Img 20250816 wa0069

ବାରିପଦାଠାରେ ପାଳିତ ହେଲା ଜିଲ୍ଲାସ୍ତରୀୟ ୭୯ତମ  ସ୍ୱାଧୀନତା ଦିବସ-୨୦୨୫

ରାଜ୍ୟ
ବାରିପଦା :  ଚଳିତ ବର୍ଷ ସମଗ୍ର ଭାରତବର୍ଷ ୭୯ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ, ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ଏହି ପବିତ୍ର ଜାତୀୟ ଦିବସକୁ ହର୍ଷ ଓ ଉଲ୍ଲାସ ମଧ୍ୟରେ ପାଳନ କରାଯାଇଥିଲା ।  ଉକ୍ତ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୫ ବାରିପଦା ସ୍ଥିତ ରିଜର୍ଭ ପୋଲିସ ପଡିଆରେ, ଜିଲ୍ଲା ପ୍ରଶାସନ ତରଫରୁ  ସୂଚନା ଏବଂ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ହୋଇଥିଲା।  ଏହି ପବିତ୍ର ଦିବସର କାର୍ଯ୍ୟକ୍ରମରେ  ଓଡିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ  ସମ୍ମିଳିତ ପ୍ୟlରେଡ ରେ ଅଭିବାଦନ ଗ୍ରହଣ କରିଥିଲେ। ଉକ୍ତ ଜିଲ୍ଲା ସ୍ତରୀୟ ପ୍ୟାରେଡ ରେ ପୋଲିସ ବ୍ୟାଣ୍ଡ କୁ ମିଶାଇ ୪୫ ଟି ଦଳ ଅଂଶ ଗ୍ରହଣ କରିଥିଲେ।
ଏହି ଅବସରରେ  ମୁଖ୍ୟ ଅତିଥି ସର୍ବ ପ୍ରଥମେ ଦେଶର ତ୍ରିରଙ୍ଗା ଯାହାକି ଶକ୍ତି, ସାହସ ଓ ବଳିଦାନ/,ଶାନ୍ତି, ସତ୍ୟ/  ସମୃଦ୍ଧିର ପ୍ରତୀକ ଜାତୀୟ ପତାକାକୁ ସମ୍ମାନ ଜଣାଇବା ସହିତ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।  ଏହାପରେ ମାନ୍ୟବର ମନ୍ତ୍ରୀ ଜିଲ୍ଲାବାସୀଙ୍କୁ ପବିତ୍ର ଦିବସ ପାଳନ ଉପଲକ୍ଷେ ଅଭିନନ୍ଦନ ଜଣାଇ ତା’ଙ୍କ ଅଭିଭାଷଣରେ ଦେଶ, ରାଜ୍ୟ ତଥା ମୟୂରଭଞ୍ଜ ଜିଲ୍ଲାର ବିପ୍ଳବୀ-ବୀର ସ୍ଵାଧୀନତା ସଂଗ୍ରାମୀ ଓ ରଷ୍ଟ୍ରନୀତିଜ୍ଞମାନଙ୍କ ମାନଙ୍କ ସ୍ମୃତିଚାରଣ କରି ସେମାନଙ୍କର ନିସ୍ଵାର୍ଥପର ଦେଶ ପ୍ରେମ ଓ ଅତୁଳନୀୟ ବଳିଦାନ ବିଷୟରେ ଆଲୋକପାତ କରିଥିଲେ। ତତ୍ସହିତ ସ୍ୱାଧୀନତା ସଂଗ୍ରାମରେ ମୟୂରଭଞ୍ଜର ବିପ୍ଲବୀ ସଂଗ୍ରାମୀ ମାନଙ୍କ  ଅବଦାନ ବିଷୟରେ ଉଲ୍ଲେଖ କରିଥିଲେ।
ଏହି ଅବସରରେ ମନ୍ତ୍ରୀ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରି ଯୋଜନା ଓ ଉନ୍ନୟନ ପ୍ରକଳ୍ପ ବିଷୟରେ ଉଲ୍ଲେଖ କରିବା ସହିତ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ ସରକାର ସଦାସର୍ବଦା ଚେଷ୍ଟିତ ବୋଲି କହିଥିଲେ।  ଆଗାମୀ ଭବିଷ୍ୟତରେ ବିକଶିତ ଓଡିଶା ତଥା ବିକଶିତ ଭାରତ ପରିକଳ୍ପନାକୁ ସାକାର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ମୂଳମନ୍ତ୍ର ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସକୁ ଆଧାର କରି ନୂତନ ସଂକଳ୍ପ ନେଇ ଆମକୁ ଆଗକୁ ବଢିବା ପାଇଁ ପଡିବ ବୋଲି କହିଥିଲେ।
