Photo2 for the news of anganwadi

ନିଜସ୍ୱ ଗୃହ ନଥିବାରୁ କଲ୍ୟାଣମଣ୍ଡପରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର

ରାଜ୍ୟ
  • ପ୍ରତିଷ୍ଠାକୁ ୧୫ ବର୍ଷ ଓ ଗୃହ ନିର୍ମାଣକୁ ୩ବର୍ଷ ପୁରିବ
  • ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ

ଆଗରପଡା: ବର୍ଷେ କି ଦୁଇ ବର୍ଷ ନୁହେଁ ପ୍ରତିଷ୍ଠାକୁ ୧୫ବର୍ଷ ଓ ଗୃହ ନିର୍ମାଣକୁ ୩ବର୍ଷ ପୁରିବାକୁ ବସିଥିଲେ ସୁଦ୍ଧା ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନିର୍ମାଣ ହୋଇ ନପାରିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରିବା ସହ ସରକାରଙ୍କ ମହିଳା ଓ ଶିଶୁଙ୍କର ସର୍ବାଙ୍ଗୀନ ଉନ୍ନତି ଲକ୍ଷ୍ୟରେ ଉଦ୍ଧିଷ୍ଟ ଯୋଜନାର ସଫଳ ରୁପାୟନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ ଗୋପିନାଥପୁର ଜେନା ସାହି ଅଙ୍ଗନବାଡ଼ି କେନ୍ଦ୍ର ଠାରେ । ବନ୍ତ ବ୍ଲକର ୨୫ ଟି ପଂଚାୟତରେ ୨୩୮ଟି ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟ କରୁଛି । ୨୫ଟି ପଂଚାୟତକୁ ୧୧ଟି ସେକ୍ଟରରେ ଭାଗ କରାଯାଇଛି । ତନ୍ମଧ୍ୟରୁ ମହାନ୍ତିପଡ଼ା ସେକ୍ଟର ଅନ୍ୟତମ । ଉକ୍ତ ସେକ୍ଟର ମହାନ୍ତିପଡ଼ା ଓ ଗୋପିନାଥପୁର ପଂଚାୟତକୁ ନେଇ ଗଠିତ । ଏବଂ ଉକ୍ତ ସେକ୍ଟର ଅଧିନରେ ୧୭ ଗୋଟି ଅଙ୍ଗନବାଡ଼ି କେନ୍ଦ୍ର ଅନ୍ତର୍ଭୁକ୍ତ । ତନ୍ମଧ୍ୟରୁ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ ଗୋପିନାଥପୁର ଜେନା ସାହି ଅଙ୍ଗନବାଡ଼ି ଅନ୍ୟତମ । ଗତ ୨୦୧୦ ମସିହାରେ ଏଠାରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ପ୍ରତିଷ୍ଠା ପରଠାରୁ କିଛି ଦିନ ନିଜସ୍ୱ ଗୃହ ଓ ସ୍କୁଲ ବାରଣ୍ଡାରେ କେନ୍ଦ୍ର ଚାଲିବା ପରେ ବତ୍ତର୍ମାନ ପାଖାପାଖି ୧୫ବର୍ଷ ହେବ ଏହା କଲ୍ୟାଣମଣ୍ଡପରେ ଚାଲିଆସୁଅଛି । ପ୍ରତିଷ୍ଠାର ୧୩ବର୍ଷ ପରେ ଅର୍ଥାତ ୨୦୨୩-୨୪ ଆର୍ଥିକ ବର୍ଷରେ ପଂଚାୟତ ସମିତି ବନ୍ତ ପକ୍ଷରୁ ପାଖାପାଖି ୫ଲକ୍ଷ ଟଙ୍କା ମଂଜୁର ଅର୍ଥରେ ଏଠାରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଇତି ମଧ୍ୟରେ ଗୃହ ନିର୍ମାଣକୁ ୩ ବର୍ଷ ପୁରିବାକୁ ବସିଥିଲେ ସୁଦ୍ଧା ଏହା ଏକ ପୂର୍ଣ୍ଣାଙ୍ଗ କେନ୍ଦ୍ରରେ ପରିଣତ ହୋଇନପାରି ପଡ଼ିରହିଛି । ସୂଚନା ଅନୁଯାୟୀ ଗୃହ ନିର୍ମାଣ ସରିଥିଲେ ସୁଦ୍ଧା ପାନୀୟଜଳର ସୁବନ୍ଦୋବସ୍ତ ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ । ମହିଳା ଓ ଶିଶୁଙ୍କର ସର୍ବାଙ୍ଗୀନ ଉନ୍ନତି ଲକ୍ଷ୍ୟରେ ଅଙ୍ଗନବାଡ଼ି କେନ୍ଦ୍ରମାନ ପ୍ରତିଷ୍ଠା କରାଯାଇଥିଲା । ଜନ୍ମ ଠାରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତି ଶିଶୁଙ୍କୁ ଟୀକାକରଣ, ସ୍ୱାସ୍ଥ୍ୟ, ପୃଷ୍ଟିହୀନତା ଦୂରୀକରଣ, ଶିକ୍ଷା, ପ୍ରାପ୍ତ ବୟସ୍କାଙ୍କୁ ଶାରୀରିକ ଶିକ୍ଷା ପ୍ରଦାନ ଆଦି ଅଙ୍ଗନବାଡ଼ି କେନ୍ଦ୍ରର କାର୍ଯ୍ୟ ରହିଛି । କିନ୍ତୁ ଏହି କେନ୍ଦ୍ରର ନିଜସ୍ୱ ଗୃହ ନଥିବାରୁ ଏହି ସବୁ କାର୍ଯ୍ୟର ସଫଳ ରୂପାୟନ ହୋଇ ପାରୁ ନଥିବା ପରିଲକ୍ଷିତ ହେଉଛି । ସରକାର ଅର୍ଥ ମଂଜୁର କରୁଛନ୍ତି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ଗୃହ ନିର୍ମାଣ ପାଇଁ କିନ୍ତୁ ଏହି ଅର୍ଥର ସଠିକ ବିନିଯୋଗ ନହୋଇ କେବଳ କାଗଜ କଲମରେ ଗୃହ ନିର୍ମାଣ କାର୍ଯ୍ୟ ଚାଲୁଥିବାର ଉକ୍ତ କେନ୍ଦ୍ରକୁ ଦେଖିଲେ ଜଣାପଡ଼ିଛି । କେନ୍ଦ୍ରଟିର ନିଜସ୍ୱ ଗୃହ ନଥିବାରୁ ବର୍ତ୍ତମାନ କଲ୍ୟାଣମଣ୍ଡପରେ ଖୋଲା ବାରଣ୍ଡାରେ ଉକ୍ତ କେନ୍ଦ୍ର ଚାଲିଛି । କେନ୍ଦ୍ରର ନିଜସ୍ୱ ଗୃହ ନଥିବାରୁ ଏଠାରେ ଅଧ୍ୟୟନ ରତ ୧୨ଜଣ ଶିଶୁଙ୍କ ପାଇଁ କର୍ମୀଙ୍କ ନିଜସ୍ୱ ଗୃହରେ ରୋଷେଇ କାର୍ଯ୍ୟ ସଂପାଦନା ହେଉଛି । ସେହିପରି ଗୋପିନାଥପୁର ଗ୍ରାମରେ ଥିବା ଅନ୍ୟ ଏକ ଅଙ୍ଗନୱାଡ଼ି କେନ୍ଦ୍ର(ଗୋପିନାଥପୁର)ରେ ଗତ ୨ମାସ ହେବ କର୍ମୀ ପଦବୀ ଖାଲି ପଡ଼ିଥିବା ବେଳେ ଏହାକୁ ପୂରଣ କରାଯାଉନଥିବାରୁ ଗୋପିନାଥପୁର ଜେନା ସାହି ଅଙ୍ଗନବାଡ଼ି କେନ୍ଦ୍ର କର୍ମୀଙ୍କୁ ଏହାର ଅତିରିକ୍ତ ଦାଇତ୍ୱ ପ୍ରଦାନ କରାଯାଇଛି । ନିଜ କେନ୍ଦ୍ରର ପାରିପାଶ୍ୱିର୍କ ପରିସ୍ଥିତି ଠିକ୍ ନଥିବା ବେଳେ କର୍ମୀ ଜଣଙ୍କୁ ଆଉ ଏକ କେନ୍ଦ୍ରର ଦାଇତ୍ୱ ଦେବା କେତେ ଦୂର ଯୁକ୍ତିଯୁକ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଗୃହ ସମସ୍ୟାକୁ ନେଇ ସେକ୍ଟର ସୁପରଭାଇଜରଙ୍କୁ ଯୋଗାଯୋଗ କରିବାରୁ ଗୃହ ବିଡ଼ିଓଙ୍କ ପକ୍ଷରୁ ଆମକୁ ହସ୍ତାନ୍ତର କରାଯାଇନଥିବା ସେ ପ୍ରକାଶ କରିଥିଲେ । ଅଙ୍ଗନବାଡ଼ି କେନ୍ଦ୍ର ଗୋଟିଏ ଶିଶୁର ଶିକ୍ଷାକ୍ଷେତ୍ରର ମୂଳଦୁଆ ପଡ଼ିବାର ପ୍ରଥମ ସୋପାନ । ଏହିଠାରୁ ହିଁ ତାର ଶିକ୍ଷା ଆରମ୍ଭ ହୋଇଥାଏ । ମାତ୍ର ଏହି ଆରମ୍ଭ ବୟସରୁ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଧ୍ୟୟନ କରୁଥିବା ପିଲାମାନେ ଅଙ୍ଗନୱାଡ଼ି କେନ୍ଦ୍ରର ବ୍ୟବସ୍ଥାକୁ ନେଇ ନିଜର ହତାଶଭାବ ପ୍ରକାଶ କରୁଥିବାବେଳେ ଅଭିଭାବକମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ଅର୍ଥ ମଂଜୁର ହେଉଛି କିନ୍ତୁ ବିଭାଗୀୟ ଅଧିକାରୀ ମାନଙ୍କ କାର୍ଯ୍ୟ ପନ୍ଥା ଯୋଗୁଁ ସରକାରଙ୍କ ଯୋଜନା ଲକ୍ଷଚ୍ୟୁତ ହେବାକୁ ଯାଉଥିବାର ଅଭିଯୋଗ ହେଉଛି । ଏଠାରେ ଦେଖା ଦେଇଥିବା ଏହି ପରି ଅବ୍ୟବସ୍ଥା ପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

Shrutilipi ad