁଛି । ବିଦ୍ୟାଳୟଟିରେ ଏହିପରି ଅବ୍ୟବସ୍ଥା ଯଦି ଲାଗି ରହେ ତେବେ ଏହା ନିଶ୍ଚିନ୍ତ ଭାବେ କୋମଳମତି ଛାତ୍ରଛାତ୍ରୀଙ୍କ ଉପରେ କୁପ୍ରବାହ ପକାଇବ ଏଥିରେ ଦ୍ୱିମତ ନାହିଁ ବୋଲି ବୁଦ୍ଧିଜୀବିମାନେ ମତ ପ୍ରକାଶ କରୁଛନ୍ତି । ବିଦ୍ୟାଳୟଟିର ସମସ୍ୟା ବିଷୟରେ ପ୍ରଧାନ ଶିକ୍ଷକଙ୍କୁ ଯୋଗାଯୋଗ କରିବାରୁ ଶ୍ରେଣୀ ଗୃହ ଅଭାବରୁ ବାଧ୍ୟ ହୋଇ ଆମକୁ ଗୋଟିଏ ଗୋଟିଏ କୋଠରୀରେ ୨ରୁ ୩ଟି ଶ୍ରେଣୀର ପିଲାଙ୍କୁ ଏକତ୍ରୀତ କରି ପାଠ ପଢାଇବାକୁ ପଡ଼ୁଥିବାର କହିବା ସହ ଏହି ସମସ୍ୟା ସଂପର୍କରେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବାର ଆମ ପ୍ରତିନିଧିଙ୍କୁ କହିଥିଲେ । ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ଚେଷ୍ଟା କରୁଥିବା ବେଳେ ଉକ୍ତ ବିଦ୍ୟାଳୟର ପାରିପାଶ୍ୱିର୍କ ପରିସ୍ଥିତିକୁ ଆକଳନକୁ ନେଲେ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ସରକାରଙ୍କ ଯୋଜନାର ସଫଳତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତେଣୁ ଶିକ୍ଷା ବ୍ୟବସ୍ଥାରେ ଏହିପରି ପ୍ରହସନ ଆଉ କେତେ ଦିନ ବୋଲି ସାଧାରଣ ଲୋକମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ବିଦ୍ୟାଳୟରେ ଲାଗି ରହିଥିବା ଶ୍ରେଣୀଗୃହ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ସମେତ ଅଭିଭାବକମାନେ ଦାବି କରିଛନ୍ତି ।

Shrutilipi ad