Img 20250809 wa0250

ବାରିପଦା ଠାରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପ୍ରଦାନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜିତ

ରାଜ୍ୟ
  • ଜିଲାରେ ମୋଟ 6 ଲକ୍ଷ ଏକ ହଜାର 165 ଜଣ ହିତାଧିକାରୀ ପାଇବେ ତୃତୀୟ କିସ୍ତି ଟଙ୍କା
  • ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଡିବିଟି ଜରିଆରେ ହେଲା ହସ୍ତାନ୍ତର
  • ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଗଲା ତୃତୀୟ କିସ୍ତି ସହାୟତା ରାଶି
ବାରିପଦା: ସଂଘର୍ଷ ରୁ ସଶକ୍ତି,ସଶକ୍ତି ରୁ ସମୃଦ୍ଧି ଓ ସମୃଦ୍ଧି ରୁ ବିକଶିତ. ଏହାହିଁ ହେଉଛି “ସୁଭଦ୍ରା ଯୋଜନା “ର ବିଶେଷତ୍ବ। ଓଡ଼ିଶାର ପ୍ରତ୍ୟେକଟି ମହିଳାଙ୍କୁ ସ୍ୱାବଲମ୍ବୀ ଏବଂ ସଶକ୍ତ କରିବା ଉଦ୍ଦେଶ୍ୟରେ ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଘରେ ଘରେ ଆଦୃତ ଓ ଲୋକପ୍ରିୟ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ସହାୟତା ରାଶି ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ କୋରାପୁଟର   ଜୟପୁର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଉତ୍ସବରେ ପ୍ରଦାନ କରାଯାଇଛି ଏବଂ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯୋଜନାର ସହାୟତା ରାଶି ଯାଇଛି. ରାଜ୍ୟର ପ୍ରାୟ ୧ କୋଟି ମହିଳାଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ  ବାରିପଦାସ୍ଥିତ କଲେଜ ପଡିଆ ଠାରେ ଜିଲ୍ଲପାଳ ଶ୍ରୀ ହେମ କାନ୍ତ ସୟଙ୍କ ସଭାପତିତ୍ୱରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପ୍ରଦାନ ସମ୍ଭନ୍ଧୀୟ ଏକ  କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା.
ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଉଦଳା ଶ୍ରୀ ଭାସ୍କର ମଢେଇ, ବିଧାୟକ ବାରିପଦା ଶ୍ରୀ ପ୍ରକାଶ ସୋରେନ, ବିଧାୟକ ସାରସକଣା ଶ୍ରୀ ଭାଦବ ହାଁସଦା, ବିଧାୟକ ବଡ଼ସାହି ଶ୍ରୀ ସନାତନ ବିଜୁଳି,ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ନିହାରିକା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।
ପ୍ରାରମ୍ଭରେ  ପ୍ରୋଗ୍ରାମ ଅଧିକାରିଣୀ ମିନତୀ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ଥିବାରୁ ହିତାଧିକାରୀ ମାନେ ନିମନ୍ତ୍ରିତ ଅତିଥି ମାନଙ୍କୁ ରାକ୍ଷୀ ପିନ୍ଧାଇ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।  ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ ମହିଳା ମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ହେଉଛି ଏହି  ଯୋଜନାର ମୂଳ ଲକ୍ଷ୍ୟ. ଯୋଜନାର ବିଭିନ୍ନ ଦିଗ ଓ ଉପାଦେୟତା ବିଷୟରେ ଉଲ୍ଲେଖ କରିବା ସହିତ ଏହି ଯୋଜନାରେ ପ୍ରଦାନ କରାଯାଉଥିବା ସହାୟତା ରାଶିକୁ ସଠିକ ବିନିଯୋଗ କରିବା ପାଇଁ ହିତାଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।
ଅନ୍ୟାନ୍ୟ ମଂଚାସୀନ ଅତିଥି ମାନେ ମଧ୍ୟ ଏହି ଲୋକପ୍ରିୟ ଯୋଜନା ସମ୍ଭନ୍ଧରେ ନିଜ ନିଜର ସୁଚିନ୍ତିତ ମତାମତ ରଖିବା ସହ ଆଗକୁ ଆମ ରାଜ୍ୟର ମହିଳାମାନେ ଆହୁରି ସଶକ୍ତ ହେବେ ବୋଲି ମତ ରଖିଥିଲେ।
ଏହି ଅବସରରେ ଏହି ଯୋଜନା ର କିଛି ହିତାଧିକାରୀ ସରକାରଙ୍କ ଦ୍ୱାରା ଏହି ଯୋଜନା ଘୋଷଣା ହେବା ତଥା ସେମାନଙ୍କ ବ୍ୟାଙ୍କ ଖାତାକୁ ପର୍ଯ୍ୟାୟ କ୍ରମେ ସହାୟତା ରାଶି ଆସିବା ପରେ ଏହାକୁ ବିନିଯୋଗ କରି ସେମାନେ କିପରି ଉପକୃତ ହୋଇଛନ୍ତି ସେ ବିଷୟରେ ନିଜ ନିଜ ର ଅନୁଭୂତି ବଖାଣିବା ସହିତ ପର୍ଯାୟ କ୍ରମେ ପାଇବାକୁ ଥିବା ଉକ୍ତ ୫୦ ହଜାର ଅର୍ଥ ରାଶିର ସଠିକ ବିନିଯୋଗ ନେଇ ଭବିଷ୍ୟତର ପ୍ଲାନିଂ ସମ୍ବନ୍ଧରେ ନିଜନିଜ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ପରିଚାଳନା କରିଥିଲେ।
ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ପଦାଧିକାରୀଙ୍କ ସମେତ  ୫୦୦ ଜଣ ହିତାଧିକାରୀ ଉପସ୍ଥିତ ଥିଲେ।
Shrutilipi ad