ଏହାପରେ ମୁଖ୍ୟ ଅତିଥି, ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଚକ୍ରଧର ପ୍ରଧାନଙ୍କୁ ଉତ୍ତରୀୟ ପରିଧାନ ପୂର୍ବକ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ଏବଂ ପ୍ୟାରେଡ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥବା ଏନ ସି ସି ରେ ଏମ କେ ସି ହାଇସ୍କୁଲ (ବାଳିକା), ସ୍କାଉଟ- ଗାଇଡ଼ରେ ଏମ. ପି. କେ. ଗାର୍ଲସ ହାଇସ୍କୁଲ(ଗାଇଡ଼), ଜୁନିଅର ରେଡ଼କ୍ରସରେ ବଳାଙ୍ଗୀ ଗାର୍ଲସ ହାଇସ୍କୁଲ ଏବଂ ସିଭିଲିଆନରେ ସେଣ୍ଟ ମେରୀ କନଭେଣ୍ଟ ସ୍କୁଲ (ବାଳକ) ଦଳଙ୍କୁ ସିଲଡ଼ ପ୍ରଦାନ କରି ପୁରସ୍କୃତ କରିଥିଲେ।
ଏହି ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ଉତ୍ସବର ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।
ଅନୁଷ୍ଠିତ କାର୍ଯ୍ୟକ୍ରମରେ  ସମ୍ମାନୀୟ ମହାରାଜା ଶ୍ରୀ ପ୍ରବୀଣଚନ୍ଦ୍ର ଭଞ୍ଜଦେଓ, ସମ୍ମାନୀୟା ମହାରାଣୀ ରଶ୍ମି-ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ରାଜକୁମାରୀ ମୃଣାଳିକା ମଞ୍ଜରୀ ଭଞ୍ଜଦେଓ,ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ଶ୍ରୀ ନେତ୍ରାନନ୍ଦ ମଲ୍ଲିଜ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର  କାଶୀଷ ବକ୍ସି, ଆଇ. ଏ. ଏସ. (ପ୍ରବେସନର) ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ଶ୍ରୀ ଧର୍ମାନନ୍ଦ ବେହେରା ପ୍ରମୁଖଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।
ଅନ୍ୟାନ୍ୟ ପୁରସ୍କାର ଗୁଡିକ ମଧ୍ୟରେ ମଧ୍ୟରେ  ଚଳିତ ବର୍ଷର ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଉତୀର୍ଣ୍ଣ ହୋଇଥିବା   ବାରିପଦା ସରସ୍ବତୀ ଶିଶୁ ମନ୍ଦିର ଛାତ୍ରୀ ଭୂମିକା ପ୍ରିୟଦର୍ଶିନୀ (୫୭୫ ନମ୍ବର ) ଓ ଟିକରପଡା  ଉଚ୍ଚ ବିଦ୍ୟାଳୟର ଛାତ୍ର ହିମାଂଶୁ ହିରନମୟ ଧୀର (୫୭୫ ନମ୍ବର)  ଓ  ଜିଲ୍ଲାର ସମସ୍ତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବାଳିକା ବର୍ଗରେ ୪୧୭ ନମ୍ବର ରଖି ଉଦଳା ସରକାରୀ ବାଳିକା  ଉଚ୍ଚ ବିଦ୍ୟାଳୟର  ସୁମନ ମହାପାତ୍ର, ବାଳକ ବର୍ଗରେ ୪୨୭ ନମ୍ବର ରଖି ରାଢ଼ ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟର ଆୟୁଷ୍ମାନ ବେହେରା , ଜିଲ୍ଲାର ଅନୁସୂଚିତ ଜାତି ତଥା ଜନଜାତି ବିଦ୍ୟାଳୟ ମାନଙ୍କ ମଧ୍ୟରେ କୁଳିଅଣାର  ସରକାରୀ ଅନୁସୂଚିତ ଜାତି ତଥା ଜନଜାତି ବିଦ୍ୟାଳୟର ଛାତ୍ରୀ ଦଲାଣୀ ମୁର୍ମୁ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ରେ ସର୍ବୋଚ୍ଚ ୮୮. ୮୩ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ଥିବାରୁ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା | ସେହିପରି ଜାତୀୟ ଖେଳ ମହୋତ୍ସବର ରଗଵୀ ଚମ୍ପିୟାନ ଲୀଲମୁନି ହାଁସଦା, ଫୁଟବଲ ସାହାଣୀ କପରେ ରନର୍ସ ଅପ ନୀଲେଶ ତିଗା, ସନ୍ତରଣ ରେ ରଞ୍ଜନ ହାଁସଦାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର  ପ୍ରଦାନ କରାଯାଇଥିଲା।  ସେହିପରି ଅନୁ ରଞ୍ଜନ ସ୍ୱାଇଁ, ଦୀପ୍ତାଂଶୁ ବେହେରା ଓ ଦେବର୍ଷି ବେହେରାଙ୍କୁ ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ କରି ସଠିକ ସମୟରେ ଡାକ୍ତରଖାନାରେ ପହଞ୍ଚାଇ ଜୀବନ ବଞ୍ଚାଇ ଥିବାରୁ ଏହି ମହତ ସେବା ପାଇଁ ସେମାନଙ୍କୁ ପ୍ରଶାସନ ତରଫରୁ ପୁରସ୍କୃତ କରାଯାଇଥିଲା।
ପ୍ୟାରେଡ଼ ପଡିଆ କାର୍ଯ୍ୟକ୍ରମ ପରେ ପୂର୍ବାହ୍ନରେ, ଦିବସର ମୁଖ୍ୟ ଅତିଥିଙ୍କ ଦ୍ୱାରା ମଣ୍ଡଳ କାରାଗାର, ବାରିପଦା ଲକ୍ଷ୍ମୀପୋଷୀ ସ୍ଥିତ ସ୍ୱତନ୍ତ୍ର ଭିନ୍ନକ୍ଷମ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ ହୋଇଥିଲା। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ମୟୁରଭଞ୍ଜଙ୍କ ତରଫରୁ ଗୋପବନ୍ଧୁ ବାଳାଶ୍ରମରେ ଅନ୍ତେବାସୀ ମାନଙ୍କୁ, ଜିଲ୍ଲା ଜରୁରୀକାଳୀନ ଅଧକାରୀ (ରେଡ଼କ୍ରସ ଶାଖା) ଙ୍କ ତରଫରୁ ଓ ଇନର ହୁଇଲ ବାରିପଦାଙ୍କ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ଓ ବିସ୍କୁଟ ବଣ୍ଟନ ହୋଇଥିଲା। ଏହାପରେ ମୁଖ୍ୟ ଅତିଥି ତକତପୁର ସ୍ଥିତ ଶିଳ୍ପ ତାଲିମ କେନ୍ଦ୍ରକୁ ପରିଦର୍ଶନରେ ଯାଇ  ବିଭିନ୍ନ ବିଭାଗ ବୁଲି ଦେଖିବା ସହ କେନ୍ଦ୍ରର ବିଭିନ୍ନ ସମସ୍ୟା ଉପରେ କତୃପକ୍ଷ ଓ ପ୍ରଶିକ୍ଷାର୍ଥୀ ମାନଙ୍କ ସହ ଆଲୋଚନା କରିଥିଲେ।
ଅପରାହ୍ନରେ ପୋଲିସ ପଡିଆ ଠାରେ ପୋଲିସ ପ୍ରଶାସନ ଓ ମା କିଚକେଶ୍ଵରୀ ଭଲିବଲ ଏକାଡେମୀ ତରଫରୁ ଏକ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ ଏବଂ କ୍ରୀଡା ଅଧିକାରୀଙ୍କ ତତ୍ୱାବଧାନରେ  ବାରିପଦା ଷ୍ଟାଡିଅମ ପଡ଼ିଆଠାରେ ମୟୂରଭଞ୍ଜ ଆଥଲେଟିକ ଆସୋସିଏସନ ତରଫରୁ ଜିଲ୍ଲାପାଳ ଏକାଦଶ ଏବଂ ମୟୂରଭଞ୍ଜ ଏଥେଲେଟିକ ଏସୋସିଏସନ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।
ସନ୍ଧ୍ୟାରେ ସ୍ଥାନୀୟ ଶହୀଦ ସ୍ମୃତି ଭବନ ଠାରେ ଜିଲ୍ଲା  ସୂଚନା ଏବଂ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲାଏବଂ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଦେଶାତ୍ମବୋଧ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ  ଉତ୍ସବରେ ଉପଜିଲ୍ଲାପାଳ ବାରିପଦା, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଏସ ଡି ପି ଓ, ଡି ପି ସି  ସମଗ୍ର ଶିକ୍ଷା ପ୍ରମୁଖ ଅତିଥି ଭାବେ  ଯୋଗ ଦେଇ ସ୍ୱାଧୀନତା ଦିବସ ଉପଲକ୍ଷେ ହୋଇଥିବା ବିଭିନ୍ନ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ।
ଓଡିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ବିକାଶ ରଞ୍ଜନ ମହାନ୍ତି ଏବଂ ସଂସ୍କୃତି ବିଭାଗ ତରଫରୁ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଭାଶିଷ ନାୟକ ଏହାକୁ ପରିଚାଳନା କରିଥିଲେ ଏବଂ କାର୍ଯ୍ୟାଳୟ ର ଶ୍ରୀକାନ୍ତ ବେହେରା, ଛିଟା ସୋରେନ, ତ୍ରିଲୋଚନ ଗିରି, ରବି ନାଏକ, ଲିଜ଼ତ ପ୍ରଧାନ ଓ ଛୋଟରାୟ ସିଂ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Shrutilipi ad